ଆର୍‌ଏସ୍‌ପି ଇଡିଙ୍କ ନାଁରେ ସିବିଆଇ ମାମଲା

ଫସିଲେ କାର୍ମିକ ଓ ପ୍ରଶାସନ ଇଡି ରାଜବୀର ସିଂହ, ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଥିବାବେଳେ କରିଥିଲେ ଦୁର୍ନୀତି, ଜାଲ୍‌ ବିଲ୍‌ ପାରିତ କରିବାକୁ ସୁପାରିଶ କରିଥିଲେ, ୨୯ ଲକ୍ଷ ଟଙ୍କାର ଦୁର୍ନୀତିରେ ଜଡ଼ିତ ଥିଲେ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଜଣେ ବରିଷ୍ଠ ଅଧିକାରୀ ଦୁର୍ନୀତି କରି ସିବିଆଇ ଫାନ୍ଦରେ ପଡ଼ିଛନ୍ତି। ଅଧିକାରୀ ଜଣକ ହେଉଛନ୍ତି ନିକଟ ଅତୀତରେ ଆର୍‌ଏସ୍‌ପିରେ ଯୋଗଦେଇଥିବା କାର୍ମିକ ଓ ପ୍ରଶାସନ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ରାଜବୀର ସିଂହ। ଶ୍ରୀ ସିଂହ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ (ବିଏସ୍‌ପି)ରେ ସହର ସେବା ବିଭାଗର ମହାପ୍ରବନ୍ଧକ ଥିବାବେଳେ ଅନୈତିକ ଭାବେ ଜାଲ୍‌ ବିଲ୍‌ ପାରିତ କରିବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ସୁପାରିଶ କରିଥିଲେ। ଏହି ମାମଲାରେ ବିଏସ୍‌ପିର ତତ୍କାଳୀନ ସିଇଓ ଅନୁତୋଷ ମୈତ୍ରଙ୍କ ସମେତ ଅନ୍ୟ ୯ ଜଣ (ଡିଜିଏମ୍‌, ବରିଷ୍ଠ ମ୍ୟାନେଜର, ମ୍ୟାନେଜର ଓ ବ୍ୟବସାୟୀ) ଜଡ଼ିତ ଥିଲେ। ଜାଲ୍‌ ବିଲ୍‌ ମାଧ୍ୟମରେ ଠିକା ସଂସ୍ଥାକୁ ୨୯ ଲକ୍ଷ ଟଙ୍କା ପୈଠ କରାଯାଇଥିଲା। ମାମଲାର ତଦନ୍ତ ପାଇଁ ସିବିଆଇର ୪ ଜଣିଆ ଦଳ ରାଉରକେଲାରେ ପହଞ୍ଚି ଶ୍ରୀ ସିଂହଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଶ୍ରୀ ସିଂହଙ୍କ ସମେତ ବିଏସ୍‌ପିର ତତ୍କାଳୀନ ସିଇଓ ଶ୍ରୀ ମୈତ୍ର, ଉପମହାପ୍ରବନ୍ଧକ ଅଜୟ କୁମାର, ବରିଷ୍ଠ ମ୍ୟାନେଜର (ହସ୍‌ପିଟାଲିଟି ଓ ପ୍ରଶାସନ) ସମରେନ୍ଦ୍ର ଝା, ମ୍ୟାନେଜର ଜେ. କିରୋ, ଆସିଷ୍ଟାଣ୍ଟ୍‌ ମ୍ୟାନେଜର ରବୀନ୍ଦ୍ର ସିଂହ ଏବଂ ବୋକାରୋ ସ୍ଥିତ ଜନ୍‌ତା ଟେଣ୍ଟ୍‌ ହାଉସ୍‌ ସତ୍ତ୍ବାଧିକାରୀ ଜଗମୋହନ ସିଂହ, ଗୋଲ୍‌ଡେନ ପ୍ଲେସ୍‌ ଇନ୍‌ର ସତ୍ତ୍ବାଧିକାରୀ ତନବୀର ସିଂହ, ଅମରଜିତ କୌର ଓ ଫର୍ଣ୍ଣିସିଂ ହୋମ୍‌ର ସତ୍ତ୍ବାଧିକାରୀ ପ୍ରମୋଦ ଭାଲୋତିଆଙ୍କ ନାଁରେ ମାମଲା (ଆଇପିସି ଧାରା ୧୨୦-ବି, ଆର୍‌/ଡବ୍ଲ୍ୟୁ ୪୨୦, ୪୬୮ ଓ ୪୭୧, ପିସି ଆକ୍ଟ, ୧୯୮୮ ଧାରା ସେକ୍ଟନ ୭, ୧୧, ୧୨, ୧୩ (୨), ଆର୍‌ଡବ୍ଲ୍ୟୁ ୧୩(୧) ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର