ବାଲେଶ୍ବର/ସୋର/ବାହାନଗା : ବାହାନଗା ବଜାର ଷ୍ଟେସନ୍‌ରେ ଶାଲିମାର-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ କେମିତି ଦୁର୍ଘଟଣାଗ୍ରସ୍ତ ହେଲା? ମେନ୍‌ ଅପ୍‌ଲାଇନ୍‌ରେ ଯିବା ପାଇଁ ଗ୍ରିନ୍ ସିଗନାଲ୍‌ ଦିଆଯାଇଥିବା ବେଳେ ମାଲଗାଡ଼ି ଥିବା ଲୁପ୍‌ଲାଇନ୍‌କୁ କରମଣ୍ଡଳ ମାଡ଼ିଗଲା କେମିତି? ସିଗନାଲ୍‌ରେ ଗଡ଼ବଡ଼ ଥିଲା ନା ଟ୍ରାକ୍‌ ପରିବର୍ତ୍ତନକୁ ସ୍ବୟଂଚାଳିତ ଭାବେ ନିୟନ୍ତ୍ରଣ କରୁଥିବା ଇଣ୍ଟର୍‌ଲକିଂ ବ୍ୟବସ୍ଥା ଠିକ୍‌ ଭାବେ କାମ କରୁନଥିଲା? ଦୁର୍ଘଟଣା ପଛରେ କିଛି ଆନ୍ତର୍ଘାତୀ କାର୍ଯ୍ୟ ନିହିତ ଥିଲା କି? ମନ୍ୟୁଷକୃତ ନା ଯାନ୍ତ୍ରିକ ତ୍ରୁଟି... ଏମିତି କିଛି ପ୍ରଶ୍ନ ନେଇ ଦୁର୍ଘଟଣାସ୍ଥଳରେ ଆଜି ତଦନ୍ତ ଆରମ୍ଭ କରିଛି ନୂଆଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ୧୦ ଜଣିଆ ଟିମ୍। ଏଥିସହିତ, ପ୍ରାଥମିକ ଅନୁସନ୍ଧାନ ପରେ ଆଜି ମାମଲା ରୁଜୁ କରିଛି ସିବିଆଇ।

Advertisment

ସିବିଆଇର ଜଣେ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟା ଅଧିକାରୀଙ୍କ ନେତୃତ୍ବରେ ୧୦ ଜଣ ଅଧିକାରୀ ଓ ସେଣ୍ଟ୍ରାଲ ଫରେନ୍‌ସିକ୍‌ ଟିମ୍‌ ମଙ୍ଗଳବାର ସକାଳ ସାଢ଼େ ୯ଟାରେ ବାହାନଗା ବଜାର ଷ୍ଟେସନ୍‌ରେ ପହଞ୍ଚିଥିଲେ। ପ୍ରଥମେ ସିଗନାଲ୍‌ ରୁମ୍‌କୁ ଯାଇ ଯାଞ୍ଚ କରିଥିଲା ଟିମ୍‌। ଦୁର୍ଘଟଣା ଦିନ ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ବାହାନଗା ଷ୍ଟେସନ୍ ବଜାର ଦେଇ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ରେ କେତୋଟି ଟ୍ରେନ୍‌ ଯାଇଥିଲେ, କେଉଁ ଟ୍ରାକ୍‌ରେ କାହାକୁ କଣ ସିଗନାଲ୍‌ ଦିଆଯାଇଥିଲା ତାର ଲଗ୍‌ବୁକ୍, ରେଜିଷ୍ଟ୍ରର୍‌ ଯାଞ୍ଚ କରିଥିଲେ। ଏଥିସହିତ ରିଲେ ରୁମ୍‌, ଷ୍ଟେସନ୍‌ ରୁମ୍‌ରେ ସିଗନାଲ୍‌ ଅପରେଟିଂ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଇଣ୍ଟରଲକିଂ ପ୍ରସେସର୍‌, ପ୍ୟାନେଲ୍‌ ବୋର୍ଡ ଆଦି ଯାଞ୍ଚ କରିଥିଲା ସିବିଆଇ ଟିମ୍‌। ଷ୍ଟେସନ୍‌ମାଷ୍ଟର ଏସ.ବି.ମହାନ୍ତିଙ୍କୁ ଦୁର୍ଘଟଣା ସଂପର୍କରେ ପଚରାଉଚରା କରିବା ବେଳେ ସେ ପୂର୍ବ କଥା ଦୋହରାଇ କହିଥିଲେ, ଅପ୍‌ଲାଇନରେ ଯିବାକୁ କରମଣ୍ଡଳକୁ ଗ୍ରିନ୍ ସିଗନାଲ ଦିଆଯାଇଥିଲା। ପରେ ସିବିଆଇ ଅଧିକାରୀମାନେ ଯେଉଁଠି କରମଣ୍ଡଳ ଟ୍ରାକ୍‌ ପରିବର୍ତ୍ତନ କରିଥିଲା ସେଠିକି ଯାଇ ନିରୀକ୍ଷଣ କରିଥିଲେ। ଲୁପ୍‌ଲାଇନ୍ ସହିତ ଅପ୍‌ଲାଇନ୍, ଡାଉନ୍‌ଲାଇନ୍ ଟ୍ରାକ୍‌, ଉତ୍ତର କ୍ୟାବିନ୍ ବୁଲି ଦେଖିବା ପରେ ଷ୍ଟେସନ୍‌ରେ ଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଜେରା କରିଥିଲେ। ସିଗନାଲ୍‌ ଅପରେଟିଂ ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀ, ଷ୍ଟେସନ୍‌ର ମେଣ୍ଟେନର୍‌, ପଏଣ୍ଟସ୍ ମ୍ୟାନ୍‌ଙ୍କୁ ପୃଥକ ଭାବେ ଜେରା କରାଯାଇ ସେମାନଙ୍କର ବୟାନ୍ ରେକର୍ଡ କରାଯାଇଥିଲା। କରମଣ୍ଡଳ ଯେଉଁ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ତାର ଚାଳକ ଓ ଗାର୍ଡ ବିଜୟ ରାଓଙ୍କୁ ମଧ୍ୟ ପଚରାଉଚୁରା କରିଛି ସିବିଆଇ।

publive-image

ସୂଚନାଥାଉକି, ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ଜରିଆରେ ଟ୍ରେନ୍‌ ଟ୍ରାକ୍‌ର ଦିଗ ବଦଳିଥାଏ। ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ଟ୍ରେନ୍ ଯିବା ପାଇଁ ସିଗନାଲ୍‌ ମଧ୍ୟରେ ସମନ୍ୱୟ ରଖିଥାଏ ଇଣ୍ଟରଲକିଂ ସିଷ୍ଟମ୍‌। ଏଥିସହ ରେଳ ଧାରଣାରେ ଅନ୍ୟ ଟ୍ରେନ୍‌ ଅଛି କି ନାହିଁ, ସେ ସମ୍ପର୍କରେ ସୂଚନା ଦେଇଥା‌ଏ। ବାହାନଗା ରେଳ ଦୁର୍ଘଟଣା ପୂର୍ବରୁ ଏହି ବ୍ୟବସ୍ଥାର ସ୍ଥିତି କଣ ଥିଲା ଓ ସେଥିରେ କିଛି ତ୍ରୁଟି ଦେଖା ଦେଇଥିଲା ନା ନାହିଁ, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ। ଷଡ଼ଯନ୍ତ୍ର ଉଦ୍ଦେଶ୍ୟ ରଖି କେହି ମଧ୍ୟ ସିଷ୍ଟମ୍ ସହ ଗଡ଼ବଡ଼ କରିଥାଇପାରେ।

ତେଣୁ ଏହି ସବୁ ଦିଗ ପ୍ରତି ସିବିଆଇ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ କରିବ ବୋଲି କହିଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ। ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଯେତେବେଳେ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା, ତାର କିଛି ସମୟ ପୂର୍ବରୁ ମାଲବାହୀ ଟ୍ରେନ୍‌ର ଚାଳକ ଓ ଗାର୍ଡ ବିଜୟ ରାଓ ପିଇବା ପାଣି ଆଣିବାକୁ ଗାଡ଼ିରୁ ଓହ୍ଲାଇ ଷ୍ଟେସନ୍‌ ପରିସରସ୍ଥିତ ପାଣିଟ୍ୟାପ୍‌କୁ ଯାଇଥିଲେ। ୬ଟି ବଗି ଅତିକ୍ରମ କରି ସେମାନେ ଟ୍ୟାପ୍‌ ପାଖକୁ ଆସି ବୋତଲରେ ପାଣି ଭର୍ତ୍ତି କରୁଥିବା ବେଳେ ଦ୍ରୁତଗତିରେ କରମଣ୍ଡଳ ଆସି ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରୁ ଲୁହାପଥର ବୋଝେଇ ମାଲ୍‌ବାହୀ ଟ୍ରେନ୍‌ର ଚାଳକ ଓ ଗାର୍ଡ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

publive-image

ଦକ୍ଷିଣ ପୂର୍ବ ରେଳବାଇ ଖଡ଼ଗପୁର ଡିଭିଜନ୍‌ର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ରାଜେଶ କୁମାରଙ୍କ ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି, ସହାୟକ ଲୋକୋ ପାଇଲଟ୍ ହଜାରୀ ବେହେରା, ଗାର୍ଡଙ୍କ ସମେତ ବେଙ୍ଗାଲୁରୁ-ହାୱଡ଼ା ଯଶବନ୍ତପୁର ଏକ୍ସପ୍ରେସର ଲୋକୋ ପାଇଲଟ୍ ଓ ଗାର୍ଡ ଗୁରୁତର ଆହତ ହୋଇଛନ୍ତି। ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ୩ଟି ଟ୍ରେନ୍‌ର ଡ୍ରାଇଭର୍‌ଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ସିଗ୍‌ନାଲରେ ତ୍ରୁଟି ଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ସେମାନେ କହିଛନ୍ତି। ପାଖାପାଖି ସାଢେ ୪ ଘଣ୍ଟାର ଯାଞ୍ଚ ପରେ ସିବିଆଇ ଟିମ୍‌ ବାଲେଶ୍ବର ଷ୍ଟେସନକୁ ଆସି ସେଠାରେ କିଛି ସମୟ ରହିବା ପରେ ମଧ୍ୟାହ୍ନ ୨ଟା ବେଳକୁ ଭୁବନେଶ୍ବର ଫେରି ଯାଇଥିଲା। ତଦନ୍ତ ସମୟରେ ସିବିଆଇ ଟିମ୍‌ ସହ ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆରଏମ୍‌ ଜନାବ ମହମ୍ମଦ ହାସିମ୍‌ ଓ ରେଳ ସୁରକ୍ଷା ବିଭଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଗତକାଲି ସକାଳେ ରେଳବାଇ ସୁରକ୍ଷା କମିସନ୍‌ର ଶୈଳେଶ ପାଠକ, ଖଡ଼ଗପୁର ରେଳ ଡିଭିଜନ୍‌ର ଡିଆରଏମ୍‌ ଜନାବ ମହମ୍ମଦ ହାସିମ୍‌ଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀ ବାହାନଗା ବଜାର ଷ୍ଟେସନ୍‌ରେ ପହଞ୍ଚି ଦୁର୍ଘଟଣାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ।