ଭୁବନେଶ୍ବର: ନବରତ୍ନ କମ୍ପାନି ନାଲ୍‌କୋରେ ଆଜି ସିବିଆଇ ଯାଞ୍ଚ କରିଛି। ନିଯୁକ୍ତି ସଂକ୍ରାନ୍ତୀୟ ଏକ ଅଭିଯୋଗ ଉପରେ ଏହି ଯାଞ୍ଚ କରାଯାଇଥିବା ସୂଚନା ମିଳିଛି। ତେବେ ସିବିଆଇ ହାତରେ ନିର୍ଦ୍ଦିଷ୍ଟ ପ୍ରମାଣ କିଛି ଲାଗିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ। ପୂର୍ବରୁ ଘରୋଇ ଅସ୍ଥାୟୀ କର୍ମଚାରୀଙ୍କ ଅଭିଜ୍ଞତା ଥିବ‌ା ଦର୍ଶାଇ ୨୦ ଜଣଙ୍କୁ ନାଲ୍‌କୋରେ ନିଯୁକ୍ତି ମିଳିଥିବା ନେଇ ସିବିଆଇରେ ଅଭିଯୋଗ ହୋଇଥିଲା। କିଛି ଉପରିସ୍ଥ ଅଧିକାରୀ ଅର୍ଥ ନେଇ ନିଯୁକ୍ତି ଦେଇଥିବା ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ପାଖାପାଖି ସାଢ଼େ ୧ଟା ସମୟରେ ସିବିଆଇର ୬ ଜଣିଆ ଟିମ୍‌ ନାଲ୍‌କୋ ଅଫିସ୍‌ରେ ପଶି ଖୋଳତାଡ଼ କରିଥିଲେ। ‌ତେବେ ସିବିଆଇ ପକ୍ଷରୁ ଏ ସମ୍ପର୍କରେ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ।

Advertisment

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ ଲୋକଙ୍କ ଅଭିଯୋଗ ଆଧାରରେ ନିୟମିତ ବ୍ୟବଧାନରେ ହେଉଥିବା ଅଡିଟ୍‌ର ଅଂଶସ୍ବରୂପ ସିବିଆଇ ଅଧିକାରୀମାନେ ମଙ୍ଗଳବାର ନାଲ୍‌କୋ କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ନିଯୁକ୍ତି ପାଇଁ ରହିଥିବା ପ୍ରକ୍ରିୟାକୁ ପାଳନ କରାଯାଉଛି ନା ନାହିଁ, ତାହା ଜାଣିବାକୁ ସେମାନେ ଆସିଥିଲେ। ନାଲ୍‌କୋ ଏକ ସରକାରୀ ସଂସ୍ଥା ହୋଇଥିବାରୁ ଏହି ପ୍ରକ୍ରିୟାକୁ ବୈଧାନିକ ଓ ବାହ୍ୟ ଏଜେନ୍ସି ଦ୍ବାରା ଅଡିଟ୍‌ କରାଯାଏ। ସିବିଆଇ ଅଧିକାରୀ ପରିଦର୍ଶନ କରିବା ତାହାର ଏକ ଅଂଶ। ସିବିଆଇ କୌଣସି କାଗଜପତ୍ର ଜବତ କରି ନଥିବା ନାଲ୍‌କୋ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ନିଯୁକ୍ତି ବିଜ୍ଞାପନର ସମସ୍ତ ସର୍ତ୍ତାବଳୀକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଏକ ଅଗ୍ରଣୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭା‌ବେ ଯାଞ୍ଚ ପ୍ରକ୍ରିୟାକୁ ସ୍ବାଗତ କରାଯାଇଛି। ଯଦି କୌଣସି ପ୍ରାର୍ଥୀଙ୍କର କିଛି ଆପତ୍ତି ରହିଛି, ସେମାନେ ସ୍ପଷ୍ଟୀକରଣ ପାଇଁ କମ୍ପାନିର ମାନବ ସମ୍ବଳ ବିଭାଗ ସହ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ନାଲ୍‌କୋ ପକ୍ଷରୁ କୁହାଯାଇଛି।