ଭୁବନେଶ୍ବର: ରାଜ୍ୟରେ କୃଷି ଯନ୍ତ୍ରପାତି କିଣାରେ ଦିଆଯାଉଥିବା ରିହାତି କାରବାରରେ ବ୍ୟାପକ ଦୁର୍ନୀତି ହୋଇଛି। ତେଣୁ ଏହାର ସିବିଆଇ ତଦନ୍ତ କରାଯାଉ। ସେହିପରି ରାଜ୍ୟରେ ଧାନ କିଣାରେ ମଣ୍ଡିସ୍ତରରୁ ନେଇ ମନ୍ତ୍ରୀସ୍ତର ପର୍ଯ୍ୟନ୍ତ ବ୍ୟାପକ ଅବ୍ୟବସ୍ଥା ଓ ଚରମ ଦୁର୍ନୀତି ପାଇଁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଦୀର୍ଘଦିନରୁ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲିଥିବା ଏହି ମହାଦୁର୍ନୀତିର ସିବିଆଇ ତଦନ୍ତ ହେଉ ବୋଲି ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟର ଚାଷୀଙ୍କ ଦୁଃଖ ଦୂର ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ସମ୍ବେଦନହୀନ ଚାଷ ଓ ଚାଷୀ ବିରୋଧୀ ବିଜୁ ଜନତା ଦଳ ସରକାର ନବୀନ ବାବୁଙ୍କ ନେତୃତ୍ୱରେ ଦୀର୍ଘଦିନରୁ ଚାଲିଛି। ରାଜ୍ୟ ସରକାର ଚାଷ ଓ ଚାଷୀ ପାଇଁ କୌଣସି ଅଗ୍ରାଧିକାର ଦେଇନାହାନ୍ତି କିମ୍ବା ପ୍ରାଥମିକତା ନାହିଁ। କେନ୍ଦ୍ର ସରକାରଙ୍କ ଦିଆଯାଉଥିବା ରିହାତି ମୂଲ୍ୟର ସାରକୁ ସମବାୟ ବିଭାଗକୁ କମ୍ ଓ ଘରୋଇ ବିତରକମାନଙ୍କୁ ଅଧିକ ପରିମାଣରେ ଆବଣ୍ଟନ କରାଯାଉଛି।

Advertisment

ଘରୋଇ ବିତରକମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ଥିବା ହେତୁ ସାରର କଳାବଜାରୀ ସହ ଚଢ଼ା ଦରରେ ବିକ୍ରି ହେଉଛି। ଫଳରେ ଚାଷୀମାନେ ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସହିତ ଠିକ୍ ସମୟରେ ସାର ପାଇପାରୁନାହାନ୍ତି। ଏହି ଅବସରରେ ଅଗଷ୍ଟ ୧୫ ପରିବର୍ତ୍ତେ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଷୀ ପଞ୍ଜୀକରଣ ସମୟ ଅବଧି ବୃଦ୍ଧି କରାଯାଉ ବୋଲି ଶ୍ରୀ ସାହୁ ଦାବି କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ କୃଷକ ମୋର୍ଚ୍ଚାର ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ଚଇନି, ବିକ୍ରମ କେଶରୀ ରାଉତରାୟ, ଅଶୋକ ରଥ, ଉପେନ୍ଦ୍ର ଭଞ୍ଜ, ଅଜୟ ପ୍ରଧାନ, ମଦନମୋହନ ପ୍ରଧାନ, ଶୁଭ୍ରାଂଶୁ ମୋହନ ପାଢ଼ୀ, ଶଙ୍କରଶନ ଜେନା, ଦିବ୍ୟଶଙ୍କର ଭୋଇ, ଭବେନ୍ଦ୍ର ପଣ୍ଡା, ପ୍ରଦୀପ ପତ୍ରି, ସୂର୍ଯ୍ୟନାରାୟଣ ମହାପାତ୍ର, ବିକ୍ରମ ପ୍ରଧାନ, ସନ୍ତୋଷ କୁମାର ସାହୁ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।