ସିବିଆଇର ‘ବ୍ଲାକ୍ ରୋଜ୍’ ତନାଘନା, ୪ ଦିନ ବନ୍ଦର କାର୍ଯ୍ୟାଳୟରେ ଖୋଳତାଡ଼

ଜଗତସିଂହପୁର: ସମୁଦ୍ରରେ ବ୍ଲାକରୋଜ ବୁଡ଼ିବା ଘଟଣାରେ ସିବିଆଇର ଏକ ତିନି ଜଣିଆ ଟିମ୍ ଦ୍ବିତୀୟ ଥର ବନ୍ଦର କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ତଥ୍ୟ ସଂଗ୍ରହ କରିଛି। ମାତ୍ର ଏ ନେଇ ବନ୍ଦରର କୌଣସି ବରିଷ୍ଠ ଅଧିକାରୀ ମୁହଁ ଖୋଲୁନାହାନ୍ତି। ସିବିଆଇ ଅଧିକାରୀଙ୍କ ଗସ୍ତ ସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାହାଜ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ସିବିଆଇର ତିନି ଜଣ ଅଧିକାରୀ ପାରାଦୀପରେ ପହଞ୍ଚିଥିଲେ। ଏଠାରେ ବନ୍ଦର ନ୍ୟାସ କାର୍ଯ୍ୟାଳୟରେ ପହଞ୍ଚି ସିବିଆଇ ବ୍ଲାକରୋଜ୍ ବାବଦରେ ଖୋଳତାଡ଼ ଆରମ୍ଭ କରିଥିଲା। ତିନି ଦିନ ଧରି ସେମାନେ ପାରାଦୀପରେ ରହିଥିଲେ। ସେମାନେ ନେହେରୁ ବଙ୍ଗଳା ଗେଷ୍ଟ ହାଉସରେ ନିଜ ପରିଚୟ ଲୁଚାଇ ରହିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ଏହାସହ ମଧୁବନ କଲୋନିରେ ସିବିଆଇ ଅଧିକାରୀମାନେ ପହଞ୍ଚି ବ୍ଲାକରୋଜ ସମ୍ପର୍କରେ କିଛି ତଥ୍ୟ ରଖିଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି।

ଏହି ଘଟଣାରେ ସିଙ୍ଗାପୁର କୋର୍ଟ, କୋଲକାତା ହାଇକୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ତଥାପି ଏହି ଘଟଣା ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ପ୍ରକୃତ ତଥ୍ୟ ଯୋଗାଡ଼ କରିବାକୁ ସକ୍ଷମ ହୋଇନାହାନ୍ତି। ଜାହାଜ ବୁଡିରେ ଜାହାଜର ମୁଖ୍ୟଯନ୍ତ୍ରୀ ଆଲେକଜାଣ୍ଡାର ଇଲ୍ୟୁସ ଚଙ୍କୋଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ନାବିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସେହି ୨୬ ଜଣଙ୍କର ମଧ୍ୟ ବର୍ତ୍ତମାନ ପତ୍ତା ନାହିଁ। କିନ୍ତୁ ବ୍ଲାକରୋଜ ପାଇଁ ବନ୍ଦର ପ୍ରଶାସନ ୧୭ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି। ତଥାପି ଏହି ଜାହାଜରେ କେଉଁ କମ୍ପାନିର ପଣ୍ୟ ଯାଉଥିଲା, ତାହା ବର୍ତ୍ତମାନ ବି ସ୍ପଷ୍ଟ ହେଉ ନାହିଁ।

ସମ୍ବନ୍ଧିତ ଖବର