ଶାହଙ୍କ ସହିତ ଫେରିଲା ସିବିଆଇ ଚଡ଼କ : ପରାଗ, ସଂଗ୍ରାମଙ୍କୁ ସମନ୍‌, ୨ରେ ହାଜର ପାଇଁ ନୋଟିସ୍‌

ସିସୋର-ପର୍ଯ୍ୟଟନ ବିଭାଗ ସଂପର୍କର ଖୋଳତାଡ଼ ଆରମ୍ଭ, ଖୋଲିପାରେ ଶୁଭଙ୍କର ଡାଏରି, ବାବୁ-ନେତା ଛାନିଆ

ଭୁବନେଶ୍ୱର : ସରକାରୀ ବାବୁଙ୍କୁ ଟାର୍ଗେଟ କରି ଓଡ଼ିଶା ଫେରିଛି ସିବିଆଇର ଚିଟ୍‌ଫଣ୍ଡ ଠକେଇ ତଦନ୍ତ। ବହୁଚର୍ଚ୍ଚିତ ସି-ସୋର ମାମଲାରୁ ସିବିଆଇ ଅଧିକାରୀମାନେ ପୁଣି ଥରେ ତନାଘନା ଆରମ୍ଭ କରିଛନ୍ତି। ପର୍ଯ୍ୟଟନ ବିଭାଗ ଏବଂ ସି-ସୋର ସଂପର୍କର ଖୋଳତାଡ଼ କରିବାକୁ ସ୍ଥିର କରି ସିବିଆଇ ଓଡ଼ିଶା କ୍ୟା଼ଡରର ବରିଷ୍ଠ ଆଇଏଏସ୍‌ ଅଫିସର ତଥା କେନ୍ଦ୍ର ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁଗ୍ମ ସଚିବ ପରାଗ ଗୁପ୍ତାଙ୍କୁ ସମନ କରିଛି। ଆସନ୍ତା ୨ ତାରିଖ ଦିନ ସିବିଆଇ ନିକଟରେ ହାଜର ହେବା ଲାଗି ତାଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ସଂଗ୍ରାମ କେଶରୀ ରାୟଙ୍କୁ ମଧ୍ୟ ସିବିଆଇ ସମନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଆଜି ସିବିଆଇର ଏହି ନୋଟିସ୍‌କୁ ରାଜ୍ୟ ସରକାର ସଂପୃକ୍ତ ଅଧିକାରୀମାନଙ୍କ ନିକଟକୁ ପଠାଇଛନ୍ତି। ଯେହେତୁ ଉଭୟ ଅଧିକାରୀ ଏବେ ନିଜ ପୂର୍ବ ସ୍ଥାନରେ ନାହାନ୍ତି, ଏଣୁ ସିବିଆଇର ଏହି ନୋଟିସ ବୁଲି ବୁଲି ସାଧାରଣ ପ୍ରଶାସନ ବିଭାଗ ନିକଟରେ ପହଞ୍ଚିଥିଲା। ମୂଳତଃ ଏହି ନୋଟିସ ପର୍ଯ୍ୟଟନ ବିଭାଗ ନିକଟକୁ ଯାଇଥିଲା। ଆଉ ଆଜି ଏହି ଚିଠି ପହଞ୍ଚିବା ପରେ ସାଧାରଣ ପ୍ରଶାସନ ବିଭାଗ ତତ୍କାଳ ଏହା ଉପରେ ପଦକ୍ଷେପ ଗ୍ରହଣ କରିଥିଲେ।

ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ଦଳ ଭବିଷ୍ୟତ ରଣନୀତି ନିର୍ଧାରଣ କରିବେ। ୨୦୧୯ ନିର୍ବାଚନ ପାଇଁ ଦଳ କିଭଳି ନିଜକୁ ପ୍ରସ୍ତୁତ କରିବ ସେ ନେଇ ଦିନତମାମ କସରତ ଚାଲିବ। ଠିକ୍‌ ଏହି ସମୟରେ ଅର୍ଥାତ ଅମିତ ଶାହଙ୍କ ଓ଼ଡ଼ିଶା ଗସ୍ତ ସହିତ ସିବିଆଇ ତଦନ୍ତ ଫେରିବା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି।

ନିର୍ବାଚନ ପୂର୍ବରୁ ଅକଳରେ ପକାଇବା ଲାଗି ସିବିଆଇ ଆଉ ଥରେ ସରକାର ଉପରେ ସବାର ହେବା ଲାଗି ଖସଡ଼ା ପ୍ରସ୍ତୁତ କରୁଥିବା କୁହାଯାଇଛି। ଏଥର ଅଳ୍ପ କିଛି ରାଜନୈତିକ ନେତାଙ୍କ ସହିତ ସିବିଆଇ ମୁଖ୍ୟତଃ ଅଫିସରମାନଙ୍କୁ ଘାଣ୍ଟିବ ବୋଲି ଯୋଜନା କରିଛି।

ମିଳିଥିବା ସୂଚନା ଅନୁସାରେ, ଆଇଏଏସ୍‌ ଅଫିସର ଶ୍ରୀ ଗୁପ୍ତା ଓ ଶ୍ରୀ ରାୟଙ୍କୁ ସିବିଆଇ ପର୍ଯ୍ୟଟନ ବିଭାଗ ସହିତ ସି-ସୋର ସଂପର୍କ ନେଇ ପଚରାଉଚରା କରିବା ଲାଗି ଡାକୁଥିବା କୁହାଯାଉଛି। ଶ୍ରୀ ଗୁପ୍ତା ପର୍ଯ୍ୟଟନ ସଚିବ ଥିବାବେଳେ ସିସୋର-ପର୍ଯ୍ୟଟନ ବିଭାଗ ମଧ୍ୟରେ ନିବିଡ଼ତା ବଢ଼ିଥିଲା ଓ କଂପାନି ଦୁଇ ଦୁଇଟି ପ୍ରକଳ୍ପ କ୍ଷେତ୍ରରେ ବୁଝାମଣା ସ୍ୱାକ୍ଷର କରିଥିଲା। ମହାନଦୀରେ ବୋଟ୍‌ ପ୍ରକଳ୍ପ ଓ ଖୋର୍ଧା ଅଟ୍ରିରେ ଥିବା ସରକାରୀ ଗେଷ୍ଟ ହାଉସ୍‌ ପରିଚାଳନା ଦାୟିତ୍ୱ ନେଇଥିଲା ସିସୋର ସଂସ୍ଥା। ଏବେ ସିବିଆଇ ଜାଣିବାକୁ ଚାହୁଁଛି ଯେ ସଂପୃକ୍ତ ସହିତ ବୁଝାମଣା ସ୍ୱାକ୍ଷର କରିବା ପୂର୍ବରୁ ସିସୋର ସଂପର୍କରେ ସରକାର ଖୋଳତା଼ଡ଼ କରିଥିଲେ ନା ନାହିଁ। ଏହି ସଂପର୍କ ଭିତରେ ଅପରାଧିକ ଷ଼଼ଡ଼ଯନ୍ତ୍ରର ଖିଅ ଖୋଜୁଛନ୍ତି ସିବିଆଇ ଅଧିକାରୀ। ସେହିଭଳି ଶ୍ରୀ ରାୟ ସେ ସମୟରେ ପର୍ଯ୍ୟଟନ ବିଭାଗର ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିବା କାରଣରୁ ତାଙ୍କୁ ସମନ ହୋଇଥିବା ସୂଚନା ମିିଳିଛି।

ସ୍ମରଣଯୋଗ୍ୟ, ଏହି ମାମଲାର ସିବିଆଇ ପୂର୍ବରୁ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ରାଜନୈତିକ ସଚିବ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କୁ ଡାକି ପଚରାଉଚରା କରିଛି। ଏବେ ପର୍ଯ୍ୟଟନ ବିଭାଗର ତତ୍କାଳୀନ ଅଧିକାରୀଙ୍କୁ ଡାକିବା ଅର୍ଥ ଏ ଦିଗରେ ଅଧାରେ ଥିବା ତଦନ୍ତ ଆରମ୍ଭ ହେବ। ସେହିଭଳି ଏହି ଦଫାରେ ଶୁଭଙ୍କର ଡାଏରି ଖୋଲିପାରେ। ଏଥିରେ ଥିବା କିଛି ବରିଷ୍ଠ ଅଧିକାରୀଙ୍କୁ ସିବିଆଇ ଡାକି ଜେରା କରିବା ଲାଗି ଯୋଜନା ଚଳାଇଛି।

ପୂର୍ବରୁ ସିବିଆଇ ସିସୋର ସହିତ ଆପିକଲ ସଂପର୍କ ନେଇ ତଦନ୍ତ କରିଥିଲା। ଆପିକଲର ତତ୍କାଳୀନ ଅଧ୍ୟକ୍ଷ ବାଳକୃଷ୍ଣ ରଥଙ୍କ ଘରେ ଚଢାଉ କରିଥିଲା ସିବିଆଇ। କେବଳ ସେତିକି ନୁହେଁ, ଆପିକଲର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ତାନା ଗତ ୧୮ ତାରିଖ ଦିନ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ଚିଟ୍‌ଫଣ୍ଡ କେଳେଙ୍କାରି ତଦନ୍ତ ସମୀକ୍ଷା କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ସହିତ ସିବିଆଇର ରୁଦ୍ଧଦ୍ୱାର ବୈଠକ ସେ ସମୟରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। କେଉଁ କେଉଁ ମାମଲାରେ ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ସେ ନେଇ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ରାକେଶ ଆସ୍ତାନା। ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରିବାକୁ ନିର୍ଦେଶ ଦେଇଥିଲେ।

୨୦୧୪ ମସିହା ନଭେମ୍ବର ମାସଠାରୁ ସିବିଆଇ ୪୪ଟି ଚିଟ୍‌ଫଣ୍ଡ କମ୍ପାନିର ତଦନ୍ତ କରୁଛି। ଏଯାଏ ୩୩ଟି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଥିବାବେଳେ ଅନ୍ୟଗୁଡିକର ତଦନ୍ତ ଏବେ ବି ଜାରି ରହିଛି। ତେବେ ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋଫାଇନାନ୍ସ ଭଳି ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ଖୋଲାଥିବାରୁ ସିବିଆଇ ମାମଲା ସହିତ ସଂପୃକ୍ତ ରାଜନେତା, ଆଇପିଏସ୍‌ ଅଫିସର ଓ କିଛି ସରକାରୀ ଅଧିକାରୀଙ୍କ ପାଖରେ ପହଞ୍ଚିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।

ଏହା ପୂର୍ବରୁ ସିସୋର ମାମଲାରେ କଂପାନିର ମୁଖିଆ ପ୍ରଶାନ୍ତ ଦାଶ ଓ ତାଙ୍କ ଭାଇ ପ୍ରଭାତ ଦାଶଙ୍କ ସହିତ ମଧ୍ୟସ୍ଥ ଶୁଭଙ୍କର ନାୟକ, ବିଧାୟକ ପ୍ରଭାତ ବିଶ୍ୱାଳ, ଶ୍ରୀ ହୋତା ପ୍ରମୁଖଙ୍କୁ ଗିରଫ କରାଯାଇଛି। ଏହାବ୍ୟତୀତ ଦୁଇଜଣ ଆଇପିଏସ୍‌ ଅଫିସରଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।

ସମ୍ବନ୍ଧିତ ଖବର