ଭୁବନେଶ୍ବର : ଓଡ଼ିଶାରେ ଏକାଧିକ ତଦନ୍ତକାରୀ ସଂସ୍ଥା ଡେରା ପକାଇଛନ୍ତି। ବହୁ ଚର୍ଚ୍ଚିତ ଚିଟ୍ଫଣ୍ଡ ମାମଲା ତଦନ୍ତ ଅଧପନ୍ତରିଆ ରହିଛି। ସିବିଆଇ ହାତ ବାନ୍ଧି ବସିଯାଇଥିଲା। ହେଲେ ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ତନାଘନା ଜାରି ରହିଛି। ସେପଟେ କଳା ଟଙ୍କା ଠୁଳ ଓ ଆୟକର ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଡିଏନ୍ ଗ୍ରୁପ ଉପରେ ଚଢଉ ସାରି ଫେରିଛନ୍ତି। ଏହି ମାମଲାରେ ଏବେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଅପେକ୍ଷା। କେବେ ଇଡି ଅଧିକାରୀ ତଦନ୍ତ ହାତକୁ ନେବେ ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ପାକିସ୍ତାନ ସେନାକୁ ତଥ୍ୟ ଯୋଗାଇବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ଜେରା ପାଇଁ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରଥମ ପର୍ଯ୍ୟାୟ ତଦନ୍ତ ସାରି ଫେରିଛନ୍ତି। ଖୁବ୍ ଶୀଘ୍ର ପୁଣି ଗୋଟିଏ ଟିମ୍ ଆସିବା ନେଇ ସୂଚନା ମିଳୁଛି। ଏସବୁ ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପୁଣି ଥରେ ଘଣ୍ଟାଚକଟା ଆରମ୍ଭ କରିବେ ବୋଲି ସୂଚନା ମିଳିଲାଣି। ଖୁବ୍ ଶୀଘ୍ର ଚିଟ୍ ଫଣ୍ଡ ଘଟଣାରେ ସିବିଆଇ ମଧ୍ୟ ଫେରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଖବରକୁ ନେଇ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତାଙ୍କ ଛାତି ଧଡ଼ଧଡ଼ ହେଲାଣି।
ମିଳିଥିବା ସୂଚନା ଅନୁସାରେ, ଗତ ଜୁନ୍ ୨ରେ ବାହାନଗା ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣା ପରେ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଥିଲା। ଦିଲ୍ଲୀ ସିବିଆଇର ସ୍ବତନ୍ତ୍ର ଶାଖା ଓଡ଼ିଶାରେ ପହଞ୍ଚି ଛାନଭିନ୍ କରିଥିଲା। ମାସାଧିକ କାଳ ତଦନ୍ତ କରିବା ପରେ ତିନି ରେଳ ଅଧିକାରୀଙ୍କୁ ଗିରଫ କରିଥିଲା ସିବିଆଇ। ତିନି ଅଭିଯୁକ୍ତଙ୍କୁ ଦୁଇ ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଜେରା ସରିଲାଣି। ଏବେ ବି ସ୍ବତନ୍ତ୍ର ଟିମ୍ ତଦନ୍ତ ଜାରି ରଖିଥିବା ବେଳେ ଆଉ କିଛି ଅଧିକାରୀଙ୍କ ଉପରେ ଖଣ୍ଡା ଝୁଲୁଛି।
୯ ବର୍ଷ ପରେ ବି ଅଧାପନ୍ତରିଆ ରହିଛି ଚିଟଫଣ୍ଡ ତଦନ୍ତ
ତଦନ୍ତ ଫେରିବା ସୂଚନା, ଇଡି ବି ପ୍ରସ୍ତୁତି ଚଳାଇଲାଣି
ତାଲିକା ପ୍ରସ୍ତୁତ କରିଛନ୍ତି ଆୟକର ଅଧିକାରୀ
ନିଶା ମାଫିଆଙ୍କୁ ସାବାଡ୍ ପାଇଁ ଖୋଲିଲା ଏନସିବିର ସ୍ଥାୟୀ ଶାଖା
ସେହିପରି ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ଉରେ ସାମିଲ ହୋଇଥିଲେ ଦିଲ୍ଲୀ କାର୍ଯ୍ୟାଳୟର ଅଧିକାରୀ। ଅତିରିକ୍ତ କମିସନରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଚଢ଼ଉ ଜାରି ରହିଥିଲା। ଓଡ଼ିଶାର ଏବେ ସୁଦ୍ଧା ସବୁଠୁ ବଡ଼ ଚଢ଼ଉ ଓ ନଗଦ ଟଙ୍କା ଜବତ ଘଟଣା ବୋଲି କୁହାଯାଉଛି। ସେହିପରି ପାକିସ୍ତାନ ସେନାକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣେରୁ ଗିରଫ ହୋଇଥିବା ଅଭିଜିତ ଜମ୍ବୁରେକୁ ମୁମ୍ବାଇର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍(ଏଟିଏସ୍), ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ), ଆଇବି(ଇଣ୍ଟେଲିଜେନ୍ସ ବ୍ୟୁରୋ) ଟିମ୍ ଜେରା କରିଛନ୍ତି। ଦେଶର ସୁରକ୍ଷା ସହ ଜଡ଼ିତ ଏହି ମାମଲାର ତଦନ୍ତ ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜେରା କରି ସାରିଥିବା ବେଳେ ପୁଣି ଓଡ଼ିଶା ଆସିପାରନ୍ତି।
ସବୁଠୁ ବଡ଼ କଥା ହେଲା ସାରା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିବା ହଜାର ହଜାର କୋଟି ଟଙ୍କାର ଚିଟଫଣ୍ଡ ଠକେଇ ମାମଲାର ସିବିଆଇ ତଦନ୍ତ ୯ବର୍ଷ ପରେ ଏଯାଏ ସରିପାରି ନାହିଁ। ବିଧାୟକ, ସାଂସଦଙ୍କୁ ଗିରଫ କରି ହଇଚଇ ସୃଷ୍ଟି କରିଥିବା ସିବିଆଇ ତଦନ୍ତ ଅଧାପନ୍ତରିଆ ହୋଇ ରହିଛି। ବିଶେଷ କରି ୨୦୧୪ ଓ ୨୦୧୯ ପୂର୍ବରୁ ଏକାଧିକ ରାଜନେତାଙ୍କୁ ତଦନ୍ତ ପରିସରକୁ ଆସିଥିବା ବେଳେ କମ୍ପନ ସୃଷ୍ଟି ହୋଇଥିଲା। ଠକେଇର ଶିକାର ହେବା ପରେ ସର୍ବସ୍ବାନ୍ତ ହୋଇ ନ୍ୟାୟ ଅପେକ୍ଷାରେ ରହିଛନ୍ତି ହଜାର ହଜାର ଜମାକାରୀ। ମୋଟ୍ ୪୪ ମାମଲାରୁ ହାତଗଣତି ମାମଲାରେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଅଧାରୁ ଅଧିକ ମାମଲାର ତଦନ୍ତ ଜାରି ରହିଛି। ସୁପ୍ରିମକୋର୍ଟଙ୍କ ତତ୍ତ୍ବାବଧାନରେ ପରିଚାଳିତ ହେଉଥିବା ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କାହିଁକି ଶେଷ କରାଯାଉ ନାହିଁ ତାକୁ ନେଇ ସାଧାରଣରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।
ଗତ ସାଧାରଣ ନିର୍ବାଚନ ପୂର୍ବରୁ ସିବିଆଇ ଚେଇଁ ହଟଚମଟ ସୃଷ୍ଟି କରିଥିଲା। ଏବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଚିଟଫଣ୍ଡ ପେଡ଼ି ଖୋଲିବ ବୋଲି ଆଭାସ ମିଳିଲାଣି। ତେବେ ଏଥର କେଉଁଠୁ ତଦନ୍ତ ଆରମ୍ଭ ହେବ, କିଏ ଆଗ ସିବିଆଇ ଡାକରା ପାଇବେ, ସେ ସଂକ୍ରାନ୍ତ ଚିତ୍ର ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ କଳା ଟଙ୍କା କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଇଡି ନଜର ରଖିଛି। ଏକାଧିକ ଚିଟଫଣ୍ଡ ମାମଲାରେ ସିବିଆଇ ପରି ଇଡି ତଦନ୍ତ ମଧ୍ୟ ଅଧାରେ ରହିଥିଲା। ଖୁବ୍ ଶୀଘ୍ର ଦୁର୍ନୀତିଖୋରଙ୍କୁ ଇଡି ଡାକରା ମିଳିବ। କଳାଧନ ଠୁଳ କରିଥିବା କିଛି ବ୍ୟକ୍ତିଙ୍କ ବିରୋଧରେ ଇଡି ଛାଟ ବାଜିବ ବୋଲି ଜଣାପଡ଼ିଛି। ସେହିପରି ଟିକସ ଫାଙ୍କୁଥିବା ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଆୟକର ବିଭାଗ ନଜରରେ ରହିଛି। ଏସବୁ ଅପରେସନ୍ ଦୁର୍ଗା ପୂଜା ପୂର୍ବରୁ ଆରମ୍ଭ ହୋଇଯିବ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବା ନେଇ ଇତିମଧ୍ୟରେ ଏନସିବି(ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ)ର ସ୍ଥାୟୀ ଶାଖା ଭୁବନେଶ୍ବରରେ ଖୋଲିଛି। ଏନ୍ଆଇଏ(ଜାତୀୟ ତଦନ୍ତକାରୀ ସଂସ୍ଥା)ର ଶାଖା ମଧ୍ୟ ଖୁବଶୀଘ୍ର ଖୋଲିବାକୁ ଯାଉଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ନଜର ଓଡ଼ିଶା ଉପରେ ରହିଥିବା ବେଳେ ତଦନ୍ତ ଲାଗି ନିୟମିତ ଆସିବେ ବୋଲି ଜଣାପଡ଼ିଛି।