ସିବିଆଇ ବିବାଦ: ବିଦା ହେଲେ ଆଲୋକ ବର୍ମା

ନାଗେଶ୍ବର ରାଓଙ୍କୁ ଅସ୍ଥାୟୀ ଦାୟିତ୍ବ, ଅଗ୍ନିଶମ ସେବାର ଡିଜି ହେଲେ ବର୍ମା

ନୂଆଦିଲ୍ଲୀ: ଏକ ଅଭୂତପୂର୍ବ ଘଟଣାକ୍ରମେ ଆଜି ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଦିଆଯାଇଛି। ଦୁର୍ନୀତି ଏବଂ ଦାୟିତ୍ବରେ ଅବହେଳା ଅଭିଯୋଗରେ ବର୍ମାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉ୍ଚ୍ଚକ୍ଷମତା ସଂପନ୍ନ ମନୋନୟନ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଲୋକ ବର୍ମାଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରେ ସରୁଥିବା ବେଳେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ସିବିଆଇର ୫୫ ବର୍ଷ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। କୌଣସି ସିବିଆଇ ନିର୍ଦେଶକଙ୍କୁ ଏଭଳି ଢଙ୍ଗର କେ‌େବହେଲେ ବିଦା କରାଯାଇ ନଥିଲା। ବର୍ମାଙ୍କ ସ୍ଥାନରେ ଓଡ଼ିଶା କ୍ୟାଡରର ଆଇପିଏସ୍ ଅଧିକାରୀ ନାଗେଶ୍ବର ରାଓଙ୍କୁ ସିବିଆଇର ଅନ୍ତରୀଣ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟାଦେଶ ବା ନୂଆ ନିର୍ଦେଶକ ନିଯୁକ୍ତି ପର୍ଯ୍ୟନ୍ତ ‌ସେ ଏହି ଦାୟିତ୍ବରେ ରହିବେ। ଅନ୍ୟପକ୍ଷରେ ୧୯୭୯ ବ୍ୟାଚର ଆଇପିଏସ୍ ଅଫିସର ବର୍ମାଙ୍କୁ ଅଗ୍ନିଶମ ସେବା, ସିଭିଲ ଡିଫେନ୍ସ ଏବଂ‌ ହୋମଗାର୍ଡ ସେବାର ମହାନିର୍ଦେଶକ (ଡିଜି) ରୂପେ ନିଯୁକ୍ତ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବ ତୁଲାଇବେ। ଆଜି ରାତିରେ‌ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। ସୁପ୍ରମି କୋର୍ଟଙ୍କ ନିର୍ଦେଶ କ୍ରମେ (୭୭ ଦିନର ଛୁଟି ପରେ) ଗତକାଲି ସିବିଆଇ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ବର୍ମା। ତାଙ୍କ ସଂପର୍କରେ ନିଷ୍ପତ୍ତି ନେବାଲାଗି ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ମନୋନୟନ କମିଟିର ବୈଠକ ବସିଥିଲା। ବୈଠକ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ବୈଠକରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ମନୋନୀତ ବିଚାରପତି ସିକ୍ରି ଏବଂ ଲୋକସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଉପସ୍ଥିତ ଥିଲେ। ବର୍ମାଙ୍କ ବିରୋଧରେ ମୁଖ୍ୟ ଭିଜିଲାନ୍ସ କମିସନର (ସିଭିସି) ଦେଇଥିବା ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ତାଙ୍କ ବିରୋଧରେ ୮ଟି ଗୁରୁତର ଅଭିଯୋଗ ରହିଥିଲା। ସେସଂପର୍କରେ ସିଭିସି ପ୍ରତିକୂଳ ମନ୍ତବ୍ୟ ଦେଇଥିବାରୁ ବର୍ମାଙ୍କୁ ବିଦା କରିବା ଲାଗି ନିଷ୍ପତ୍ତି ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜଷ୍ଟିସ ସିକ୍ରି କାର୍ଯ୍ୟାନୁଷ୍ଠାନ ପାଇଁ ସହମତ ହୋଇଥିବା ବେଳେ ଖଡଗେ ଏହାର ବିରୋଧ କରିଥିଲେ। ସେ କହିଥିଲେ ଯେ ଯେଉଁ ୭୭ ଦିନ ବର୍ମା ଛୁଟିରେ ରହିଲେ ସେତିକି ଦିନ ତାଙ୍କୁ କାମ କରିବାକୁ ସୁଯୋଗ ଦିଆଯାଉ।

ସୂଚନାଯୋଗ୍ୟ, ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଯୋଗୁଁ କେନ୍ଦ୍ର ସରକାର ଗତ ଅକ୍ଟୋବର ମାସରେ ଉଭୟ ବର୍ମା ଏବଂ ଆସ୍ଥାନାଙ୍କୁ ଛୁଟିରେ ପଠାଇ ଦେଇଥିଲେ। ସିଭିସିଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ରାତିଅଧିଆ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ବର୍ମା ଏହା ବିରୋଧରେ ସୁପ୍ରିମ କୋର୍ଟ ଯାଇଥିଲେ। ଗତ ମଙ୍ଗଳବାର ଦିନ ସୁପ୍ରିମ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଥିଲେ। କୋର୍ଟ କହିଥିଲେ ଯେ ସିବିଆଇ ମୁଖ୍ୟଙ୍କ ସଂପର୍କରେ କେବଳ ମନୋନୟନ କମିଟି ନିଷ୍ପତ୍ତି ନେଇପାରିବେ। ଏହାସହିତ ବର୍ମାଙ୍କୁ ସିବିଆଇ ମୁଖ୍ୟର ଦାୟିତ୍ବ ନେବାକୁ କୋର୍ଟ ଅନୁମତି ଦେଇଥିଲେ। ତେବେ ବର୍ମାଙ୍କ ସଂପର୍କରେ ଏକ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାଲାଗି କମିଟିକୁ କୋର୍ଟ ପରାମର୍ଶ ଦେଇଥିଲେ। ବର୍ମା ଦାୟିତ୍ବ ‌ନେବାର ୩୦ ଘଣ୍ଟା ମଧ୍ୟରେ ତାଙ୍କୁ ବିଦା କରିବା ଲାଗି ମନୋନୟନ କମିଟି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର