ସିବିଆଇ ମାମଲା : ଜଷ୍ଟିସ୍‌ ପଟ୍ଟନାୟକଙ୍କ ରିପୋର୍ଟକୁ ଅଣଦେଖା

ବର୍ମାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ନାହିଁ, ତରବରିଆ ନିଷ୍ପତ୍ତି ନେଇଛି ମନୋନୟନ କମିଟି

ଭୁବନେଶ୍ବର : ‘‘କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ବହିଷ୍କୃତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର କୌଣସି ପ୍ରମାଣ ନାହିଁ। ଏହା ସତ୍ତ୍ବେ କେବଳ କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍‌ (ସିଭିସି)ର ଏକତରଫା ରିପୋର୍ଟକୁ ଆଧାର କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଚୟନ କମିଟି ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ବିଦା କରିବାକୁ ତରବରିଆ ନିଷ୍ପତ୍ତି ନେବା ଆଦୌ ସ୍ପୃହଣୀୟ ନୁହେଁ’’। ସିବିଆଇ ବନାମ ସବିଆଇ ମାମଲାରେ ସିଭିସି ତଦନ୍ତ ତଦାରଖ ନିମନ୍ତେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ନିଯୁକ୍ତ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକ ଏହି ମର୍ମରେ ଜାତୀୟ ଇ˚ରାଜୀ ଦୈନିକ ‘ଇଣ୍ତିଆନ୍‌ ଏକ୍ସପ୍ରେସ୍‌’କୁ ପ୍ରତିକ୍ରିୟା ଦେଇ ସମଗ୍ର ଘଟଣାକ୍ରମକୁ ଖୋଲାଖୋଲି ନାପସନ୍ଦ କରିଛନ୍ତି। ଫଳରେ ସିବିଆଇ ବିବାଦ ଅଧିକ ବିବାଦୀୟ ମୋଡ଼ ନେଇଛି। କେବଳ ସେତିକି ନୁହେଁ, ହୀନ ଉଦ୍ଦେଶ୍ୟ ଚରିତାର୍ଥ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଏହି ପ୍ରମୁଖ ତଦନ୍ତକାରୀ ସ˚ସ୍ଥାକୁ କିଭଳି ନଷ୍ଟଭ୍ରଷ୍ଟ କରିପାରନ୍ତି, ତାହାର ଆଉ ଏକ ନଗ୍ନ ଦୃଷ୍ଟାନ୍ତ ଲୋକଲୋଚନକୁ ଆସିଛି।

ସୂଚନାଯୋଗ୍ୟ, ମା˚ସ ରପ୍ତାନିକାରୀ ମୋଇନ୍‌ କ୍ୟୁରେସି ଓ ତା’ ସହଯୋଗୀ ସତୀଶ ସାନାଠାରୁ ୩ କୋଟି ଟଙ୍କା ଲାଞ୍ଚ ନେଇଥିବା ଏବ˚ କ୍ଷମତା ଦୁରୁପଯୋଗ କରି ଗୁଜରାଟର ବଡ଼ବଡ଼ ବ୍ୟବସାୟୀଙ୍କଠାରୁ ଅନୁଚିତ ଫାଇଦା ହାସଲ କରିଥିବା ଆଦି ଡଜନେରୁ ଅଧିକ ଅଭିଯୋଗରେ ଛନ୍ଦି ହୋଇଥିବା ରାଜନୈତିକ ପ୍ରଭାବଶାଳୀ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ତଥା ଗୁଜରାଟ କ୍ୟାଡ଼ର ଆଇପିଏସ୍‌ ଅଫିସର ରାକେଶ ଆସ୍ଥାନାଙ୍କ ବିରୋଧରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ମାମଲା ଦାଏର କରିଥିଲେ। ଗତ ଅକ୍ଟୋବର ୧୩ରେଏହାର ତଦନ୍ତ ଆରମ୍ଭ କରିଥିଲେ। ଏହାର ଦିନେ ପରେ ଆସ୍ଥାନା ଶ୍ରୀ ବର୍ମାଙ୍କ ବିରୋଧରେ ୨ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆଣି ସିଭିସି ଓ କ୍ୟାବିନେଟ୍‌ ସଚିବଙ୍କୁ ଲିଖିତ ଅଭିଯୋଗ କରିଥିଲେ। ସିବିଆଇର ଦୁଇଜଣ ତୁଙ୍ଗ ଅଧିକାରୀ ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ଭଳି ଅଭୂତପୂର୍ବ ଘଟଣାରେ ଏକପ୍ରକାର ଅପ୍ରସ୍ତୁତ ହୋଇପଡ଼ଥିବା କେନ୍ଦ୍ର ସରକାର ଶେଷରେ ଉଭୟଙ୍କୁ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇ ନାଗେଶ୍ବର ରାଓଙ୍କୁ କାମଚଳା ନିର୍ଦ୍ଦେଶକ ନିଯୁକ୍ତ କରିଥିଲେ। ଛୁଟି ନିର୍ଦ୍ଦେଶକୁ ଶ୍ରୀ ବର୍ମା ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଶ୍ରୀ ବର୍ମାଙ୍କ ବିରୋଧରେ ଆସ୍ଥାନା ଆଣିଥିବା ଅଭିଯୋଗର ତଦନ୍ତ ପାଇଁ ସିଭିସି ଏକାକୀ ତଦନ୍ତ କରିବାକୁ ଦୁଇ ସପ୍ତାହ ସମୟ ମାଗିଥିଲା। ମାତ୍ର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧୢକ୍ଷତାରେ ଗଠିତ ଖଣ୍ତପୀଠ ଅବସରପ୍ରାପ୍ତ ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ସିଭିସି ତଦନ୍ତର ତଦାରଖ କରିବାକୁ ନିଯୁକ୍ତ କରିଥିଲେ।

ଦୀର୍ଘ ୧୪ ଦିନ କାଳ ତଦନ୍ତ ତଦାରଖ ପରେ ଜଷ୍ଟିସ୍‌ ପଟ୍ଟନାୟକ ଗତ ନଭେମ୍ବର ୧୦ରେ ସୁପ୍ରିମ୍‌ କୋର୍ଟରେ ୧୦୦୦ ପୃଷ୍ଠାର ଦଲିଲ୍‌ ସ˚ଯୁକ୍ତ ୫୦ ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ତାଙ୍କ ଉପସ୍ଥିତିରେ ୧୪ ଦିନ ଚାଲିଥିବା ତଦନ୍ତ ପ୍ରକ୍ରିୟାରେ ଶ୍ରୀ ବର୍ମା ହାଜର ହୋଇ ନିଜ ପକ୍ଷ ରଖିଥିଲେ। ମାତ୍ର ଅଭିଯୋଗକାରୀ ଆସ୍ଥାନା ଶୁଣାଣିରେ ଅ˚ଶଗ୍ରହଣ କରନଥିଲେ କିମ୍ବା ପ୍ରତିପକ୍ଷ ବର୍ମାଙ୍କ ବିରୋଧରେ କୌଣସି ପ୍ରମାଣ ଦାଖଲ କରିନଥିଲେ। ବର˚ ନଭେମ୍ବର ୯ରେ ଆସ୍ଥାନାଙ୍କ ଦସ୍ତଖତ ଥିବା ଦାବି କରି ସିଭିସି ତାଙ୍କ ଲିଖିତ ବୟାନ ଜଷ୍ଟିସ୍‌ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ଗତ ୯ ତାରିଖରେ ସୁପ୍ରିମ୍‌ କୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ ଚୟନ କମିଟିର ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଶ୍ରୀ ବର୍ମା ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃ ଥଇଥାନ ହେବେ ବୋଲି ସର୍ତ୍ତଭିତ୍ତିକ ନିର୍ଦ୍ଦେଶ ଦେଇଥିଲେ। ତେବେ ରାୟ ପ୍ରକାଶ ପୂର୍ବରୁ ଖଣ୍ତପୀଠ କରିଥିବା ଶୁଣାଣିରେ ଜଷ୍ଟିସ୍‌ ପଟ୍ଟନାୟକଙ୍କ ତଦନ୍ତ ତଦାରଖ ରିପୋର୍ଟ ସ୍ଥାନ ନପାଇବା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାୟ ଅନୁଯାୟୀ ଶ୍ରୀ ବର୍ମା ତହିଁ ପରଦିନ ଆସନକୁ ଫେରି ଅସ୍ଥାୟୀ ନିର୍ଦ୍ଦେଶକ ନାଗେଶ୍ବର ରାୟ କରିଥିବା ବଦଳି ନିର୍ଦ୍ଦେଶଗୁଡ଼ିକୁ ରଦ୍ଦ କରିଥିଲେ। ଦୁଇ ଦିନ ନଯାଉଣୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦ୍ବିତୀୟ ସ˚ଖ୍ୟାଗରିଷ୍ଠ ଦଳର ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଓ ପ୍ରଧାନ ବିଚାରପତିଙ୍କ ପ୍ରତିନିଧି ଭାବେ ଜଷ୍ଟିସ୍‌ ଏ.କେ.ସିକ୍ରିଙ୍କୁ ନେଇ ଚୟନ କମିଟି ବୈଠକ ବସିଥିଲା। ଜଷ୍ଟିସ୍‌ ପଟ୍ଟନାୟକଙ୍କ ତଦାରଖରେ ହୋଇଥିବା ସିଭିସି ତଦନ୍ତରେ ଶ୍ରୀ ବର୍ମାଙ୍କ ବିରୋଧରେ ଦୁର୍ନୀତିର କୌଣସି ପ୍ରମାଣ ମିଳି ନଥିଲେ ହେଁ କେବଳ ସିଭିସି ରିପୋର୍ଟକୁ ଆଧାର କରି ଚୟନ କମିଟିର ସ˚ଖ୍ୟାଗରିଷ୍ଠ ସଦସ୍ୟ ନଷ୍ପତ୍ତି ନେଇଥିଲେ ଯେ ଶ୍ରୀ ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଥିବାରୁ ସେ ସିବିଆଇ ନିର୍ଦ୍ଦେଶକ ପଦରେ ରହିପାରିବେ ନାହିଁ। ଅବଶ୍ୟ ଏହାକୁ ବିରୋଧ କରିଥିଲେ ଅନ୍ୟତମ ସଦସ୍ୟ ଖାଡ଼ଗେ।

ଚୟନ କମିଟିର ଏଭଳି ନିଷ୍ପତ୍ତିରେ ବିସ୍ମୟ ପ୍ରକାଶ କରି ଜଷ୍ଟିସ୍‌ ପଟ୍ଟନାୟକ ନିର୍ଦ୍ଦିଷ୍ଟ କେତେକ ଗଣମାଧୢମକୁ କହିଛନ୍ତି, ଯେଉଁ ସିଭିସି ରିପୋର୍ଟ ଆଧରରେ ଚୟନ କମିଟି ନିଷ୍ପତ୍ତି ନେଲେ, ସେଥିରେ ତାଙ୍କ ନିଷ୍କର୍ଷ ସ୍ଥାନ ପାଇ ନାହିଁ। ତେଣୁ ସିଭିସିର ଏକତରଫା ରିପୋର୍ଟ କେବେ ଚୂଡ଼ାନ୍ତ ରାୟ ହୋଇନପାରେ। ପୁଣି ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତିଙ୍କ ଉପସ୍ଥିତି ସତ୍ତ୍ବେ ଚୟନ କମିଟି ସିଭିସିର ଏକତରଫା ରିପୋର୍ଟ ଆଧାରରେ ଅତ୍ୟନ୍ତ ତରବରିଆ ନିଷ୍ପତ୍ତି ନେବା ସ୍ପୃହଣୀୟ ନୁହେଁ ବୋଲି ଜଷ୍ଟିସ୍‌ ପଟ୍ଟନାୟକ ଖୋଲାଖୋଲି କହିଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କୁ ବିବାଦୀୟ କରିଥିବା ରାଫେଲ୍‌ ବିମାନ ଚୁକ୍ତିର ସିବିଆଇ ତଦନ୍ତ ପାଇଁ ଏକଦା ଉଦ୍ୟମ କରିଥିବା ଆଲୋକ ବର୍ମାଙ୍କୁ ବିଦା କରିବା ଲାଗି ମୋଦୀ ସରକାର ଶେଷରେ କଳ-ବଳ-କୌଶଳ ପ୍ରୟୋଗ କଲେ ବୋଲି ବୁଦ୍ଧିଜୀବୀ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର