କଟକ: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଫେବ୍ରୁଆରି ୧୨ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସରକାରଙ୍କ ତରଫରୁ ନବ ଦାସଙ୍କ ହତ୍ୟା ମାମଲାର ‌ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୋଧରେ ଚାର୍ଜସିଟ ଦାଖଲ ପରେ ମାମଲାର ଅଦାଲତରେ କମିଟ୍‌ମେଣ୍ଟ ହୋଇଥିଲା। ଝାରସୁଗୁଡ଼ା ଅତିରିକ୍ତ  ଦୌରା/ସ୍ବତନ୍ତ୍ର ଜଜ୍ ଅଦାଲତରେ ଅଭିଯୁକ୍ତ ବିରୋଧରେ ୨୦୨୩ ସେପ୍ଟେମ୍ବର ୧୪ରେ ଚାର୍ଜଫ୍ରେମ୍ ହୋଇଥିଲା। ଅତିରିକ୍ତ ଦୌରା/ସ୍ବତନ୍ତ୍ର ଜଜ୍ ଅଦାଲତରେ ମାମଲାର ଟ୍ରାଏଲ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହୋଇ ସାରିଛି। ୧୭୯ଜଣ ସାକ୍ଷୀଙ୍କ ମଧ୍ୟରୁ ୨୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ଓ ଜେରା ସଂପୂର୍ଣ୍ଣ ହୋଇ ସାରିଛି।

Advertisment

ମାର୍ଚ୍ଚ ୧୩କୁ ଟ୍ରାଏଲ୍‌ ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ପ୍ରଦାନ ଆବଶ୍ୟକ ନାହିଁ ବୋଲି କହିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୧୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ କେନ୍ଦ୍ର, ରାଜ୍ୟ ସରକାର, ପୁଲିସ ଡିଜି, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟଜିତ ମୁଖାର୍ଜୀ ଓ ସରକାରଙ୍କ ପକ୍ଷରୁ ଏଜିଏ ବି.ଦାଶ ମାମଲା ପରିଚାଳନା କରୁଥିଲେ।