ସିବିଆଇ କରିବ ଗୋଖାଦ୍ୟ ଦୁର୍ନୀତିର ତଦନ୍ତ, ମାମଲା ରୁଜୁ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରାଜ୍ୟରେ ଗୋ-ଖାଦ୍ୟ ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ହେବ। ଆଜି ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଗୋ-ଖାଦ୍ୟ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗକୁ ଏତଲା ଭାବେ ଗ୍ରହଣ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଂଗରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସିବିଆଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଲଳିତା କୁମାରୀ ମାମଲା ରାୟ ଅନୁସାରେ ଏହି ପ୍ରସଂଗରେ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସନ୍ତୋଷ କୁମାର ସାମଲଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କଟକ ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ଗୋ-ଖାଦ୍ୟ କ୍ରୟ, ବିକ୍ରୟ, ଯୋଗାଣ ସହିତ ଏଥିରେ ନିଯୋଜିତ ଶ୍ରମିକଙ୍କ ଦେୟ ପ୍ରଦାନରେ ବ୍ୟାପକ ଆର୍ଥିକ ଅନିମିତତା ପ୍ରସଂଗକୁ ନେଇ ଦାୟର ଏହି ମାମଲାରେ ସମଗ୍ର ଘଟଣାର ସିବିଆଇ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଥିଲା। କଟକରେ ୧୩ ଲକ୍ଷ ଟଙ୍କାରୁ ଅଧିକ ଆର୍ଥିକ ଅନିୟମିତତା ନେଇ ଆବେଦନକାରୀ ଅଭିଯୋଗ କରିଥିଲେ। ଏପରି ଅନିୟମିତତା ନେଇ ଅଡିଟରେ ଧରା ପଡିଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯିବା ସହିତ ଘଟଣାର ତଦନ୍ତ କରାଯିବା ଆବଶ୍ୟକ ବୋଲି ଦର୍ଶାଯାଇଥିଲା। ରାଜ୍ୟର ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ ସହିତ ରାଜ୍ୟର ବିଭିନ୍ନ ଦୁଗ୍ଧ ଉତ୍ପାଦକ ୟୁନିୟନ ଅନୁବନ୍ଧିତ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ଓ ଚାଷୀଙ୍କ ଉନ୍ନତି ପାଇଁ ବହୁ ସମୟରେ ଅନୁଦାନ ପ୍ରଦାନ କରୁଛନ୍ତି। ଏହାର ଫାଇଦା କିନ୍ତୁ ଦୁଗ୍ଧ ଚାଷୀ ପାଇ ପାରୁ ନାହାନ୍ତି ଓ ବ୍ୟାପକ ଅର୍ଥ ତୋଷାରପାତ କରାଯାଉଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ଏପରି ଦୁର୍ନୀତି ହେଉଥିବା ବେଳେ ଏଥିରେ ଉଚ୍ଚପଦସ୍ଥ ଅଧିକାରୀ, ରାଜନୈତିକ ନେତା ଓ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ। ଏଭଳି ଦୁର୍ନୀତି ବିହାରର ଗୋ-ଖାଦ୍ୟ ଦୁର୍ନୀତି ସହିତ ତୁଳନୀୟ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏପରି ଦୁର୍ନୀତି ବିରୋଧରେ କଟକ ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନରେ ପ୍ଲାଣ୍ଟ ଅପରେଟର ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀ ସ୍ବର ଉଠାଇବା ପରେ ‌ଆକ୍ରୋଶର ଶିକାର ହୋଇଥିଲେ। ଏ ନେଇ ସେ ସିବିଆଇ ନିର୍ଦ୍ଦେଶକଙ୍କ ନିକଟରେ ୨୦୧୯ ଅକ୍ଟୋବରରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ଗୃହ ବିଭାଗ, ସିବିଆଇ ନିର୍ଦ୍ଦେଶକ, ଭୁବନେଶ୍ବର ସିବିଆଇ ଏସପି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିପ୍ଳବ ବାହାଲି, କଳିଙ୍ଗ କେଶରୀ ମହାପାତ୍ର ଓ ସୁଶୀଲ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର