ବାଲେଶ୍ବର : ଲୋମଟାଙ୍କୁରା ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ମାମଲାର ତଦନ୍ତଭାର ନେଇଥିବା ସିବିଆଇ ଟିମ୍ ତୃତୀୟ ଦିନରେ ବି ଘଟଣାସ୍ଥଳରେ ଖୋଳତାଡ଼ କରିଛି। ବିଶେଷଜ୍ଞ ଦ​ଳ ସହ ସିଗ୍ନାଲ୍ ସିଷ୍ଟମରର ଯାଞ୍ଚ ପରେ ରିଲେ ରୁମରୁ ହାର୍ଡ ଡିସ୍କ ଜବତ କରିଛି। ଅପ୍ ଲାଇନରେ ଯିବା ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରିନ୍ ସିଗ୍ନାଲ୍ ମିଳିଥିବା ବେଳେ ଲୁପ୍ ଲାଇନରେ ଯାଇ ମାଲଗାଡ଼ିକୁ କେମିତି ଧକ୍କା ଦେଲା ତାହାର ଛାନଭିନ୍ ଚଳାଇଛି। ଦୁର୍ଘଟଣା ପୂର୍ବରୁ କେଉଁ ସିଗ୍ନାଲ୍ ସୁଇଚ୍ କେତେବେଳେ ମରା ଯାଇଥିଲା ତାହାର ଖୋଳତାଡ଼ ଚାଲିଛି। ଦୁର୍ଘଟଣା ସମ୍ପର୍କରେ ଏହା ଏକ ବଡ଼ ପ୍ରମାଣ ହେବ ବୋଲି କୁହାଯାଉଛି।
ଏହାକୁ ଆଧାର କରି ସିବିଆଇ ଟିମ୍ ତାର ତଦନ୍ତକୁ ଆଗେଇବ। ତେବେ ଏହି ଜବତ ହାର୍ଡ ଡିସ୍କ, ମୋବାଇଲ ଫୋନକୁ ସେଣ୍ଟ୍ରାଲ ଫୋରେନସିକ୍ ଲାବରେଟୋରିକୁ ପଠାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଟ୍ରେନ୍ ଚଳାଚଳ ଓ ସିଗ୍ନାଲ୍ ସହ ସମ୍ପୃକ୍ତ ଦିଗକୁ ସିବିଆଇ ପ୍ରାଥମିକତା ଦେବା ସହ ଏବେ ଜବତ ଉପରେ ଗୁରୁତ୍ବ ଦେଇଛି। ଏପରିକି ଷ୍ଟେସନର କେତେକ ରେକର୍ଡ ମଧ୍ୟ ଜବତ କରାଯାଇଛି। ଯାହାକୁ ଆଧାର କରି ସିବିଆଇ ଟିମ୍ ଷ୍ଟେସନ ମାଷ୍ଟର, ସିଗ୍ନାଲ୍ କର୍ମଚାରୀଙ୍କ ସମେତ କେତେକ ଅଧିକାରୀଙ୍କୁ ପଚରାଉଚରା କରିଛି। ଆସନ୍ତାକାଲି(ଶୁକ୍ରବାର) ଏହି ଟିମ୍ ପୁଣି ଘଟଣାସ୍ଥଳକୁ ଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ବାହାନଗା ରେଳ ଦୁର୍ଘଟଣାକୁ ଆସନ୍ତାକାଲି ୮ ଦିନ ପୂରିବାକୁ ଯାଉଥିବା ବେଳେ ଏଯାଏ କାରଣ ଜଣାପଡ଼ି ନାହିଁ। ଏପରିକି କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମାମଲାର ତଦନ୍ତଭାର ନେଇଥିବା ଦିଲ୍ଲୀ ସିବିଆଇ ଶାଖାର ଟିମ୍ କଣ ପର୍ଦ୍ଦାଫାସ୍ କରୁଛି ତାହା ଉପରେ ସମସ୍ତଙ୍କ ନଜର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/bls-11.jpg)