ତାଳଚେର: ତାଳଚେର ଏମ୍‌ସିଏଲ୍‌ର ବଳାରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ଆଜି ସିବିଆଇ ଚଢ଼ଉ କରିଛି। ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ସୂଚନା ମୁତାବକ, ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ କିଛିବର୍ଷ ହେଲା ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍‌ ଟାଇମ୍‌(ଓଟି) ବଢ଼ାଇ ସେମାନଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିଲେ। ତାଙ୍କର ଏଭଳି ଦାଦାଗିରି ଦିନକୁ ଦିନ ବଢ଼ି ଚାଲିଥିଲା। କିଛି ସୁରକ୍ଷା କର୍ମଚାରୀଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଜଣେ ସୁରକ୍ଷା କର୍ମଚାରୀ ମହେଶ ନାଏକ କିଛିଦିନ ପୂର୍ବେ ସିବିଆଇର ଦ୍ବାରସ୍ଥ ହୋଇଥିଲେ। ସିବିଆଇ ପରାମର୍ଶ କ୍ରମେ ମହେଶ ଫେରିଆସି ନିୟମିତ କାର୍ଯ୍ୟ କରୁଥିଲେ।

Advertisment

ଆଜି ମାସର ଶେଷଦିନ ହୋଇଥିବାବେଳେ ଜୟନ୍ତ ବାରିକ ତାଙ୍କୁ ଖଣି ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରକୁ ଡାକିଥିଲେ। ପୂର୍ବରୁ ମହେଶଙ୍କର ଓଟି କରାଇଦେବାକୁ କହି ତାଙ୍କୁ ସାଢ଼େ ୪ ହଜାର ଟଙ୍କା ମାଗିଥିଲେ। ତେବେ ସେ ୩ ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିଲେ। ସିବିଆଇର ପୂର୍ବ ସୂଚନାକ୍ରମେ ମହେଶ ଆଜି ୩ ହଜାର ଟଙ୍କା ଜୟନ୍ତଙ୍କୁ ଧରାଇ ଦେଇଥିଲେ। ପୂର୍ବରୁ ସେଠାରେ ସଜାଗ ଥିବା ସିବିଆଇର ୧୦ ଜଣିଆ ଟିମ୍‌ ଜୟନ୍ତଙ୍କୁ କାବୁ କରିବା ସହ ସେ ଲାଞ୍ଚ ନେଇଥିବା ୩ ହଜାର ଟଙ୍କା, ଓଟି ପକ‌ାଇବା ପାଇଁ ଜୟନ୍ତ ରଖିଥିବା ଚଟିଖାତା ଜବତ କରିଥିଲେ। ଏହାପରେ ସିବିଆଇ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ଛାନ୍‌ଭିନ୍ କରିଥିଲା। ଜୟନ୍ତଙ୍କୁ ସିବିଆଇ ଗିରଫ କରିବା ସହ କଳମଛୁଇଁ ସ୍ଥିତ ତାଙ୍କ ବାସବନରେ ଚଢ଼ଉ କରିଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ଚଢ଼ଉ ଜାରିରହିଥିଲା।