ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ସାରା ଓଡ଼ିଶାରେ ଆରମ୍ଭ ହେଲା ‘ଲଣ୍ଡା ଅଭିଯାନ’

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି #ଜଷ୍ଟିସ୍ ଫର୍ ଆଦିତ୍ୟ

ଭୁବନେଶ୍ୱର: ଆନନ୍ଦପୁରରୁ ଆଳି, ରାଜନଗରରୁ ରାଉରକେଲା | ମାନଵପ୍ରେମୀ ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଏକ ଅଭିନବ ଅଭିଯାନ | ଶହ ଶହ ସଂଖ୍ୟାରେ ଯୁବକ ତଥା ଆଦିତ୍ୟଙ୍କ ପ୍ରଶଂସକ ଲଣ୍ଡା ହେବା ସହ ସିବିଆଇ ତଦନ୍ତ କରି ଆଦିତ୍ୟଙ୍କ ମୃତ୍ୟୁ ନେଇ ସତ୍ୟ ଉନ୍ମୋଚନ କରିବାକୁ ଦାବି କରିଛନ୍ତି | ସୋସିଆଲ ମିଡିଆରେ ନିଜର ଯୁକ୍ତିକୁ ଉପସ୍ଥାପନ କରିବାକୁ ଯାଇ ସମସ୍ତେ ଲଣ୍ଡା ହେବା ପରେ ହାତରେ ପ୍ଲାକାର୍ଡ଼ ଖଣ୍ଡେ ଧରି ‘ଆଦିତ୍ୟ ଭାଇଙ୍କୁ ନ୍ୟାୟ ମିଳୁ’ ବୋଲି ଦାବି କରିଛନ୍ତି |

କେବଳ ସିବିଆଇ ତଦନ୍ତରେ ଅଟକିନାହାନ୍ତି ସମର୍ଥକ | ଅପରାଧୀ ଓ ଅପରାଧୀମାନଙ୍କ ସୁରକ୍ଷାକାରୀମାନଙ୍କୁ ଜୀବିତ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଲଣ୍ଡା ହୋଇଛନ୍ତି | ଅନ୍ୟପଟେ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନେଇ ଖୋଳତାଡ କରୁଛି ଜିଆରପି । ଆଦିତ୍ୟଙ୍କ ପତ୍ନୀ, ତାଙ୍କ ବାପା, ମା ଓ ସମସ୍ତ ସାଂଗଙ୍କୁ ପଚରାଉଚରା ପରେ ଏବେ ପତ୍ନୀ ବିଦ୍ୟାଶ୍ରୀଙ୍କ ବାପ ଘରେ ଜିଆରପି ପୁଲିସ ପହଂଚି ପଚରାଉଚରା କରିଛି । କଟକସ୍ଥିତ ବାସଭବନରେ ଜିଆରପି ପୁଲିସର ଏକ ଟିମ୍  ପହଂଚି ବିଦ୍ୟାଶ୍ରୀଙ୍କ ଘର ଲୋକଙ୍କୁ ପଚରାଉଚରା କରିଛି ।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ ଲାଗି ରହିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ଏଠାରେ ସୂଚନା ଥାଉ କି ଗତ ସପ୍ତାହରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ କ୍ଷତବିକ୍ଷତ ମୃତଦେହ ଲିଙ୍ଗରାଜ ଷ୍ଟେସନର ରେଳ ଧାରଣାରୁ ମିଳିଥିଲା । ଏହା ହତ୍ୟା କି ଆତ୍ମହତ୍ୟା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ସ‌ନ୍ଦେହ ଘେରକୁ ଅନେକ ଲୋକ ଆସିଥିଲେ ମଧ୍ୟ ପୁଲିସ ଏବେ ସତ ପାଖରେ ପହଞ୍ଚିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର