ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି: ହସ୍ତକ୍ଷେପ ପାଇଁ ମନାକଲେ ହାଇକୋର୍ଟ

କଟକ : ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ରୁଜୁ ମାମଲାରେ ହସ୍ତକ୍ଷେପ କରିବାକୁ ଆଜି ହାଇକୋର୍ଟ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆବେଦନରେ ରହିଥିବା କେତେକ ତ୍ରୁଟି ଦୂର ପାଇଁ ସମୟ ଲୋଡ଼ା ଯାଇଥିଲା। ଅନ୍ୟପକ୍ଷରେ ଘଟଣାକୁ ଆଜି ମାତ୍ର ୧୧ ଦିନ ହୋଇଛି ତଦନ୍ତ ଚାଲିଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଖବର କ‌ାଗଜରେ ପ୍ରକାଶିତ ଖବର ଆଧାରରେ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଥି ସହିତ ଘଟଣାର ତଦନ୍ତ ଚାଲିଥିବାରୁ ହାଇକୋର୍ଟ ଏହି ପ୍ରସଂଗରେ ବର୍ତ୍ତମାନ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଦାୟର ଏହି ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ। ତେଣୁ ଏହି ମାମଲାର ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଉ। ମନ୍ତ୍ରୀଙ୍କ ହତ୍ୟା ପଛରେ ଷଡ଼୍‌ଯନ୍ତ୍ର ରହିଛି ଯେଉଁଥିରେ ରାଜନେତା, ଉଚ୍ଚ ପଦରେ ଥିବା ସରକାରୀ ଅଧିକାରୀ ସଂପୃକ୍ତ ରହିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତରେ ସତ ପଦାକୁ ଆସିବାର ଆଶା କମ୍‌। ତେଣୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୋପାଳ ପ୍ରାସାଦ ଜେନା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର