ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା: ୮ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ

ଭୁବନେଶ୍ୱର: ପୁଣି ଆରମ୍ଭ ହେଲା ଚିଟଫଣ୍ଡ ଦୁର୍ନୀତି ନେଇ ଖୋଳତାଡ଼। ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ୮ଟି ସ୍ଥାନରେ ଚଢ଼ାଉ କରିଥିବା ଖବର ହସ୍ତଗତ ହୋଇଛି। ଏଥିରୁ ଆଜି ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିବା ସୂଚନା ମିଳିଛି । ସିବିଆଇ ଆଜି ଭୁବନେଶ୍ୱର ସମେତ କଟକ, ମୁମ୍ବାଇ ଓ ଥାନେରେ ଚଢ଼ାଉ କରିଛି । ଏସବୁ ଅଂଚଳରେ ସିସୋର ଗ୍ରୁପ ଅଫ୍ କଂପାନିର ଚିଟ୍‌ଫଣ୍ଡ କାରବାର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଘର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି  ।

ସୂଚନାଯୋଗ୍ୟ, ସିବିଆଇ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ କରିଛି । ସେହିପରି ତତ୍କାଳୀନ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ରବି ନନ୍ଦଙ୍କ ଘରେ ମଧ୍ୟ ଚଢ଼ାଉ କରିଛି । ସ୍ୱାଗତିକା ଇନଫ୍ରା ଲିଃ ପରଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ଓ ଏଭେନ୍ୟୁ ଆସୋସିଏଟ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ବିଷ୍ଣୁ ମିଶ୍ରଙ୍କ ଘରେ ରେଡ୍ ହୋଇଛି ।

ସବିଆଇ ତଦନ୍ତ ଘଟଣାକ୍ରମ…

ମେ’ ୨୦୧୪ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଚିଟଫଣ୍ଡ ତଦନ୍ତ ହାତକୁ ନେଲା ସିବିଆଇ
ନଭେମ୍ବର ୨୦୧୪ – ମଧ୍ୟସ୍ଥ ଶୁଭଙ୍କର ନାୟକ ଗିରଫ
ଜାନୁଆରି୨୦୧୫ – ସିସୋର ସିକ୍ୟୁରିଟିଜ୍ ନିର୍ଦ୍ଦେଶକ ପ୍ରଭାତ ଦାଶ ଗିରଫ
ଅଗଷ୍ଟ ୨୦୧୬ – ଦେବୀପ୍ରସାଦ ମିଶ୍ରଙ୍କ କର୍ମଚାରୀ ଦିଲୀପ ମିଶ୍ର ଓ ସହଯୋଗୀ ପ୍ରଫୁଲ୍ଲ ସିଂହଙ୍କୁ ପଚରାଉଚରା
ଜାନୁଆରି ୨୦୧୭ – ୩୬ ସ୍ଥାନରେ ସିବିଆଇ ଚଢ଼ାଉ, ସିବିଆଇ ସ୍କାନରରେ ବିଜେଡି ସାଂସଦ, ବିଧାୟକ
ସେପ୍ଟେମ୍ବର ୨୦୧୭ – ତକ୍ରାଳୀନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଗିରଫ
୨୦୧୪-୨୦୧୬ – ଶୁଭଙ୍କର ଡାଏରୀ ଆଧାରରେ ୪ ଆଇପିଏସ ଅଧିକାରୀଙ୍କୁ ପଚରାଉଚରା
ଜୁନ ୨୦୨୦ – ଶୁଭଙ୍କରଙ୍କୁ ପଚରାଉଚରା

ଅନେକ ଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି ସିବିଆଇ । କଟକ ମହାନଦୀ ଏବଂ ଅଟ୍ରିରେ ସି-ସୋରକୁ ବୋଟିଂ ପାର୍କ ଠିକା ଦେବା ନେଇ ଖୋଳତାଡ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଏ ନେଇ ପଚରାଉଚରା କରାଯାଇଛି । ତେବେ ଅଭିଯୋଗ ହେଉଛି, ଯେତିକି ବେଳେ ନିର୍ବାଚନ ଆସୁଛି, ସେତିକି ବେଳେ ସିବିଆଇ ସକ୍ରିୟ ହୋଇ ଉଠୁଛି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମଧ୍ୟ ଏପରି ହୋଇଥିବା ଅଭିଯୋଗ ହେଉଛି ।

ସମ୍ବନ୍ଧିତ ଖବର