ଭୁବନେଶ୍ୱର: ବହୁ ଚର୍ଚିତ ନବଦିଗନ୍ତ ଚିଟ୍ଫଣ୍ଡ ଠକେଇ ମାମଲାରେ ସିବିଆଇ ଚୂଡ଼ାନ୍ତ ଚାର୍ଜସିଟ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିଛି। ୩୮୯ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍ରେ ସିବିଆଇ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ଓ ଦୁଇ ଜଣ ପୂର୍ବତନ ବିଧାୟକଙ୍କ ସମେତ ୭ ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଛି। ଏମାନଙ୍କ ନାଁରେ ଦଫା ୧୨୦ ବି/୪୦୬/୪୦୯/୪୨୦/୪୭୧ ଆଇପିସି ଏବଂ ୪/୫/୬ ପ୍ରାଇସ୍ ଆଣ୍ଡ୍ ମନି ସର୍କୁଲେସନ୍ ଆକ୍ଟ୍ ଲାଗିଛି। ନବଦିଗନ୍ତ ଚିଟ୍ଫଣ୍ଡ୍ କମ୍ପାନିର ୪ଟି ସଂସ୍ଥା ପାଖାପାଖି ୧୬ କୋଟି ଟଙ୍କାର ଠକେଇ କରିଥିବା ନେଇ ସିବିଆଇ ଚାର୍ଜସିଟ୍ରେ ଉଲ୍ଲେଖ କରିଛି। ତିନି ଦିନ ତଳୁ ସିବିଆଇ ଏହି ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିବା ଆଜି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ସିବିଆଇ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି କାଳୀଚରଣ ମିଶ୍ର ଓ ନଗଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାର ତଦନ୍ତକାରୀ ଅଫିସର କୋର୍ଟରେ ହାଜର ହୋଇ ଚାର୍ଜସିଟ୍ ଦାଖଲ କରିଥିଲେ। ଚାର୍ଜସିଟ୍ରେ ଅଭିଯୁକ୍ତ ଭାବେ ସିବିଆଇ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ହିତେଶ ବଗର୍ତି, ନବଦିଗନ୍ତର ନିର୍ଦେଶକ ଅଞ୍ଜନ ବଳିଆରସିଂହ, କାର୍ତିକେୟ ପରିଡ଼ା, ପ୍ରଦୀପ ପଟ୍ଟନାୟକ, ଶଶଧର ମଲ୍ଲିକ ପ୍ରମୁଖଙ୍କୁ ଦର୍ଶାଇଛି। ନଗଦିଗନ୍ତ ଚିଟ୍ଫଣ୍ଡ ସଂସ୍ଥାର ୪ଟି କମ୍ପାନି ଆଗ୍ରୋ ଇଣ୍ଡଷ୍ଟ୍ରିଜ୍, ଫାଇନାନ୍ସ, ରିଅଲକନ୍ ଓ ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍ ଲିମିଟେଡ୍ ନାଁରେ ଏହି ଠକେଇ ହୋଇଛି। ସଂସ୍ଥା ଜମାକାରୀଙ୍କଠାରୁ ପାଖାପାଖି ୧୬ କୋଟି ଟଙ୍କାର ଠକେଇ କରିଛି। ତେବେ ସଂସ୍ଥା ପକ୍ଷରୁ ୮ କୋଟି ଟଙ୍କା ଫେରସ୍ତ ହୋଇଥିବାରୁ ଏବେ ସଂସ୍ଥା ବିରୋଧରେ ୮ କୋଟି ଟଙ୍କା ଠକେଇର ପ୍ରମାଣ ପାଇଛି ସିବିଆଇ। ଏହା ପୂର୍ବରୁ ୨୦୧୫ ମସିହା ଫ୍ରେବୁଆରି ମାସ ୧୯ ତାରିଖରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା।
ସାଂସଦ ଓ ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୭ ଅଭିଯୁକ୍ତ
୩୮୯ ପୃଷ୍ଠାର ଚାର୍ଜସିଟ୍, ୧୬ କୋଟି ଟଙ୍କାର ଠକେଇ
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହା ଅଗଷ୍ଟ ୧୨ ତାରିଖରେ ନବଦିଗନ୍ତ ଚିଟ୍ଫଣ୍ଡ ସଂସ୍ଥା ପଞ୍ଜୀକୃତ ହୋଇଥିଲା। ନୂଆପଲ୍ଲୀ ଥାନା ଅଧୀନ ଆଇଆର୍ସି ଭିଲେଜରେ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଥିଲା। ଏହାଛଡ଼ା ସଂସ୍ଥାର ଏକାଧିକ ଶାଖା କାର୍ଯ୍ୟାଳୟ ପୁରୀ, କଟକ, ମୟୂରଭଞ୍ଜ, ଫୁଲବାଣୀରେ ଖୋଲିଥିଲା। ସଂସ୍ଥା ପାଖାପାଖି ୨ଶହ କୋଟି ଟଙ୍କା ଠକେଇ କରିଥିବା ଜମାକାରୀମାନେ ଅଭିଯୋଗ କରିଥିଲେ।ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ନବଦିଗନ୍ତ ଚିଟ୍ଫଣ୍ଡ ସଂସ୍ଥାର ୧୨ଟି ଶାଖା ସମେତ ସାଂସଦ ଶ୍ରୀ ହାଁସଦାଙ୍କ ମୟୂରଭଞ୍ଜ ଘରେ ଚଢ଼ଉ କରିଥିଲା। ଚଢ଼ଉବେଳେ ସିବିଆଇ ହାଁସଦାଙ୍କ ଘରୁ ୨୮ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା। ପରେ ୨୦୧୪ ମସିହା ନଭେମ୍ବର ମାସ ୪ ତାରିଖରେ ସାଂସଦ ହାଁସଦା, ପୂର୍ବତନ ବିଧାୟକ ହିତେଶ ବଗର୍ତି ଓ ସୁବର୍ଣ୍ଣ ନାୟକଙ୍କୁ ଗିରଫ କରିଥିଲା। ପରେ ପରେ ଅଞ୍ଜନ ବଳଆରସିଂହଙ୍କ ସମେତ ଅନ୍ୟମାନଙ୍କୁ ସିବିଆଇ ଗିରଫ କରିଥିଲା। ଶେଷରେ ଗତ ବର୍ଷ ସେପ୍ଟେମ୍ବର ମାସରେ ଅଞ୍ଜନ କୋର୍ଟରେ ନିଜ ଦୋଷ ସ୍ୱୀକାର କରିଥିଲେ। କୋର୍ଟ ତାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/cbi.jpeg)