ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରାଶାସନିକ ବିଲ୍‌ଡିଂର ମାର୍କେଟିଂ ଓ ପର୍‌ଚେଜିଂ ବିଭାଗ କାର୍ଯ୍ୟାଳୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍‌ ଚଢ଼ଉ କରିଛି। ସିବିଆଇର ଅତିରିକ୍ତ ଏସ୍‌ପି ଏନ୍‌କେ ମୀନା ଓ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ବରେ ଭୁବନେଶ୍ବର କାର୍ଯ୍ୟାଳୟର ୧୫ ଜଣିଆ ଟିମ୍‌ ଚଢ଼ଉରେ ସାମିଲ ହୋଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ବରିଷ୍ଠ ଅଧିକାରୀଙ୍କୁ ପୃଥକ ଭାବେ ପଚରାଉଚୁରା କରିଛନ୍ତି। ପ୍ରାଥମିକ ତଦନ୍ତରୁ ବିଭିନ୍ନ ସାମଗ୍ରୀ କିଣାବିକାରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ହେରଫେର ହୋଇଥିବା ସିବିଆଇ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ବିଭିନ୍ନ ସାମଗ୍ରୀ କିଣାବିକା କାଗଜପତ୍ର ଯାଞ୍ଚରେ ସାଂଘାତିକ ତ୍ରୁଟି ଥିବା ଜାଣିବା ପରେ ୨୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ଜବତ କରି ନେଇ ଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଟେଣ୍ଡର ପ୍ରକ୍ରିୟାରେ ସାମିଲ ଥିବା ବରିଷ୍ଠ ଅଧିକାରୀ ଓ କାମ ପାଇଥିବା ଠିକାସଂସ୍ଥାଗୁଡ଼ିକୁ ମଧ୍ୟ ଜେରା କରିଛି ସିବିଆଇ। ଦୁର୍ନୀତିରେ କେବଳ ବରିଷ୍ଠ ଅଧିକାରୀ ନୁହଁନ୍ତି, 
କିଛି ରାଜନୈତିକ ଦଳର ନେତାଙ୍କ ସମ୍ପୃକ୍ତି ଥିବା ସିବିଆଇ ଜାଣିବାକୁ ପାଇଛି। 

Advertisment

୨୦ରୁ ଅଧିକ ଫାଇଲ୍‌ ଜବତ

ମିଳିଥିବା ସୂଚନା ଅନୁଯାୟୀ ଆର୍‌ଏସ୍‌ପିର ମାର୍କେଟିଂ ଓ ପର୍‌ଚେଜିଂ ବିଭାଗରେ ଗତ ୨୦୨୩ -୨୪ ଆର୍ଥିକ ବର୍ଷରେ ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ‌ଟେଣ୍ଡର ହୋଇଥିଲା। ଠିକାସଂସ୍ଥାଙ୍କ ଜରିଆରେ କୋଟିକୋଟି ଟଙ୍କାର ସାମଗ୍ରୀ କିଣା ହୋଇଥିଲା। ଠିକାସଂସ୍ଥା ସହ ମାର୍କେଟିଂ ଓ ପର୍‌ଚେଜିଂ ବିଭାଗର ବରିଷ୍ଠ ଅଧିକାରୀମାନେ ଭିତିରି ସଲାସୁତୁରା କରି ନିମ୍ନମାନର ସାମଗ୍ରୀକୁ କାଗଜପତ୍ରରେ ଉନ୍ନତ ବୋଲି ଦର୍ଶାଇଥିଲେ। ଏ ବାବଦରେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ‌ହେରଫେର ହୋଇଥିବା କୁହାଯାଉଛି। ତେବେ କେଉଁ ଜିନିଷ କିଣାରେ କେତେ ଟଙ୍କାର ଦୁର୍ନୀତି ହୋଇଛି, ସେ ସମ୍ପର୍କରେ ସିବିଆଇ ଅଧିକାରୀମାନେ ସ୍ପଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ଗତ ୨୦୧୪ ସେପ୍ଟେମ୍ବର ମାସରେ ଆର୍‌ଏସ୍‌ପି ପରିଚାଳନାଧୀନ ବରସୁଆଁ ଲୁହା ଖଣିରେ ସିବିଆଇ ଚଢ଼ଉ କରିଥିଲା। ମୂଲ୍ୟବାନ ଲୁହାପଥରକୁ ନିମ୍ନମାନର ଦର୍ଶାଇ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା କାଗଜପତ୍ର ଯାଞ୍ଚରୁ ଜାଣିବାକୁ ପାଇଥିଲା। ଦୁର୍ନୀତି ଅଭିଯୋଗରେ ଆର୍‌ଏସ୍‌ପି ନୂଆ ପ୍ଲେଟ୍‌ ମିଲ୍‌ର ପୂର୍ବତନ ଡିଜିଏମ୍‌ ରାଜୀବ ରଞ୍ଜନଙ୍କ ସରକାରୀ କ୍ବାର୍ଟର୍ସ ସମେତ ୬ଟି ସ୍ଥାନରେ ସିବିଆଇ ଟିମ୍‌ ଚଢ଼ଉ କରିଥିଲା।