ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ ମାମଲା: ଢେଙ୍କାନାଳର ସୁରେନ୍ଦ୍ର ନାଏକଙ୍କୁ ତିନିଦିନ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବ ସିବିଆଇ

ଢେଙ୍କାନାଳ: ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ଢେଙ୍କାନାଳରୁ ସୁରେନ୍ଦ୍ର ନାଏକଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ସିବିଆଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବାକୁ ଆବେଦନ କରିଛି। ସିବିଆଇ ୫ ଦିନ ଆବେଦନ କରିଥିଲା। ତେବେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତିନିଦିନ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଆଜି ସିବିଆଇ ତାଙ୍କୁ ରିମାଣ୍ଡରେ ଦିଲ୍ଲୀ ନେବ ବୋଲି ସୁରେନ୍ଦ୍ରଙ୍କ ଓକିଲ ଅମ୍ରିତ ଦାସ ସୂଚନା ଦେଇଛନ୍ତି।
ଢେଙ୍କାନାଳ ସହରରୁ ବିଶ୍ବବ୍ୟାପୀ ଘୂରି ବୁଲୁଥିଲା ଅପ୍ରାପ୍ତବୟସ୍କ ପିଲାଙ୍କ ଅଶ୍ଳୀଳ ଭିଡିଓ। ଜୁବୁଲିଟାଉନ୍ ସ୍ଥିତ ଯଦୁପତି ବିହାର ସନ୍ନିକଟ ମ୍ୟୁନିସିପାଲିଟି କଲୋନିସାହିର ଜଣେ ଯୁବକ ଏହି ଅଶ୍ଳୀଳ ଭିଡିଓଗୁଡିକୁ ଡାଉନଲୋଡ୍ କରି ସାମାଜିକ ଗଣମାଧ୍ୟମର ବିଭିନ୍ନ ଗ୍ରୁପ୍‌ରେ ସେୟାର କରୁଥିଲେ। ଏ ବାବଦରେ ସେ ପାଉଥିଲେ ବିପୁଳ ବିଦେଶୀ ମୁଦ୍ରା। ଏ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ପାଇ ଦିଲ୍ଲୀର ଆଣ୍ଟି କରପ୍‌ସନ୍ ବ୍ରାଞ୍ଚ ଏବଂ ଚାଇଲ୍ଡ ପର୍ଣ୍ଣୋଗ୍ରାଫିକ୍ ପାଟ୍ରୋଲିଂ ଦଳ ଆଜି ଦିଲ୍ଲୀ ଓ ଭୁବନେଶ୍ବରର ୫ ଜଣିଆ ସିବିଆଇ ଦଳ ସହ ଢେଙ୍କାନାଳ ଆସି ଅଭିଯୁକ୍ତ ଯୁବକଙ୍କ ଘରେ ଅତର୍କିତ ଚଢ଼ଉ କରିଥିଲେ। ଅଭିଯୁକ୍ତ ଯୁବକକୁ ସିବିଆଇ ଟିମ୍ ପଚରାଉଚରା କରୁଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ସଂଘବଦ୍ଧ ଭାବେ ସିବିଆଇ ଟିମ୍‌କୁ ଘେରଉ କରି ଠେଲାପେଲା କରିଥିଲେ। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ୍‌ ପହଞ୍ଚି ସିବିଆଇ ଟିମ୍‌ଙ୍କୁ ଉଦ୍ଧାର କରିବା ସହ ଅଭି‌ଯୁକ୍ତ ଯୁବକକୁ ଥାନାକୁ ନେଇଥିଲେ। ସଂଧ୍ୟାରେ ଉକ୍ତ ଯୁବକକୁ ସିବିଆଇ ଟିମ୍ ସାଂଗରେ ନେଇ ଭୁବନେଶ୍ବର ଯାଇଥିବା ଜଣାପଡ଼ିଛି।
କଲୋନି ସାହିର ସ୍ବର୍ଗତ ବ୍ରହ୍ମାନନ୍ଦ ନାଏକଙ୍କ ପୁଅ ସୁରେନ୍ଦ୍ର ନାଏକ(୨୨) ଢେଙ୍କାନାଳ ଦିଲ୍ଲୀ ପବ୍ଲିକ୍‌ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଏବଂ ସୁଇପର ଭାବେ କାର୍ଯ୍ୟ କରନ୍ତି। ସେ ଗତ ସେ‌ପ୍ଟେମ୍ବର ୩୦ ତାରିଖରେ ଦେଶୀ ଏମ୍ଏମ୍ଏସ୍‌ ସାଇଟ୍‌ରେ ଏଜେଣ୍ଟ ଭାବେ ଯୋଗ ଦେଇଥିଲେ। ଏହି ସାଇଟ୍‌ରେ ଛୋଟ ପିଲାଙ୍କୁ ନେଇ ହେଉଥିବା ପର୍ଣ୍ଣ ଭିଡିଓକୁ ସେ ଡାଉନଲୋଡ୍ କରିବାପରେ ହ୍ବାଟସ୍‌ଆପ୍‌ର ବିଭିନ୍ନ ଗ୍ରୁପ୍‌ରେ ସେୟାର କରି ଅର୍ଥ ରୋଜଗାର କରୁଥିଲେ।

ଏଥିପାଇଁ ତାଙ୍କ ଆକାଉଣ୍ଟକୁ ବିଦେଶୀ ମୁଦ୍ରା ମଧ୍ୟ ଆସୁଥିଲା। ଏହାବ୍ୟତୀତ ସେ ଟେଲିଗ୍ରାମ୍‌ରେ ମଧ୍ୟ ଏକ ଗ୍ରୁପ୍‌ର ଆଡ୍‌ମିନ୍‌ ରହି ୟୁ ଟ୍ୟୁବ୍ ୟୁଜର୍ସକୁ ବ୍ୟବହାର କରୁଥିଲେ। ଦିଲ୍ଲୀର ଆଣ୍ଟି କରପସନ୍ ବ୍ରାଞ୍ଚ ଏହି ଅଶ୍ଳୀଳ ଭିଡିଓ ସଂପର୍କରେ ତଦନ୍ତ କରୁଥିବା ବେଳେ ସୁରେନ୍ଦ୍ରଙ୍କ ମୋବାଇଲ୍ ନମ୍ବର ଟ୍ରାକିଂ କରି ତାଙ୍କର ସଂପୃକ୍ତି ଥିବା ସଂପର୍କରେ ଜାଣିଥିଲେ। ଦିଲ୍ଲୀରୁ ସିବିଆଇ ଇନ୍ସପେକ୍ଟର ସନ୍ଦୀପ୍ ତିୱାରୀଙ୍କ ନେତୃତ୍ବରେ ଓଡ଼ିଶା, କୋଲକାତାର ୫ଜଣିଆ ସିବିଆଇ ଅଧିକାରୀ ଦଳ ଢେଙ୍କାନାଳ ଆସି ଆଜି ସକାଳ ୭ଟାରେ ଜୁବୁଲିଟାଉନ୍ କଲୋନିସାହି ଅଞ୍ଚଳରେ ଚଢ଼ଉ କରିଥିଲେ। ସେଠାରେ ରହୁଥିବା ସଂପୃକ୍ତ ଯୁବକ ସୁରେନ୍ଦ୍ରକୁ ତଦନ୍ତକାରୀ ଦଳ କାବୁ କରିନେବା ସହ ଏକ ଘରେ ବନ୍ଦ କରି ପଚରାଉଚରା କରୁଥିଲେ। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଏହି ପଚରାଉଚରା ଚାଲିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବସ୍ତିର ମହିଳାଙ୍କ ସମେତ ପୁରୁଷ ଓ ଯୁବକମାନେ ଏକାଠି ହୋଇ ଉକ୍ତ ଘରର କବାଟ ଖୋଲିବାକୁ ବାରମ୍ବାର କହି ବିଫଳ ହେବାପରେ ସେମାନେ ଉତ୍ତେଜିତ ହୋଇପଡ଼ିଥିଲେ।
ଲୋକେ କିଛି ଅଘଟଣ ଘଟାଇବା ପୂର୍ବରୁ ଟାଉନ୍ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଉପସ୍ଥିତିରେ ସିବିଆଇ ଦଳ ଘରର କବାଟ ଖୋଲିବା ପରେ ଉତ୍ତେଜିତ ଲୋକେ ଠେଙ୍ଗାବାଡି ଧରି ସିବିଆଇ ଅଧିକାରୀମାନଙ୍କୁ ଠେଲାପେଲା କରି ସେମାନଙ୍କ କବଜାରୁ ଅଭିଯୁକ୍ତ ଯୁବକଙ୍କୁ ଛଡ଼ାଇ ନେଇଥିଲେ।

ଟାଉନ୍ ଥାନା ପୁଲିସ୍‌ ବୁଝାସୁଝା କରି ସିବିଆଇ ଅଧିକାରୀମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ପରେ ଅଭିଯୁକ୍ତ ଯୁବକକୁ ମଧ୍ୟ ଟାଉନ୍ ଥାନାକୁ ନେଇଥିଲେ। ସିବିଆଇ ଦଳ ଅଭିଯୁକ୍ତ ଯୁବକ ଠାରୁ ମୋବାଇଲ୍ ଏବଂ ମେମୋରି ଚିପ୍‌ ଜବତ କରିଛନ୍ତି। ଟାଉନ୍ ଥାନାରୁ ସିବିଆଇ ଅଧିକାରୀମାନେ ସଂପୃକ୍ତ ଯୁବକକୁ ଭୁବନେଶ୍ବରକୁ ନେଇଯାଇଥିବା ଟାଉନ୍ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ କହିଛନ୍ତି। ଘଟଣା ସଂପର୍କରେ ଅଭିଯୁକ୍ତ ଯୁବକ ସୁରେନ୍ଦ୍ର କୁହନ୍ତି ଯେ ସେ ଦେଶୀ ଏମ୍ଏମ୍ଏସ୍‌ ଗ୍ରୁପ୍‌ରେ ଜଏନ୍ କରିବା ସହ ବିଭିନ୍ନ ପର୍ଣ୍ଣ ଭିଡିଓକୁ ଡାଉନ୍ ଲୋଡ୍ କରି ହ୍ବାଟସ୍‌ଆପ୍ ଗ୍ରୁପରେ ସେୟାର କରୁଥିଲେ। ଏଥିପାଇଁ ତାଙ୍କ ନିକଟକୁ ୨୧ ଡଲାର ଆସିଥିବା ସେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର