ଆର୍ଏସ୍ପିର ପୂର୍ବତନ ଇଡି ରାଜବୀର ସିଂହଙ୍କ ନାଁରେ ସିବିଆଇ ଚାର୍ଜସିଟ୍
ଜାଲ୍ ବିଲ୍ ମାଧ୍ୟମରେ ବିଏସ୍ଏଲ୍ର ୩୧ ଲକ୍ଷ ହେରଫେର ମାମଲା: ଅବସର ସହ ପିଏଫ୍, ଗ୍ରାଚ୍ୟୁଇଟି ଅର୍ଥ ବି ଉଠାଇସାରିଲେଣି
ରାଉରକେଲା: ଦୁର୍ନୀତି ମାମଲାରେ ଆର୍ଏସ୍ପିର ପୂର୍ବତନ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରାଜବୀର ସିଂହଙ୍କ ଏବେ ଫସିଯାଇଛନ୍ତି। ବୋକାରୋ ଷ୍ଟିଲ ପ୍ଲାଣ୍ଟ୍ରେ କାର୍ଯ୍ୟରତ ଥିବା ସମୟରେ ହୋଇଥିବା ଏକ ଦୁର୍ନୀତି ମାମଲାରେ ଜଡ଼ିତ ରାଜବୀରଙ୍କ ନାଁରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି। ଆର୍ଏସ୍ପିରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡିଭାବେ ଯୋଗଦେବା ପୂର୍ବରୁ ରାଜବୀର ସିଂହ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ୍(ବିଏସ୍ଏଲ୍)ରେ ସହର ପ୍ରଶାସନ ବିଭାଗର ମହାପ୍ରବନ୍ଧକ ଦାୟିତ୍ବରେ ଥିଲେ। ଜାଲ୍ ବିଲ୍ ମାଧ୍ୟମରେ ବିଏସଏଲର ପ୍ରାୟ ୩୧ ଲକ୍ଷ ଟଙ୍କା ହେରଫେର କରିଥିବା ରାଜବୀର ସିଂହଙ୍କ ସମେତ ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ତଥା ସେଲ୍ର କାର୍ମିକ ନିର୍ଦ୍ଦେଶକ ଡ. ନିର୍ମଳେନ୍ଦୁ ମହାପାତ୍ର, ବିଏସ୍ଏଲ୍ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୁତୋଷ ମୈତ୍ର, ନିର୍ବାହୀ ନିର୍ଦ୍ଦେଶକ ସୀତାଂଶୁ ପ୍ରସାଦ, ଉପ-ମହାପ୍ରବନ୍ଧକ ଅଜୟ କୁମାର, ପ୍ରବନ୍ଧକ ଜୁଲିଅସ କିରୋ, ସହକାରୀ ପ୍ରବନ୍ଧକ ଦୀପକ କାଶୀନାଥ ଯାଦବଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଛି। ଏହି ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ସମନ ପଠାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜବୀର ସିଂହଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବାପରେ ମଧ୍ୟ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ସେ ୨୦୧୮ରୁ ୨୦୨୧ ମସିହା ପର୍ଯ୍ୟନ୍ତ ରାଉରକେଲା ଇସ୍ପାତ କାରଖାନାରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିଲେ। ତାଙ୍କର ପ୍ରାୟ ୩ ବର୍ଷ ରହଣି ମଧ୍ୟରେ ସେ କାରଖାନାର ଗୁରୁତ୍ବପୂର୍ଣ୍ଣ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବା ସହିତ ସହର ସେବା, ସହର ଇଞ୍ଜିନିୟରିଂ, ସି ଏସ ଆର୍, ମେଡିକାଲ, ଏଚ୍ଆର୍ଡି ସେଣ୍ଟର, ସୁପର୍ ସ୍ପେପାଲିଷ୍ଟ ହସ୍ପିଟାଲ ତଥା ‘ଲ’ ବିଭାଗର ଅନେକ ମହତ୍ତ୍ୱପୂର୍ଣ ପଦବିରେ ରହିଥିଲେ। ଏଣୁ ତାଙ୍କର କାର୍ଯ୍ୟକାଳକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଗତ ଜୁଲାଇ ୩୧ ତାରିଖରେ ଶ୍ରୀ ସିଂହ ଚାକିରିରୁ ଅବସର ନେଇସାରିଛନ୍ତି। ଏମିତିକି ନିଜର ପିଏଫ୍/ଗ୍ରାଚ୍ୟୁଇଟି ବାବଦକୁ ପ୍ରାପ୍ୟ ମଧ୍ୟ କୁଆଡ଼େ ଉଠାଇସାରିଲେଣି। ଏତେ ବିଳମ୍ବରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବା ପଛରେ ବହୁତ ଗୁଢ଼ ରହସ୍ୟ ଲୁଚିରହିଥିବା ମତ ପାଉଛି। ଉଲ୍ଲେଖନୀୟ ଦିଗ ଟି ହେଲା, ଶ୍ରୀ ସିଂହଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଆର୍ଏସପିର ପୂର୍ବତନ ମୁଖିଆ ଶ୍ରୀ ସିଂହଙ୍କୁ ପ୍ରଶଂସାରେ ପୋତିପକାଇଥିଲେ। ସିବିଆଇ ସ୍ବତନ୍ତ୍ର ଜଜ୍ ଅରବିନ୍ଦ କୁମାର ପାଣ୍ଡେ ଗତ ଜୁଲାଇ ୧୭ ତାରିଖରେ ଚାର୍ଜସିଟ୍ ନେଇ ଅର୍ଡର ପାସ୍ କରିଥିଲେ। କିନ୍ତୁ ଦୁର୍ଭାଗ୍ୟଜନକଭାବେ ଆର୍ଏସ୍ପି ଆଇନ ବିଭାଗୁ ପକ୍ଷରୁ ଏହାକୁ ଲୁଚାଇ ଦିଆଯାଇଥିବା ଅଭିଯୋଗ ହେଉଛି। ରାଜବୀରଙ୍କ ସିଂହ କାର୍ଯ୍ୟକାଳ ମଧ୍ୟରେ ଏହି ନୋଟିସ୍ ପ୍ରଦାନ କରାଯାଇଥିଲେ, ହୁଏତ ପରବର୍ତ୍ତୀ ତଦନ୍ତରେ ସମସ୍ୟା ଦେଖାଯାଇନଥାନ୍ତା ବୋଲି ମତ ପାଉଛି।
ସୂଚନାଯୋଗ୍ୟ, ବିଏସ୍ଏଲ୍ର ତତ୍କାଳୀନ ସିଇଓ ଶ୍ରୀ ମୈତ୍ର ନିଜର ଝିଅ ବାହାଘର ପାଇଁ କାରଖାନାର ଜଣେ ଠିକାଦାର ଜଗମୋହନ ସିଂହଙ୍କଠାରୁ ନଗଦ ୨୯ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଏହି ବାବଦକୁ ପ୍ରାୟ ୪୫ଟି ନକଲି ବିଲ୍ ମାଧ୍ୟମରେ ବିଏସ୍ଏଲ୍ ଆକାଉଣ୍ଟ୍ରୁ ଜଗମୋହନଙ୍କୁ ଅର୍ଥ ପୈଠ କରାଯାଇଥିଲା। ୨୦୧୨ରୁ ୨୦୧୫ ମସିହା ମଧ୍ୟରେ ଏସବୁ ନକଲି ବିଲ୍ ତିଆରି ହୋଇଥିଲା। ଏ ବାବଦକୁ ବିଏସ୍ଏଲକୁ ୩୧ଲକ୍ଷ ୨୪ ହଜାର ୬୫୨ ଟଙ୍କାର କ୍ଷତି ହୋଇଥିଲା। ରାଜବୀର ସିଂହଙ୍କ ସମେତ ଅଜୟ କୁମାର, ଡି.କେ. ଯାଦବ ଜାଲ ବିଲ୍ ଦାଖଲ କରିଥିବାବେଳେ ନିର୍ମଳେନ୍ଦୁ ମହାପାତ୍ର ଓ ସୀତାଂଶୁ ପ୍ରସାଦ ଏହାକୁ ପାସ୍ କରାଇ ଅର୍ଥ ପୈଠ କରାଇଥିଲେ। ଏହା୨୦୧୨ରୁ ୨୦୧୫ ମଧ୍ୟରେ ଚଞ୍ଚକତା କରି ୪୫ ଟି ଜାଲ୍ ବିଲ୍ ପାସ୍ କରାଇ ଅଭିଯୋଗ ରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି।