ବାହାନଗା ରେଳ ଦୁର୍ଘଟଣା ମାମଲା: ଚନ୍ଦକା ଥାନାରେ ସିବିଆଇ ଟିମ୍, ୩ ଅଭିଯୁକ୍ତଙ୍କୁ ଜେରା

ଭୁବନେଶ୍ବର / ବାଲେଶ୍ବର : ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣା ମାମଲାରେ ଭୁବନେଶ୍ବର ଚନ୍ଦକା ଥାନାରେ ଆଜି ସିବିଆଇ ଟିମ୍ ପହଞ୍ଚିଥିବା ଜଣାଯାଇଛି। ୫ଜଣିଆ ଟିମ୍ ଗିରଫ ୩ ରେଳ ଅଧିକାରୀଙ୍କୁ ପଚରାଉଚରା କରିବ। ଏହାଛଡ଼ା ଆଉ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ୍ କରିଥିବାର ବି ସୂଚନା ମିଳିଛି।
ସୂଚନାଯୋଗ୍ୟ, କାର୍ଯ୍ୟରେ ଅବହେଳା ଓ ଦୁର୍ଘଟଣାର କାରଣ ଲୁଚାଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତକାଲି ଏହି ମାମଲାରେ ଏହି ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସିଗନାଲ୍ ବିଭାଗର ବରିଷ୍ଠ ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକ୍ନିସିଆନ୍ ପପୁ କୁମାର। ଧାରା ୩୦୪ (ହତ୍ୟା ଉଦ୍ଦେଶ୍ୟ ନୁହେଁ, କିନ୍ତୁ ମୃତ୍ୟୁ ପାଇଁ ଦାୟୀ) ଓ ୨୦୧ (ପ୍ରମାଣ ନଷ୍ଟ) ସିଆର୍ପିସିରେ ସିବିଆଇ ଏହି ୩ ଜଣ ଅଧିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


ବାହାନଗା ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳ ସୁରକ୍ଷା କମିସନର (ସିଆର୍ଏସ୍) ରେଳବାଇ ବୋର୍ଡକୁ ଯେଉଁ ରିପୋର୍ଟ ଦେଇଥିଲେ, ସେଥିରେ ମାନବୀୟ ତ୍ରୁଟି ବିଶେଷ କରି ସିଗନାଲ, ବୈଷୟିକ ତ୍ରୁଟି ଓ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରାଯାଇଥିଲା। ସିଗ୍ନାଲିଂ ସର୍କିଟ୍ ବଦଳାଯିବା ବେଳେ ବୈଷୟିକ ତ୍ରୁଟି ଯୋଗୁଁ ଇଣ୍ଟର୍ଲକିଂ ସିଷ୍ଟମ୍ ପ୍ରଭାବିତ ହୋଇଥିଲା ଓ ଏହି କାରଣରୁ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସିଆର୍ଏସ୍ ରିପୋର୍ଟ ଦେଇଥିଲେ। ସେହି ରିପୋର୍ଟକୁ ଆଧାର କରି ଉକ୍ତ ଗିରଫଦାରୀ ହୋଇଥିବା କୁହାଯାଉଛି। ତେବେ ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ ବା ଷଡଯନ୍ତ୍ର ଥିବା ବାବଦରେ ଏ ଯାଏ କିଛି ସ୍ପଷ୍ଟ ହୋଇନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ପରେ ଗତକାଲି ସନ୍ଧ୍ୟାରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା।

ଉଲ୍ଲେଖଥାଉକି, ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର