ବୁର୍ଲା: ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ସ୍ଥିତ ତିନି ବିଶ୍ବବିଦ୍ୟାଳୟକୁ ନାକ୍ ଏ++ ମାନ୍ୟତା ଦେବା ପାଇଁ ହୋଇଥିବା ଅର୍ଥ କାରବାରରେ ନାକ୍ ଟିମ୍ର ୭ଜଣଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ଲାଇବ୍ରେରି ସାଇନ୍ସ ବିଭାଗର ପ୍ରଫେସର ଡ. ବୁଲୁ ମହାରଣା ଅନ୍ତର୍ଭୁକ୍ତ। ବିଶ୍ବବିଦ୍ୟାଳୟ ପରିସରରେ ଥିବା ଡ. ମହାରଣାଙ୍କ ସରକାରୀ ବାସଭବନକୁ ସିବିଆଇ ଦ୍ବାରା ସିଲ୍ କରାଯାଇଥିଲା। ତିନିଦିନ ପରେ ମଙ୍ଗଳବାର ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସିଲ୍ ହୋଇଥିବା ଘର ଖୋଲି ସିବିଆଇ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ସିବିଆଇ ଅଧିକାରୀମାନେ ଡ. ମହାରଣାଙ୍କ କାର୍ଯ୍ୟସ୍ଥଳରେ ତଦନ୍ତ କରିବା ସହିତ କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି।
ଗତ ୧ ତାରିଖରେ ଘର ସିଲ୍ କରିବା ପରେ କବାଟରେ ଏକ ନୋଟିସ୍ ଲଗାଇ ଦିଆଯାଇଥିଲା। ପରିବାର ଲୋକେ ଯୋଗାଯୋଗ କରିବାକୁ ସେଥିରେ ଦୁଇ ଜଣ ସିବିଆଇ ଅଧିକାରୀଙ୍କ ଟେଲିଫୋନ୍ ନମ୍ବର ଉଲ୍ଲେଖ ରହିଥିଲା। ଡ. ମହାରଣାଙ୍କ ସାନଭାଇ ବିମଳ ମହାରଣା ସଂପୃକ୍ତ ଅଧିକାରୀଙ୍କୁ ଯୋଗଯୋଗ କରି ତାଙ୍କ ପାଖରେ ଉକ୍ତ ସରକାରୀ ବାସଭବନର ଚାବି ରହିଥିବା କହିଥିଲେ। ଫଳରେ ମଙ୍ଗଳବାର ତାଲା ଖୋଲି ତଦନ୍ତ କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ସିପିଡବ୍ଲୁଡି ବିଭାଗର ଦୁଇଟି କାର୍ (ଓଡି୧୫ଭି-୬୬୨୫ ଓ ଓଡି୧୫ଜେଡ୍–୦୮୧୦)ରେ ଅଧିକାରୀମାନେ ଆସିଥିଲେ। ଜଣେ ଅଧିକାରୀ ମୋବାଇଲରେ ସମସ୍ତ ଘଟଣାର ଭିଡିଓ ରେକର୍ଡିଂ କରିଥିବା ବେଳେ ସେମାନଙ୍କ ତଲାସୀ କରିବାକୁ ବିମଳଙ୍କୁ କୁହାଯାଇଥିଲା।
ଅଧିକାରୀମାନେ ସାଙ୍ଗରେ ନେଇଥିବା ଲାପ୍ଟପ, ପ୍ରିଣ୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ସହ ତଦନ୍ତକାରୀ ଦଳର ପ୍ରତି ସଦସ୍ୟଙ୍କର ବିମଳ ତଲାସୀ କରିଥିଲେ। ଏହାପରେ ଅଧିକାରୀମାନେ ପ୍ରାୟ ଦୁଇ ଘଣ୍ଟା ପରେ ଉକ୍ତ ଘରୁ ବାହାରିଥିଲେ। ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ଅଧିକାରୀମାନେ ମନା କରି ଦେଇଥିଲେ। ସେଠାରୁ ବିଶ୍ବବିଦ୍ୟାଳୟକୁ ଯାଇ କୁଳପତିଙ୍କ ସହ ସାକ୍ଷାତ କରିବା ପରେ ଡ. ମହାରଣାଙ୍କ ବିଭାଗକୁ ଯାଇଥିଲେ। ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟର କୁଳସଚିବ ଛୁଟିରେ ଥିବାରୁ ଡ. ମହାରଣାଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/05/RgKGpRy2XhkUlWmXF0y5.jpg)