ସିବିଆଇ ସ୍ପେସାଲ କ୍ରାଇମ୍-୧ ହାତରେ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ତଦନ୍ତଭାର

୮ ଦିନ ପରେ ବି ଫିଟିନି ଗୁମର, ବିଶେଷଜ୍ଞ ଦଳ କରୁଛନ୍ତି ତର୍ଜମା

ଭୁବନେଶ୍ବର : ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୮ ଦିନ ବିତିଛି। କିନ୍ତୁ ଏଯାଏ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଦୁର୍ଘଟଣାକୁ ନେଇ ମାଳମାଳ ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ସିବିଆଇ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି। କିନ୍ତୁ କେବଳ ଘଟଣାସ୍ଥଳରେ ଯାଞ୍ଚ, ମୋବାଇଲ ଫୋନ୍ ଓ ହାର୍ଡଡିସ୍କ ଜବତ, ପଚରାଉଚରାରେ ସିବିଆଇ ତଦନ୍ତ ସୀମିତ ରହିଛି। ସେମିତି ଆଖିଦୃଶିଆ ତଦନ୍ତ ଆଗେଇ ପାରି ନଥିବା ବେଳେ କାରଣ ଜାଣିବା ଲାଗି ଲୋକଙ୍କ ଭିତରେ ଉତ୍ସୁକତା ବଢ଼ି ଚାଲିଛି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ସିବିଆଇ ଦିଲ୍ଲୀର ଏକାଧିକ ଶାଖା ରହିଛି। ହେଲେ ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଛି ସ୍ପେସାଲ କ୍ରାଇମ(ଏସସି)-୧। ଏହି ଶାଖା ଆତଙ୍କବାଦ, ବୋମା ବିସ୍ଫୋରଣ, ଟଙ୍କା ପାଇଁ ବଡ଼ ଅପହରଣ, ଅଣ୍ଡର୍‌ ଵାର୍ଲଡ୍ ଡନ୍, ମାଫିଆଙ୍କ ଦ୍ବାରା ସଂଗଠିତ ଅପରାଧର ତଦନ୍ତ କରିଥାଏ। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଥିବା କୁହାଯାଉଛି।

ଏପଟେ ସିବିଆଇ ଜବତ କରିଥିବା ସିଗନାଲ୍ ହାର୍ଡଡିସ୍କକୁ ସ୍ବତନ୍ତ୍ର ବୈଷୟିକ ବିଶେଷଜ୍ଞ ଦଳ ଯାଞ୍ଚ କରୁଛନ୍ତି। ସେହିପରି ରେକର୍ଡ କରାଯାଇଥିବା କର୍ମଚାରୀଙ୍କ ବୟାନକୁ ତର୍ଜମା କରାଯାଉଛି। ଦୁର୍ଘଟଣା ପୂର୍ବରୁ ଦିଆଯାଇଥିବା ସିଗନାଲ୍ ଠିକ୍ ଥିଲା ନା ନାହିଁ? ଅପଲାଇନରେ ଗ୍ରିନ୍‌ ସିଗ୍‌ନାଲ୍ ଦିଆଯାଇଥିବା ବେଳେ ଲୁପ୍ ଲାଇନରେ କେମିତି ଯାଇ ମାଲବାହୀ ଟ୍ରେନକୁ ଧକା ଦେଲା କରମଣ୍ଡଳ ଏକ୍ସପ୍ରେସ୍? ବିଶେଷଜ୍ଞ ଦଳ ତର୍ଜମା କରିବା ପରେ ସିବିଆଇ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ଏବେ ବିଶେଷଜ୍ଞ ଦଳର ମତ ଉପରେ ସବୁ କିଛି ନିର୍ଭର କରୁଛି ବୋଲି କୁହାଯାଉଛି। ସେହିପରି ଘଟଣାସ୍ଥଳରୁ ଏକାଧିକ ନମୁନା ମଧ୍ୟ ସଂଗ୍ରହ କରିଛି ସେଣ୍ଟ୍ରାଲ ଫୋରେନସିକ୍ ଟିମ୍। ଏହାକୁ ସେଣ୍ଟ୍ରାଲ ଫୋରେନସିକ୍ ଲାବରେଟୋରିକୁ ପଠାଯାଇଛି। ତାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତକାରୀ ଦଳ ବିଶେଷଜ୍ଞ ଦଳ ଓ ଫୋରେନସିକ୍ ଟିମ୍ ସହ ବିଚାର ଆଲୋଚନା ଜାରି ରଖିଛି।

ସମ୍ବନ୍ଧିତ ଖବର