ବହୁଚର୍ଚ୍ଚିତ ଶ୍ୟାମାପଦ ହତ୍ୟାକାଣ୍ଡ ମାମଲା: ମୃତ ଦମ୍ପତିଙ୍କ ନାଁରେ ସିବିଆଇ ସମନ

କାଳିଆପାଣି : ବହୁଚର୍ଚ୍ଚିତ ଶ୍ରମିକ ନେତା ଶ୍ୟାମାପଦ ରାଉତ ହତ୍ୟା ମାମଲାରେ ସ୍ବର୍ଗତ ଦମ୍ପତିଙ୍କୁ ସିବିଆଇ ସମନ! ପୂର୍ବରୁ କାଳିଆପାଣିର ଓଏମ୍‌ସି ଟେନାମେଣ୍ଟ୍‌ କ୍ବାର୍ଟର୍ସରେ ରହୁଥିବା ସ୍ବର୍ଗତ ରାଧା ଦେଈ ଓ ତାଙ୍କ ସ୍ବାମୀ ସ୍ବର୍ଗତ ଶ୍ରୀବାଜେସ ରେଡ୍ଡିଙ୍କ ନାଁରେ ସିବିଆଇ ସମନ ଜାରି କରିଛି। ଏ ସଂକ୍ରାନ୍ତରେ ସିବିଆଇ ପୁଲିସ ଗତ ୯ ତାରିଖରେ ସିଟି-୧୭୧/୧୮, ଆରସି-୬୭/୯୪ ସୂଚନା ଥିବା ଏକ ସମନ ଧରି କାଳିଆପାଣିରେ ବୁଲୁଥିବା ‌ଘଟଣା ସାଧାରଣରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଇଛାପୁର ଥାନା ଅନ୍ତର୍ଗତ ଇଚ୍ଛାପୁରମ୍‌ ଗାଁର ମୂଳ ବାସିନ୍ଦା ସ୍ବର୍ଗତ ଶ୍ରୀବାଜେସ ରେଡ୍ଡି ଓ ତାଙ୍କ ପତ୍ନୀ ସ୍ବର୍ଗତ ରାଧା ଦେଈ ଅଶିଦଶକ ପୂର୍ବରୁ କାଳିଆପାଣିରେ ସପରିବାର ରହି ଆସୁଥିଲେ। ଉଭୟ ଏଠାରେ ଆନ୍ନାବୁଢ଼ା ଓ ରାଧାବୁଢ଼ୀ ନାଁରେ ପରିଚିତ ଥିଲେ। ଏକାଧିକ ଜଳଖିଆ ଦୋକାନରେ ଆନ୍ନା ଶ୍ରମିକ ଭାବେ ଓ ରାଧା ଦେଈ ଓଏମ୍‌ସି କାଳିଆପାଣି କ୍ରୋମାଇଟ୍‌ ଖଣିରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ମୃତ୍ୟୁର କିଛିବର୍ଷ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ପାଖାପାଖି ୩ ବର୍ଷ ପୂର୍ବରୁ ଏହି ତେଲୁଗୁ ଦମ୍ପତି ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସେମାନଙ୍କ ଝିଅମାନେ ଏବେ କାଳିଆପାଣି ଓ ଆଖପାଖ ବସ୍ତିରେ ରହୁଥିବା ଜଣାପଡ଼ିଛି। ନବେ ଦଶକରେ ଯାଜପୁର ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ଶ୍ୟାମାପଦ ରାଉତ ହତ୍ୟାକାଣ୍ଡ ମାମଲାରେ ହେବାକୁ ଥିବା ଶୁଣାଣିରେ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଉଭୟ ପହଞ୍ଚି ସାକ୍ଷ୍ୟ ଦେବାପାଇଁ ସିବିଆଇ ପକ୍ଷରୁ ସ୍ବର୍ଗତ ଦମ୍ପତି ରାଧା ଦେଈ ଓ ତାଙ୍କ ସ୍ବାମୀଙ୍କୁ ସମନ ଜାରି ହୋଇଥିବା ନେଇ ସ୍ବତନ୍ତ୍ର ସିବିଆଇ କୋର୍ଟର କର୍ମଚାରୀ ପରେଶ ନାଥ ସୂଚନା ଦେଇଛନ୍ତି। ଶ୍ୟାମାପଦ ରାଉତ ହତ୍ୟାକାଣ୍ଡ‌ରେ କଳିଙ୍ଗନଗର ଥାନା ଅନ୍ତର୍ଗତ ରଣାଗୁଣ୍ଡି ଗାଁର ଗଜେନ୍ଦ୍ର ମହାନ୍ତ ଶେଷ ଅଭିଯୁକ୍ତ ଭାବେ ଗତ ୨୦୧୮ ଏପ୍ରିଲ୍‌ ୨୫ ରେ ଧରାପଡ଼ିଥିଲା। ୧୯୯୫ ରେ ସିବିଆଇ କୋର୍ଟ ପରିସରରେ ପୁଲିସକୁ ଚକମା ଦେଇ ଗଜେନ୍ଦ୍ର ହରିଆଣା ରାଜ୍ୟକୁ ଖସି ପଳାଇଥିଲା। ଭିୱାନିସ୍ଥିତ ଏକ ଫାର୍ମ ହାଉସରୁ ପୁଲିସ ତାକୁ ୨୩ ବର୍ଷ ପରେ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ୧୯୯୩ ଜୁଲାଇ ମାସ ରବିବାର ଦିନ ବାମପନ୍ଥୀ ଏସ୍‌ୟୁସିଆଇ ଅନୁବନ୍ଧିତ ଏସ୍‌ୟୁଏମ୍‌ଡବ୍ଲ୍ୟୁ ଟାଟାଷ୍ଟିଲ ଅଟୱାଲ୍ ଶାଖା ସଂପାଦକ ଶ୍ୟାମାପଦ ରାଉତଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏ ସଂକ୍ରାନ୍ତରେ ତାଙ୍କ ସହଯୋଗୀଙ୍କ ପକ୍ଷରୁ ସେଦିନ କାଳିଆପାଣି ଫାଣ୍ଡିରେ ଏତଲା ହୋଇଥିଲା। ଓଡ଼ିଶା ପୁଲିସର ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଉକ୍ତ କେସ୍‌କୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏଥିରେ ୨୯ ଜଣ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ସିବିଆଇ ପକ୍ଷରୁ ଅଭିଯୁକ୍ତମାନଙ୍କ ମଧ୍ୟରୁ ଓସ୍ତପାଳ ଗାଁର ଗୋପାଳ ବେହେରାଙ୍କୁ ପ୍ରଥମ ରାଜସାକ୍ଷୀ କରାଯାଇଥିଲା। ଏହାର କିଛିଦିନ ପରେ ଗୋପାଳ ଜେଲ୍‌ ହାଜତରେ ଆତ୍ମହତ୍ୟା କରିଥିଲେ। ମୃତକ ଶ୍ୟମାପଦଙ୍କ ଶବ ଠାବ ନହେବା କିମ୍ବା ଦେହାବଶେଷ ନମିଳିବା କାରଣରୁ ୨୦୦୦ ମସିହା‌ରେ ସିବିଆଇ କୋର୍ଟ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରାଯାଇଥିଲା। ୨୩ ବର୍ଷ ତଳୁ ଫେରାର୍ ଥିବା ଗଜେନ୍ଦ୍ର ଧରାପଡ଼ିବା ପରେ ୨୦୧୮ ରୁ ଉକ୍ତ କେସ୍‌ ପୁଣି ଖୋଲା ହୋଇଥିଲା। ଏବେ ଏହି ମାମଲାକୁ ୨୯ ବର୍ଷ ପୂରିଥିଲେ ମଧ୍ୟ କେସ୍‌ ଶୁଣାଣି ସରିନାହିଁ ବୋଲି ସିବିଆଇ କହିଛି। ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୬ ଜଣ ଗୋପାଳ ବେହେରା, ବସନ୍ତ ଜେନା, ଠାକୁରା ମାଝି, ଭଗବାନ ମହାନ୍ତ, ‌ଗୋବର୍ଦ୍ଧନ ମହାନ୍ତ ଓ ସମ୍ରାଟ ଗୁପ୍ତା ଏବେ ଆରପାରିରେ। ସେହିପରି ଉକ୍ତ ମାମଲା ଲଢ଼ୁଥିବା ୩ ଆଇନଜୀବୀ ବ୍ରହ୍ମାନନ୍ଦ ପଣ୍ଡା, ପୂର୍ଣ୍ଣଚନ୍ଦ୍ର କାନୁନଗୋ ଓ ଅମୂଲ୍ୟ କୁମାର ଦାସଙ୍କ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର