ସିଏମ୍‌ସି ଓ ଓସିଏରେ ସିବିଆଇ ଚଢଉ

ପାଞ୍ଚ ଖେଳାଳିଙ୍କୁ ପଚରାଉଚରା

ଜନ୍ମପ୍ରମାଣପତ୍ରରେ ହେର୍‌ଫେର୍‌ ଧରାପଡ଼ିଲା

କଟକ : ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ଘଟଣାକୁ ନେଇ ଆଜି ସିବିଆଇ ପକ୍ଷରୁ ଓସିଏରେ ପୁଣି ଚଢଉ କରାଯାଇଛି। ଅପରାହ୍ନରେ ସିବିଆଇର ୨ଜଣ ଅଧିକାରୀ ଓସିଏ କାର୍ଯ୍ୟାଳୟରେ ପହଞ୍ଚି ଖେଳାଳିଙ୍କ କାଗଜପତ୍ର ମାଗିଥିଲେ। ପରେ ଓସିଏ କ୍ଲବ୍‌ରେ କ୍ୟାମ୍ପ ଅଫିସ୍‌ ଖୋଲାଯାଇ ସେଠାକୁ ୫ଜଣ କନିଷ୍ଠ ଖେଳାଳିଙ୍କୁ ଡକାଯାଇଥିଲା। ବିସିସିଆଇ ସାଙ୍ଗରେ ଏକାଧିକ ଖେଳାଳିଙ୍କ ବୟସ ସମ୍ପର୍କିତ କାଗଜପତ୍ର ଆଣି ଆସିଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଓସିଏ କ୍ଲବ୍‌ରେ ଏକ ବିବାହ କାର୍ଯ୍ୟକ୍ରମ ଥିବାରୁ ଅଧିକ ଖେଳାଳିଙ୍କୁ ଡକାଯାଇ ନଥିଲା। ଆସନ୍ତାକାଲି ମଧ୍ୟ ଏକାଧିକ ଖେଳାଳିଙ୍କୁ ଡକାଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି। ଏହାପୂର୍ବରୁ ସିଏମ୍‌ସିରେ ସିବିଆଇ ପକ୍ଷରୁ ଚଢଉ କରାଯାଇ କିଛି ଖେଳାଳିଙ୍କ ବୟସ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ୧୯ ବର୍ଷରୁ କମ୍‌ ଦଳର କୁନାଲ ପଣ୍ଡାଙ୍କ ବୟସ ପ୍ରମାଣପତ୍ରରେ ହେରଫେର୍‌ ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ୨୦୦୦ ମସିହାରେ ଜନ୍ମ ହୋଇଥିବା କୁନାଲ୍‌ଙ୍କ ଜନ୍ମ ପ୍ରମାଣପତ୍ର ୨୦୦୨ ମସିହାରେ ପ୍ରଦାନ କରାଯାଇଥିଲା। ପ୍ରମାଣପତ୍ରରେ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିରଂଜନ ଦାସଙ୍କ ଦସ୍ତଖତ ରହିଥିଲା। କିନ୍ତୁ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଡାକ୍ତର ଦାସ ସେହି ଅବଧି ସମୟରେ କଟକ ମ୍ୟୁନିସ୍‌ପାଲିଟିରେ କାର୍ଯ୍ୟରେ ଯୋଗ ଦେଇଥିଲେ। ବରଂ ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ଡାକ୍ତର ଦାସ ସିଏମ୍‌ସିରେ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। ୨୦୦୨ ମସିହାରେ ଡାକ୍ତର ବିଶ୍ୱନାଥ ମିଶ୍ର ସ୍ୱାସ୍ଥ୍ୟ ଅଧିକାରୀ ଥିବା ଜଣାପଡ଼ିଛି। ତେଣୁ ଏଠାରେ ବୟସକୁ ନେଇ ହେରଫେର୍‌ କରାଯାଇଥିବା ସ୍ପଷ୍ଟ ହେଉଛି। ଏ ସମ୍ପର୍କରେ ସିବିଆଇ ଅଧିକାରୀ ମଧ୍ୟ ଜାଣିବାକୁ ପାଇଥିଲା ବେଳେ ସିଏମ୍‌ସି ଅଧିକାରୀଙ୍କୁ ଆସନ୍ତାକାଲି ଓସିଏ କ୍ଲବ୍‌କୁ ଡକାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି ହୋଇଥିବା ନେଇ ଗତବର୍ଷ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ସିବିଆଇ ନିକଟରେ ଅଭିଯୋଗ ହୋଇଥିଲା। ତାହା ଉପରେ ସିବିଆଇ ସ୍ପୋର୍ଟ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ମାମଲା ରୁଜୁ କରି ଗତବର୍ଷ ଓସିଏ କ୍ଲବ୍‌ରେ ତିନିଦିନ କ୍ୟାମ୍ପ ଅଫିସ୍‌ କରିବା ସହ ଏକାଧିକ ଖେଳାଳି ଓ ଓସିଏ ଅଧିକାରୀଙ୍କୁ ପଚରାଉଚରା କରିଥିଲା। ଚଳିତ ବର୍ଷ ପୁଣି ଥରେ ଓଡ଼ିଶା କ୍ରିକେଟରେ ବୟସ ଜାଲିଆତି କରାଯାଇଥିବା ଉକ୍ତ ସଂସ୍ଥା ପକ୍ଷରୁ ସିବିଆଇ ପାଖରେ ଅଭିଯୋଗ ହୋଇଥିଲା। ଚଳିତ ବର୍ଷ ଆଉ ଥରେ ଏହି ଅଭିଯୋଗକୁ ଭିତ୍ତିକରି ସ୍ପୋର୍ଟ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ପକ୍ଷରୁ ପିଇ୦୪(ଏସ୍‌)୨୦୧୭ ନମ୍ବରରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର