ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୪ରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଲୋକଙ୍କଠାରୁ ବେଆଇନ ଭାବେ କୋଟି କୋଟି ଟଙ୍କା ଠକି ନେଇଥିବା ଚିଟ୍ ଫଣ୍ଡ କମ୍ପାନିଙ୍କ ବିରୋଧରେ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ(ସିବିଆଇ) ତଦନ୍ତ ଆରମ୍ଭ କରିଥିଲା। ଭୁବନେଶ୍ୱର ସିବିଆଇ ଅର୍ଥନୈତିକ ଶାଖା ଓଡ଼ିଶାରେ ଥିବା ୨୯ଟି ମାମଲାର ତଦନ୍ତ କରିଥିବା ବେଳେ କୋଲକାତାରେ ଥିବା ସିବିଆଇ ଅର୍ଥନୈତିକ ଶାଖା ୧୧୮ ଟି ମାମଲାର ତଦନ୍ତ କରିଥିଲା । ୮ ବର୍ଷ ପରେ ଏସବୁ ମାମଲାର ତଦନ୍ତ କେଉଁ ପର୍ଯ୍ୟାୟରେ ପହଞ୍ଚିଛି, ଏସବୁ ମାମଲାରେ କେତେଜଣଙ୍କୁ ଅଭିଯୁକ୍ତ କରାଯାଇଛି ଏବଂ କେତେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଆଦି ସମ୍ପର୍କରେ ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ଆଇନ ବଳରେ ସିବିଆଇକୁ ତଥ୍ୟ ମାଗିଥିଲେ। ଭୁବନେଶ୍ୱର ସିବିଆଇ ଅଫିସ୍ ପ୍ରଥମେ ଏହି ତଥ୍ୟ ଦେଇନଥିଲେ ଏବଂ ପ୍ରଥମ ଆପିଲେଟ୍ ଅଥରିଟିଙ୍କ ନିର୍ଦ୍ଦେଶ ପରେ ଏ ସମ୍ପର୍କରେ ଆଂଶିକ ତଥ୍ୟ ପ୍ରଦାନ କରିଛନ୍ତି।
ଏହି ତଥ୍ୟରୁ ଜଣାପଡ଼ିଛି ଯେ ତଦନ୍ତ ଆରମ୍ଭ କରାଯାଇଥିବା ମୋଟ୍ ୨୯ଟି ମାମଲା ମଧ୍ୟରୁ ୧୬ଟି ମାମଲାରେ ତଦନ୍ତ ଶେଷ ହୋଇଛି ଏବଂ ଏଗୁଡ଼ିକ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ବିଚାର ଚାଲିଛି। ଅନ୍ୟ ଗୋଟିଏ ମାମଲାରେ ବିଚାର ଶେଷ ହୋଇଛି। ବାକି ୧୨ଟି ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇ କୋର୍ଟରେ ବିଚାର ଚାଲିବା ସହ ସିବିଆଇ ଅଧିକ ତଦନ୍ତ ଚଳାଇଛି। ଏହି ମାମଲାଗୁଡ଼ିକ ମଧ୍ୟରେ ରହିଛି ସିସୋର୍ ଗ୍ରୁପ୍ ଅଫ୍ କମ୍ପାନିଜ୍, ଅର୍ଥତତ୍ତ୍ୱ ଗ୍ରୁପ୍, ଆସ୍ଥା ଗ୍ରୁପ୍ ଅଫ କମ୍ପାନିଜ୍, ସମୃଦ୍ଧ ଜୀବନ ମଲ୍ଟି ଷ୍ଟେଟ୍ ମଲ୍ଟି ସୋସାଇଟି କୋଅପରେଟିଭ୍ ସୋସାଇଟି, ସ୍ୱସ୍ତିକ୍ ଇଣ୍ଡିଆ ମଲ୍ଟି ଷ୍ଟେଟ୍ କ୍ରେଡିଟ୍ କୋଅପରେଟିଭ୍ ଲିମିଟେଡ୍, ଅକ୍ଷୟ ଗୋଲ୍ଡ ଫାର୍ମ ଏଣ୍ଡ୍ ଭିଲା ଇଣ୍ଡିଆ ଲିମିଟେଡ୍, ଶସ୍ତ୍ର ଏଣ୍ଟରପ୍ରାଇଜ୍ ଲିମିଟେଡ୍, ଓ୍ୱେଟଲ୍ ଗ୍ରୁପ୍ ଅଫ୍ କମ୍ପାନିଜ୍, ସାଇ ପ୍ରକାଶ ପ୍ରପର୍ଟି ଡେଭେଲପମେଣ୍ଟ୍ ଲିମିଟେଡ୍, ସମୃଦ୍ଧ ଜୀବନ ଫୁଡ୍ ଇଣ୍ଡିଆ ଲିମିଟେଡ୍, ସାଇପ୍ରସାଦ ଗ୍ରୁପ ଅଫ୍ କମ୍ପାନିଜ୍, ମାଇକ୍ରୋଫାଇନାନ୍ସ ଲିମିଟେଡ୍। ସିସୋର୍ ଗ୍ରୁପ୍ ଓ ସମୃଦ୍ଧ ଜୀବନ ଫୁଡ୍ ଇଣ୍ଡିଆ ବିରୋଧରେ ତିନୋଟି ଚାର୍ଜସିଟ୍ ଫାଇଲ୍ କରାଯିବା ସହ ଅଧିକ ତଦନ୍ତ ଚାଲିଛି।
ସେହିପରି ଅର୍ଥତତ୍ତ୍ୱ ବିରୋଧରେ ୪ଟି ଚାର୍ଜସିଟ୍ ଦାଖଲ କରି ସିବିଆଇ ଅଧିକ ଖୋଳତାଡ଼ କରୁଥିବା ଆରଟିଆଇ ତଥ୍ୟରୁ ଜଣାପଡିଛି। ତେବେ ଦୀର୍ଘ ୮ ବର୍ଷ ଧରି ତଦନ୍ତ ଶେଷ ନ ଦେବାକୁ ନେଇ ଶ୍ରୀ ଅଖଣ୍ଡ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାଦ୍ୱାରା ଅନେକ ସାକ୍ଷୀ ପ୍ରମାଣ ନଷ୍ଟ ହେବା ଯୋଗୁଁ ଦୋଷୀମାନେ ବିଚାରବେଳେ ଖସିବାକୁ ସହଜ ହେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କୋଲକାତା ସିବିଆଇ ପକ୍ଷରୁ ତଦନ୍ତ କରାଯାଉଥିବା ୧୧୮ଟି ମାମଲା ମଧ୍ୟରୁ ୭୨ଟି ମାମଲାରେ ତଦନ୍ତ ଶେଷ ହୋଇ କୋର୍ଟରେ ବିଚାର ଚାଲିଛି। ୪୩ଟି ମାମଲାରେ ଅଧିକ ତଦନ୍ତ ଚାଲିଛି। ମୋଟ୍ ୭୯୮ ଅଭିଯୁକ୍ତଙ୍କ ମଧ୍ୟରୁ ୧୪୨ ଜଣଙ୍କୁ ଗିରଫ କରାଯାଇଛି । ତେବେ ଭୁବନେଶ୍ୱର ସବିଆଇ ପକ୍ଷରୁ ମୋଟ୍ ଅଭିଯୁକ୍ତଙ୍କ ସଂଖ୍ୟା ଓ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-1.png)