ପୁଣି ସିବିଆଇ ତନାଘନା : ରାଜନେତା, ବାବୁ ଛାନିଆ

ଭୁବନେଶ୍ୱର : ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ତାନା ଆଜି ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମେ ଦିନରେ ଶ୍ରୀ ଆସ୍ତାନା ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ଗୋଟିଏ ପଟେ ଆସନ୍ତା ୧ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଥିବା ନେଇ ବିଜେପି ଘୋଷଣା କରିବା ଓ ଠିକ୍‌ ସମୟରେ ସିବିଆଇ କର୍ତ୍ତୃପକ୍ଷ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ରୁଦ୍ଧ ଦ୍ୱାର ବୈଠକ କରିବା ଘଟଣା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି। ଅମିତ ଶାହ ଆସିବା ପୂର୍ବରୁ ସିବିଆଇ କିଛି ଚକ୍‌ମା ଦେଖାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ନେତା ନୁହେଁ, ସରକାରୀ ବାବୁ ଟାର୍ଗେଟରେ ଥିବା ଗୋଟିଏ ମହଲରୁ ସୂଚନା ମିଳୁଛି। ଅନ୍ୟପକ୍ଷରେ ଏହା ଏକ ନିୟମିତ ସମୀକ୍ଷା ବୈଠକ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆଜି ସିବିଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ବିଭିନ୍ନ ଚିଟଫଣ୍ଡ ମାମଲାର ତଦନ୍ତକାରୀ ଅଫିସରମାନେ ଉପସ୍ଥିତ ଥିଲେ। କେଉଁ କେଉଁ ମାମଲାରେ ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ସେ ନେଇ ସଂପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା। ତଦନ୍ତ ପ୍ରକ୍ରିୟାକୁ ଆହୁରି ତୀବ୍ର କରିବାକୁ ନିର୍ଦେଶକ ଆସ୍ତାନା ନିର୍ଦେଶ ଦେଇଥିବା ସୂଚନା ମିଳିଛି।

ଏଠାରେ ପ୍ରକାଶଥାଉକି ୨୦୧୪ ମସିହା ନଭେମ୍ବର ମାସଠାରୁ ସିବିଆଇ ୪୪ଟି ଚିଟ୍‌ଫଣ୍ଡ କମ୍ପାନିର ତଦନ୍ତ କରୁଛି। ଏଯାଏ ୩୩ଟି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଥିବାବେଳେ ଅନ୍ୟଗୁଡିକର ତଦନ୍ତ ଏବେ ବି ଜାରି ରହିଛି। ସେହିପର ଅର୍ଥତତ୍ତ୍ୱ, ସିସୋର, ମାଇକ୍ରୋଫାଇନାନ୍ସ ଭଳି ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ଖୋଲାଥିବାରୁ ରାଜନୈତିକ ମହଲରେ ଏହାକୁ ଭୟର ବାତାବରଣ ଏବେ ବି ଲାଗି ରହିଛି। କାରଣ ପୂର୍ବରୁ ସିବିଆଇ ଅନେକ ରାଜନେତା, ଆଇପିଏସ୍‌ ଅଫିସର ଓ କିଛି ସରକାରୀ ଅଧିକାରୀଙ୍କୁ ଜେରା କରିଥିଲେ ମଧ୍ୟ ଗିରଫ କରିନାହିଁ।

ସମ୍ବନ୍ଧିତ ଖବର