ଦେବୀ ମିଶ୍ରଙ୍କ ଘରେ ସିବିଆଇ, ପୁଣି ସି-ସୋର୍ କେଳେଙ୍କାରୀ ତନାଘନା ଆରମ୍ଭ

ଦୀର୍ଘ ନିରବତା ପରେ ଟ୍ରାକ୍‌କୁ ଫେରିଲା ତଦନ୍ତ

ଏକସଙ୍ଗରେ ୮ଟି ସ୍ଥାନରେ ଚଢ଼ଉ
ରବି ନନ୍ଦଙ୍କ ଘରେ ବି ଚଢ଼ଉ
ରାଜନୈତିକ ବୟାନବାଜି ଆରମ୍ଭ

ଭୁବନେଶ୍ୱର : ଦୀର୍ଘମାସର ନିରବତା ଭାଙ୍ଗି ବହୁଚର୍ଚ୍ଚିତ ଚିଟ୍‌‌ଫଣ୍ଡ କେଳେଙ୍କାରୀ ମାମଲାରେ ସିବିଆଇ ତାର ତଦନ୍ତକୁ ପୁଣି ଟ୍ରାକ୍‌କୁ ଫେରାଇ ଆଣିଛି। ଆଜି ହଠାତ୍ ସିବିଆଇ ଅଧିକାରୀମାନେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନର ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସରକାରୀ ଓ ପୈତୃକ ବାସଭବନ ସମେତ ମୋଟ ୮ଟି ଜାଗାରେ ଏକସଙ୍ଗରେ ଚଢ଼ଉ କରିଛନ୍ତି। ଭୁବନେଶ୍ବର ୟୁନିଟ୍-୧ ସ୍ଥିତ ବାସଭବନରେ ଦୀର୍ଘ ସମୟ ଧରି ଶ୍ରୀ ମିଶ୍ରଙ୍କୁ ପଚରାଉଚରା କରାଯାଇଛି ଓ ସିବିଆଇ ଅଧିକାରୀମାନେ ଫେରିବା ବେଳେ ସାଙ୍ଗରେ କିଛି ଜରୁରୀ କାଗଜପତ୍ର ଜବତ କରି ନେଇଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜିର ଚଢ଼ଉ ସି-ସୋର୍ ମାମଲା ସଂପର୍କିତ ରହିଥିଲା। କଟକ ମହାନଦୀ ପଠାରେ ସିସୋର୍‌କୁ ବୋଟିଂ ଲିଜ୍ ମାମଲାରେ ସିବିଆଇ ଯେଉଁ ତନାଘନା ଚଳାଇଥିଲା, ସେ ସଂକ୍ରାନ୍ତରେ ଅଧିକ ତଦନ୍ତ ଓ ପଚରାଉଚରା ଲାଗି ଆଜିର ରେଡ୍ ଉଦ୍ଦିଷ୍ଟ ଥିଲା। ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଶ୍ରୀ ମିଶ୍ର ସି-ସୋର୍‌କୁ ଅନୁଗ୍ରହ ଦେଖାଇ ଏହି ପ୍ରକଳ୍ପ ଦେଇଥିବା ଅଭିଯୋଗ ଉଠିଥିଲା ଓ ତା ଆଧାରରେ ପୂର୍ବରୁ ଦେବୀଙ୍କ ଦୁଇ ଘନିଷ୍ଠ ସହଯୋଗୀ ଦିଲ୍ଲୀପ ମିଶ୍ର ଓ ପ୍ରଫୁଲ୍ଲ ସିଂଙ୍କୁ ସିବିଆଇ ଏକାଧିକବାର ଡାକି ପଚରାଉଚରା କରିଥିଲା।

ସିବିଆଇର ଆଜିର ରେଡ୍ ପରେ ବିଜେଡ଼ି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଗକୁ ବିଜେଡି ଦୁଇ ଦୁଇଟି ଉପ ନିର୍ବାଚନ ସାମ୍ନା କରିବାକୁ ଯାଉଥିବା ବେଳେ ପୁଣି ଜଣେ ବରିଷ୍ଠ ବିଧାୟକଙ୍କୁ ସିବିଆଇ ତା’ର ପଞ୍ଝାକୁ ନେବା ଲାଗି କସରତ ଆରମ୍ଭ କରିଦେଇଛି। ପୂର୍ବରୁ ସି-ସୋର୍ ମାମଲାରେ ବିଧାୟକ ପ୍ରଭାତ ବିଶ୍ବାଳଙ୍କୁ ସିବିଆଇ ଗିରଫ କରିଥିଲା ଓ ସେ ଏବେ ଜାମିନରେ ଅଛନ୍ତି। ୫୦୦ କୋଟିର ଏହି କେଳେଙ୍କାରୀ ମାମଲାରେ ଅନେକ ଆଇଏଏସ୍ ଅଫିସର ଓ ଆଇପିଏସ୍ ଅଫିସରଙ୍କ ନାମ ବି ଚର୍ଚ୍ଚାରେ ରହିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ସିବିଆଇ ପଚରାଉଚରା କରିଛି ଓ ଆଉ କେତେ ଜଣ ଏବେ ବି ଜେରାର ସାମ୍ନା କରିନାହାନ୍ତି।

ତେବେ ସିବିଆଇ ରେଡ୍‌ ସଂପର୍କରେ ନିଜେ ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨୦୧୪ ମସିହାରୁ ଏହାର ତଦନ୍ତ ଚାଲିଛି। ନୌବିହାର ପ୍ରସଙ୍ଗରେ ସିବିଆଇ ତଦନ୍ତ କରୁଛି। ଏହି ପ୍ରକଳ୍ପ ନେଇ ସରକାରଙ୍କ ଯାହା ନିଷ୍ପତ୍ତି ଥିଲା ତାହା ସେ ମନ୍ତ୍ରୀ ଭାବେ ତୁଲାଇଥିଲେ। ନିଷ୍ପତ୍ତି ତାଙ୍କର ନିଜସ୍ବ ନୁହେଁ। ଆଗରୁ ତାଙ୍କୁ ନୋଟିସ ହୋଇଥିଲା ଓ ସେ ହାଜର ହୋଇଥିଲେ। ସବୁବେଳେ ସେମାନଙ୍କୁ ସହଯୋଗ କରି ଆସିଛି ବୋଲି ସିବିଆଇ ଉଦ୍ଦେଶ୍ୟରେ ଶ୍ରୀ ମିଶ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏମିତିରେ ବି ସିବିଆଇ ପୂର୍ବରୁ ବିଭାଗରୁ ଏ ସଂକ୍ରାନ୍ତ ଫାଇଲ ନେଇଛନ୍ତି ଓ ପଚାରିଛନ୍ତି। ଆଜି ପୁଣି ଥରେ ସେସବୁ ପ୍ରସଙ୍ଗ ଉଠାଇ ସେମାନେ କାଗଜପତ୍ର ମାଗିଥିଲେ। ବିଧାନସଭା କମିଟି ଠାରୁ ଆରମ୍ଭ କରି ଯେତେବେଳେ ଏହି ପ୍ରସଙ୍ଗ ନେଇ ଯାହା କିଛି ଆଲୋଚନା ଏବଂ ନିଷ୍ପତ୍ତି ହୋଇଛି, ତାର ବିବରଣୀ ରହିଥିଲା। ସେମାନେ କିଛି ପ୍ରଶ୍ନ ପଚାରିଥିଲେ ଓ ସେସବୁ କାଗଜପତ୍ର ଦେଖିଥିଲେ। ଏସବୁର ନକଲ ନେଇଛନ୍ତି ଓ ଏକ ବ୍ଲାଙ୍କ୍ ଚେକ୍ ବି। ଶ୍ରୀ ମିଶ୍ର କହିଥିଲେ, ସେ କରୋନା ପରବର୍ତୀ ସଙ୍ଗରୋଧରେ ଅଛନ୍ତି। ଗତକାଲି ସିବିଆଇ ଅଧିକାରୀମାନଙ୍କୁ ସେ ଏକଥା ଜଣାଇଥିଲେ। ତା ସତ୍ତ୍ବେ ସେମାନେ ଆସିବେ ବୋଲି ଆଗ୍ରହ ଦେଖାଇବାରୁ ତାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଛି। ଗତ ୭ବର୍ଷ ଧରି ବି ଅନୁରୂପ ଢଙ୍ଗରେ ସେ ସହଯୋଗ କରିଆସିଛନ୍ତି।

ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ସୂଚନା ମିଳିଛି ଯେ ଆଜି ସକାଳ ୭ଟାରୁ ଦେବୀ ମିଶ୍ରଙ୍କ ଘର ରେଡ୍ କରାଯାଇଥିଲା। ସି-ସୋର୍ ସଂପର୍କରେ ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଚିଟ୍‌ଫଣ୍ଡ ମାମଲା ସଂକ୍ରାନ୍ତ ବହୁ ଦିଗ ଉପରେ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରାଯାଇଥିଲା। ସେ ମନ୍ତ୍ରୀ ଥିବା ବେଳେ କେଉଁଭଳି ଭାବେ ସି-ସୋର୍‌କୁ ଏହି ପ୍ରକଳ୍ପ ଦିଆଗଲା, ଆଉ କେଉଁ କେଉଁ ପ୍ରକଳ୍ପ ଦିଆଯାଇଥିଲା, ସେସବୁର ଚୟନ ପ୍ରକ୍ରିୟା ଆଦି ସମସ୍ତ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା। ସି-ସୋର୍‌ର ଆଦୌ କୌଣସି ଅଭିଜ୍ଞତା ନ ଥିବା ବେଳେ କିଭଳି ଏତେ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ତାଙ୍କୁ ଦିଆଗଲା, ଏଥିପାଇଁ କିଏ ପ୍ରଥମେ ପ୍ରସ୍ତାବ ଦେଇଥିଲେ ବା ସୁପାରିସ କରିଥିଲେ, ଏସବୁ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ କଥା ହୋଇଥିଲା। ଆଜି ସିବିଆଇ ଟିମ୍ ଶ୍ରୀ ମିଶ୍ରଙ୍କର ନରସିଂହପୁରସ୍ଥିତ ପୈତୃକ ବାସଭବନ ସମେତ ଭଦ୍ରକ, କଟକ, ବରମୁଣ୍ଡା, ପଟିଆ ଆଦି ସ୍ଥାନରେ ମଧ୍ୟ ଏହି ଲିଙ୍କ୍‌ରେ ଚଢଉ କରିଥିବା ସୂଚନା ମିଳିଛି। ସେହିଭଳି ସିବିଆଇ ଆଜି ମହାରାଷ୍ଟ୍ରର ଥାନେ ସ୍ଥିତ ସ୍ବାଗତିକା ଇନପାକ୍ସ ପ୍ରାଇଭେଟ୍ ଲିମିଟେଡ୍ ଏମ୍‌ଡି ପ୍ରଶାନ୍ତ କୁମାର ପଟ୍ଟନାୟକ ଏବଂ ୧୪୧ ଏଭେନ୍ୟୁ ପ୍ରାଇଭେଟ୍ ଲିମିଟେ଼ଡ୍‌ର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ଘରେ ବି ସି-ସୋର୍ ଲିଙ୍କ୍‌ରେ ରେଡ୍ ହୋଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ, ପୂର୍ବତନ ପର୍ଯ୍ୟଟନ ନିର୍ଦେଶକ ରବି ନାରାୟଣ ନନ୍ଦଙ୍କ ଘରେ ବି ସିବିଆଇ ରେଡ୍ ହୋଇଛି।

ତେବେ ଆଜିର ହଠାତ୍ ସିବିଆଇ ଚଢଉ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏଥିସହିତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। କଂଗ୍ରେସ ସିବିଆଇ ତନାଘନାକୁ ସମାଲୋଚନା କରିଥିବା ବେଳେ ବିଜେପି କହିଛି, ଯିଏ ଦୋଷ କରିବ ସେ ଦଣ୍ଡ ପାଇବ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆଜି କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମକୁ କହିଛନ୍ତି, ବର୍ତ୍ତମାନ ଉପନିର୍ବାଚନ ଅଛି। ତେଣୁ ଝଲକ ଦେଖାଇବା ପାଇଁ ସିବିଆଇ ରେଡ଼ କରିଛି। ୪ ଦିନ ତଳେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି ବିଜେପିକୁ ସମର୍ଥନ କରିଛି। ସାରା ଓଡିଶା ଲୋକ ଜାଣିଛନ୍ତି ଯେ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏବେ ଆମେ ଅଲଗା ଅଛୁ ବୋଲି ଲୋକଙ୍କୁ ପ୍ରମାଣିତ କରିବା ପାଇଁ ବିଜେଡିଠୁ ଅନୁମତି ନେଇ ସିବିଆଇ ଦେବୀ ମିଶ୍ରଙ୍କ ଘରେ ରେଡ଼ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ବିଜେପି ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯିଏ ପାପ କରିଛି ତାର ଦଣ୍ଡ ବିଧାନ ହେବ। ସିବିଆଇ ରେଡ୍ ସହିତ ଉପ-ନିର୍ବାଚନ ସମ୍ପର୍କ କିଛି ନାହିଁ। ସାଧାରଣ ଲୋକଙ୍କ ପଇସା ହଡ଼ପକାରୀ ଯିଏ, ସିଏ ଆଜି ନହେଲେ କାଲି ଦଣ୍ଡ ପାଇବ। ଯିଏ ଯେମିତି କାମ କରିବ ସେ ସେମିତି କା ଦଣ୍ଡ ପାଇବ।

ସେହିଭଳି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସିବିଆଇ ଏହି ମାମଲାରେ ଗତ ୭ ବର୍ଷ ହେଲା ତଦନ୍ତ ଚଳାଇଛି। ତେବେ ସାଧାରଣ ନିର୍ବାଚନ, ଉପନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ଆସିଲେ ପୁଣି ତଦନ୍ତ ଆରମ୍ଭ କରିବା ସହିତ ଚଢ଼ଉ ଓ ନୋଟିସ ପଠାଇ ଦେଉଛି। ନିର୍ବାଚନ ପୂର୍ବରୁ ସିବିଆଇ ଏମିତି କାହିଁକି ସକ୍ରିୟ ହୋଇଉଠେ ଏହା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର