ଭୁବନେଶ୍ବର: ଦିନକୁ ଦିନ କରୋନା ସ୍ଥିତି ଅସମ୍ଭାଳ ହେଉଥିବା ବେଳେ ବେଡ଼, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନର ଆବଶ୍ୟକତାକୁ ନେଇ ରବିବାର ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ସେ କହିଛନ୍ତି, ‘ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ବେଡ଼, ଆଇସିୟୁ ଓ ଲଜିଷ୍ଟିକ ବୃଦ୍ଧି କରାଯାଉଛି । ଦ୍ବିତୀୟ ଲହର କରୋନାରେ ସଂକ୍ରମଣ ହାର ବଢ଼ିଛି କିନ୍ତୁ ମୃତ୍ୟୁହାର କମ ରହୁଛି । ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡ଼ିଶାରେ କୌଣସି ସ୍ଥାନରେ ରୋଗୀ ତଳେ ଶୋଇବାର ନଜରକୁ ଆସିନାହିଁ । ତେବେ ଏବେ ୩୦ ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି, ଆହୁରି ୭୦ ପ୍ରତିଶତ ବେଡ଼ ଖାଲି ଅଛି । ଆଇସିୟୁ ବେଡ଼ ୬୦ ପ୍ରତିଶତ ବ୍ୟବହାର ହେଉଛି । ଆହୁରି ମଧ୍ୟ ଦୃତ ଗତିରେ ବେଡ଼ ସଂଖ୍ୟା ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି । ତେଣୁ ଆଶା ଅଛି କୌଣସି ସ୍ଥିତିରେ ବେଡ଼ ଓ ଆଇସିୟୁର ଅଭାବ ରହିବ ନାହିଁ । ଓଡ଼ିଶାରେ ଡାକ୍ତରଙ୍କର ଅଭାବ ନାହିଁ । ପୂର୍ବରୁ ଗବେଷକମାନେ ଯାହା ଆକଳନ କରିଥିଲେ ଏପ୍ରିଲ ମାସରେ ସଂକ୍ରମଣ ବୃଦ୍ଧି ପାଇବ। କିନ୍ତୁ ଏବେ ଯାହା ଆକଳନ ହୋଇଛି, ମେ ମାସରେ ଆହୁରି ବୃଦ୍ଧି ପାଇବ। ଅନେକ ସମୟରେ ଦେଖାଯାଇଛି, ଯେ ଯେଉଁ ଗତିରେ ସଂକ୍ରମଣ ହାର ବଢେ, ସେହି ଅନୁସାରେ ହ୍ରାସ ପାଏ । ଏବେ ବି ଅନୁଧ୍ୟାନ ଚାଲିଛି କି କେଉଁ ସ୍ଥାନରେ ବେଡ଼ ଵୃଦ୍ଧି କରାଯାଇ ପାରିବ । ନିଷ୍ପତ୍ତି ଅନୁସାରେ, ଆହୁରି ଆଇସିୟୁ ବେଡ଼ କିଣାଯିବ । ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀ ମାତ୍ର ୧୬ ପ୍ରତିଶତ ଅଛନ୍ତି । ବୁର୍ଲାରେ ଏଚଡିୟୁ ଓ ଆଇସିୟୁକୁ ମିଶାଇ ୧୨୫ଟି ବେଡ୍ ବଢ଼ାଇବାକୁ ଯୋଜନା ହୋଇଛି, ଏସସିଵିରେ ୫୦ଟି ଆଇସିୟୁ ବେଡ଼ ବଢ଼ାଯିବ, ବଲାଙ୍ଗୀରରେ ୪୦ଟି ବଢ଼ାଯିବ ।
ରାଜ୍ୟରେ ୨୯ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି। ଓଡ଼ିଶାରେ ଆବଶ୍ୟକତା ଅନୁସାରେ ସେମାନେ ପୂରଣ କରୁଛନ୍ତି । ଷ୍ଟିଲ ପ୍ଲାଣ୍ଟ, ପେଟ୍ରୋକେମିକାଲ ଶିଳ୍ପ ଭଳି ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟ ଅକ୍ସିଜେନ ଯୋଗାଇ ପାରିବେ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏକାକୀ ୧୭୦୦ ମେଟ୍ରିକ ଟନ୍ ଅକ୍ସିଜେନ ଉତ୍ପାଦନ କରିବାକୁ ସକ୍ଷମ। ଏମିତି ଆହୁରି ଅନେକ ଷ୍ଟିଲ ପ୍ଲାଣ୍ଟ ଓ ପେଟ୍ରୋକେମିକାଲ ଶିଳ୍ପ ଅଛି । ତେଣୁ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଅକ୍ସିଜେନ ଆବଶ୍ୟକତାକୁ ପୂରଣ କରିପାରିବୁ । ସେଥିପାଇଁ କୌଣସି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ଅଭାବ ହେବ ନାହିଁ ବୋଲି ଆଶା କରାଯାଉଛି ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/7d8058f5-6002-498d-be8b-69a125bf87fc.jpg)