ରାଉରକେଲା : ଆଜି କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ରାଉରକେଲାସ୍ଥିତ ସରକାରୀ ବାସଭବନରେ ସିବିଆଇ ଟିମ୍‌ ଚଢ଼ଉ କରିଛନ୍ତି। ଅଧିକାରୀ ଜଣକ ହେଉଛନ୍ତି ରାଉରକେଲା କେନ୍ଦ୍ରୀୟ ଜିଏସ୍‌ଟି ଉପଆୟୁକ୍ତ ଆସିକ୍‌ ଜମାଲ। ରବିଶଙ୍କରଙ୍କ ନେତୃତ୍ବରେ ସିବିଆଇର ରାଞ୍ଚି ଶାଖାରୁ ଏକ ୫ ଜଣିଆ ଟିମ୍‌ ରାଉରକେଲା ଆସି ସ୍ଥାନୀୟ ସିବିଆଇ ଅଧିକାରୀଙ୍କ ସହାୟତାରେ ସେକ୍ଟର-୬, ସି -୮୧ସ୍ଥିତ ଶ୍ରୀ ଜମାଲଙ୍କ ଘରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସକାଳ ୭ଟାରୁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ଶନିବାର ସିଭିଲ୍‌ଟାଉନସିପ୍‌ ସ୍ଥିତ ତାଙ୍କ ଅଫିସ ବନ୍ଦ ଥିବାରୁ ଟିମ୍‌ ସେଠାକୁ ନଯାଇ ରାଞ୍ଚି ଫେରି ଯାଇଥିଲେ। ଚଢ଼ଉବେଳେ ଶ୍ରୀ ଜମାଲଙ୍କ ସରକାରୀ ବାସଭବନରୁ ସେମାନେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ନେଇଥିବା ଜଣାପଡିଛି। ଚଢ଼ଉର କାରଣ ସଂକ୍ରାନ୍ତରେ ସଂପୃକ୍ତ ସିବିଆଇ ଅଧିକାରୀମାନେ କିଛି କହି ନଥିଲେ।

Advertisment

ମିଳିଥିବା ସୂଚନା ମୁତାବକ, ଆସିକ୍‌ ଜମାଲ ରାଉରକେଲା କେନ୍ଦ୍ରୀୟ ଜିଏସ୍‌ଟି ଉପଆୟୁକ୍ତ ଭାବେ ନିଯୁକ୍ତି ପାଇବା ପୂର୍ବରୁ ମୁମ୍ବାଇ କଷ୍ଟମ୍‌ ବିଭାଗରେ ଅବସ୍ଥାପିତ ଥିଲେ। ସେତେବେଳେ ଏକ ଦୁର୍ନୀତିକୁ ନେଇ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୧୮ ଜୁଲାଇ ମାସରେ ତାଙ୍କୁ ରାଉରକେଲା କେନ୍ଦ୍ରୀୟ ଜିଏସ୍‌ଟିର ଉପଆଯୁକ୍ତ ଭାବେ ବଦଳି କରାଯାଇଥିଲା। ରାଉରକେଲାରେ ଅବସ୍ଥାପିତ ହେବାର ଦୁଇ ମାସ ପରେ ତାଙ୍କର ନିଲମ୍ବନ ଆଦେଶ ଆସିଥିଲା। ତାପରେ ବିଭାଗ ତାଙ୍କଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରି ନେଇଥିଲା।