କଟକ/ଜଗତସିଂହପୁର/ଭୁବନେଶ୍ବର : ପାରାଦୀପ ବନ୍ଦରରେ ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ସିବିଆଇ ନୂଆଦିଲ୍ଲୀ ମୁଖ୍ୟାଳୟର ଏକ ଟିମ୍ ଗୁରୁବାର ଦିନ କଟକ, ପାରାଦୀପ ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସିବିଆଇ ଟିମ୍ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ କଟକ ଓଡ଼ିଆ ବଜାରରେ ଥିବା ଘର, ଅଫିସ, ପାରାଦୀପ ଓ ଭୁବନେଶ୍ବରରେ ଥିବା ମହିମାନନ୍ଦଙ୍କ ଦୁଇଟି ଘର ଏବଂ ଦୁଇଟି ଅଫିସରେ ଚଢ଼ଉ କରିଛି। ମହିମାନନ୍ଦଙ୍କୁ ପାରାଦୀପରେ ଓ ଓଡ଼ିଆ ବଜାର ଘରେ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଟିମ୍ ଆଜି ଦୀର୍ଘ ସମୟ ଜେରା କରିଛି। ଏହି ଘଟଣାରେ ୬୫ ଲକ୍ଷରୁ ଅଧିକ ଟଙ୍କା ସିବିଆଇ ଆଜି ଜବତ କରିଥିବା କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଲାଞ୍ଚ କାରବାର ନେଇ ସିବିଆଇର ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଦିଲ୍ଲୀ ସିବିଆଇ ଓ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ୫ଟି ଟିମ୍ ଗୁରୁବାର ଭୋର ପ୍ରାୟ ୩ଟା ବେଳେ ପାରାଦୀପ ମଡେଲ ପୁଲିସ ଥାନା ବଡ଼ପଡ଼ିଆରେ ଥିବା ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ (ଓଏସଏଲ) ଅଫିସ, ପାରାଦୀପ ବନ୍ଦର, କଟକ ଲିଙ୍କରୋଡରେ ଥିବା ଷ୍ଟିଭେଡୋର୍ସ ଅଫିସ, କଟକ ଓଡ଼ିଆ ବଜାର ଓ ବରମୁଣ୍ଡାରେ ଥିବା ମହିମା ମିଶ୍ରଙ୍କ ଘରେ ଚଢ଼ଉ କରିଥିଲେ। ଓଡ଼ିଆ ବଜାର ଘରେ ସିବିଆଇର ଏକ ଟିମ୍ ଚଢ଼ଉ କରିଥିଲା। ଓଡ଼ିଆ ବଜାର ଘରେ ଥିବା ବଡ଼ ପୁଅ ଚନ୍ଦନ ମିଶ୍ର ଓ ଦୁଇ ବୋହୂଙ୍କୁ ସନ୍ଧ୍ୟା ପ୍ରାୟ ୫ଟା ୩୦ ଯାଏ ସିବିଆଇ ଟିମ୍ ଜେରା କରିଥିଲା। ଓଡ଼ିଆ ବଜାର ଘରୁ ସିବିଆଇ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ପାଖାପାଖି ୪୦ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ଚନ୍ଦନଙ୍କୁ ସିବିଆଇ ଟିମ୍ ସାଙ୍ଗରେ ନେଇଯାଇଛି।

ପାରାଦୀପ ବନ୍ଦରରେ ଲାଞ୍ଚ କାରବାର ଅଭିଯୋଗ; ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ

ଅନ୍ୟପଟେ ସିବିଆଇ ଟିମ୍‌ ପାରାଦୀପରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା କୁହାଯାଉଛି। ଅନ୍ୟପଟେ ଏହି ଲାଞ୍ଚ କାରବାର ମାମଲାରେ ସିବିଆଇ ପାରାଦୀପ ବନ୍ଦର ଅଥରିଟିର ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ସରୋଜ କୁମାର ଦାସ ଏବଂ ଜଣେ ଠିକାଦାର ସୁମନ୍ତ ରାଉତଙ୍କୁ ପାରାଦୀପ ବନ୍ଦରର ଏକ ଗେଷ୍ଟ ହାଉସରେ ଜେରା କରିଛି। ଭୁବନେଶ୍ବର ବରମୁଣ୍ଡାରେ ଥିବା ମହିମାଙ୍କ ପୁରୁଣା ଘରେ ସିବିଆଇର ଆଉ ଏକ ଟିମ୍ ଚଢ଼ଉ କରିଥିଲା। ଭୁବନେଶ୍ବରରେ ଏହି ଲାଞ୍ଚ କାରବାରରେ ସଂପୃକ୍ତ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ସିବିଆଇ ଗୁରୁବାର ସନ୍ଧ୍ୟାରେ ଉଠାଇ ନେଇଥିବା ସୂଚନା ମିଳିଛି।

ମହିମାନନ୍ଦ ମିଶ୍ରଙ୍କ ଆଇନଜୀବୀ ରାଜେନ୍ଦ୍ର ମିଶ୍ର କହିଛନ୍ତି ଯେ ଲାଞ୍ଚ କାରବାରରେ ଜଣେ ବ୍ୟକ୍ତି ଧରାପଡ଼ିଥିବା ବେଳେ ସେହି ଘଟଣାକୁ ନେଇ ସିବିଆଇର ଯାଞ୍ଚ ହେଉଛି। ସିବିଆଇର ଏତଲା ମିଳିବା ପରେ ସଂପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ। ଚନ୍ଦନଙ୍କୁ ସିବିଆଇ ଅଫିସର ସାଙ୍ଗରେ ନେଇ ଯାଇଛନ୍ତି। କିନ୍ତୁ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ। ମହିମାନନ୍ଦ ମିଶ୍ରଙ୍କୁ ବି ସିବିଆଇ ପଚରାଉଚରା କରିନାହିଁ। ଏବଂ ସେ ଏଭଳି ଘଟଣାରେ ସଂପୃକ୍ତ ନାହାନ୍ତି ବୋଲି ରାଜେନ୍ଦ୍ର ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ ପାରାଦୀପ ବନ୍ଦରରେ ଲୋଡ୍ ଓ ଅନଲୋଡ୍ ହେଉଥିବା କୋଇଲା ପ୍ଲଟ୍ ଆବଣ୍ଟନ ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କାର ମୂଲଚାଲ ହୋଇଥିଲା। ପ୍ରଥମେ ସିବିଆଇ ସୁମନ୍ତଙ୍କୁ ଧରିବା ପରେ ଲାଞ୍ଚ ଟଙ୍କା ତାଙ୍କ ଠାରୁ ଜବତ କରିଥିଲା। ଏହାପରେ ସୁମନ୍ତଙ୍କ ବୟାନରୁ ଜଣକ ପରେ ଜଣେ ସିବିଆଇ ଜାଲକୁ ଆସିଛନ୍ତି। ଗତକାଲି ରାତିରୁ ସିବିଆଇର ଛଅ ଜଣିଆ ଟିମ୍ ପାରାଦୀପରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ। ସେମାନେ ପ୍ରଥମେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ପହଞ୍ଚି ସରୋଜଙ୍କୁ ଡକାଇ ସେଠାରେ ପଚରାଉଚରା କରିଥିଲେ। ଏହାପରେ ଓଏସ୍‌ଏଲ୍ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲେ।