ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗ: ସତ୍ୟପା‌ଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ଯୁବ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ଦାୟର ମାମଲାରେ ପକ୍ଷ ରଖିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୫ରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ ଶ୍ରୀ ମହାପାତ୍ର ଅକ୍ଟୋବର ୪ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ଘଟଣାର ସିବିଆଇ ଭଳି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦିଆଯାଉ ନଚେତ ଅଦାଲତଙ୍କ ତଦାରଖରେ ଏସ୍‌ଆଇଟି ତଦନ୍ତ କରାଯାଉ। ଗତ ଜୁଲାଇ ୧୨ରେ ସୌମ୍ୟରଂଜନଙ୍କ ଶରୀରରେ ସନ୍ଦେହଜନକ ପରିସ୍ଥିତିରେ ନିଆଁ ଲାଗି ଯାଇଥିବା ବେଳେ ୧୩ ତାରିଖ ଦିନ କଟକର ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଗଷ୍ଟ ୧୪ରୁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏ ପର୍ଯ୍ୟନ୍ତ ସୌମ୍ୟରଂଜନଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ କରାଯାଇ ନାହିଁ।

ରାଜ୍ୟ ପୁଲିସ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାର ଉପଯୁକ୍ତ ତଦନ୍ତ କରିବ ବୋଲି ଆଶା ନାହିଁ। ଘଟଣାର ସ୍ବାଧୀନ ତଦନ୍ତ ଦ୍ବାରା ସୌମ୍ୟରଂଜନଙ୍କ ମୃତ୍ୟୁ ପଛରେ ରହିଥିବା ପ୍ରକୃତ ସତ୍ୟ ସମ୍ମୁଖକୁ ଆସିବ ‌ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ଆବେଦନରେ ଦର୍ଶାଯାଇଛି। ଘଟଣାର ସ୍ବାଧୀନ, ସ୍ବଚ୍ଛ, ନିରପେକ୍ଷ ତଦନ୍ତ ପାଇଁ ସିବିଆଇ କିମ୍ବା ଅଦାଲତଙ୍କ ତଦାରଖରେ ଏସଆଇଟି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, କ୍ରାଇମବ୍ରାଞ୍ଚ ଏଡିଜି, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ସାରଥୀ ନାୟକ, ଆର୍‌. ବେହେରା, ଏସ୍‌ଏସ୍‌ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର