ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି। କରୋନା ଭୟ ଓ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଦଶମ ଶ୍ରେଣୀରେ ପାସ୍‌ହାର ୯୭.୬୯% ଏବଂ ଦ୍ବାଦଶ ଶ୍ରେଣୀରେ ୯୩.୨୨% ହୋଇଛି। ଉଭୟ ଶ୍ରେଣୀରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି। ଦଶମରେ ଛାତ୍ର ଓ ଛାତ୍ରୀଙ୍କ ପାସ୍‌ହାର ଯଥାକ୍ରମେ ୯୭.୫୫% ଓ ୯୭.୮୬% ଏବଂ ଦ୍ବାଦଶରେ ଛାତ୍ରଙ୍କ ପାସ୍‌ହାର ୯୩.୧୯% ଓ ଛାତ୍ରୀଙ୍କର ୯୩.୨୬% ହୋଇଛି। ଜବାହର ନବୋଦୟ ବିଦ୍ୟାଳୟ(ଜେଏନ୍‌ଭି)ର ପରୀକ୍ଷାର୍ଥୀ ଅନ୍ୟ ବିଦ୍ୟାଳୟ ତୁଳନାରେ ଭଲ କରିଛନ୍ତି। ଭୁବନେଶ୍ବରସ୍ଥିତ ମଦର ପବ୍ଲିକ ସ୍କୁଲର ଦଶମ ଛାତ୍ରୀ ଶ୍ରେୟା ପଟ୍ଟନାୟକ ୫୦୦ରୁ ୫୦୦ ଅର୍ଥାତ୍‌ ଶତପ୍ରତିଶତ ମାର୍କ ରଖି ଦେଶରେ ଟପର୍‌ ହୋଇଛନ୍ତି। ତାଙ୍କ ସହ ଅନ୍ୟ ରାଜ୍ୟର କେତେଜଣ ଛାତ୍ରଛାତ୍ରୀ ମଧ୍ୟ ଏଭଳି ସଫଳତା ହାସଲ କରିଛନ୍ତି।

Advertisment

ଦଶମରେ ଓଡ଼ିଶାରୁ ପଞ୍ଜୀକରଣ କରିଥିବା ୪୮ ହଜାର ୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୭ ହଜାର ୮୦୫ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୬ ହଜାର ୬୯୯ କୃତକାର୍ଯ୍ୟ ହୋଇଛନ୍ତି। ୨୬ ହଜାର ୧୧୫ ଛାତ୍ରଙ୍କ ମଧ୍ୟରୁ ୨୫ ହଜାର ୪୭୪ ଏବଂ ୨୧ ହଜାର ୬୯୦ ଛାତ୍ରୀଙ୍କ ମଧ୍ୟରୁ ୨୧ ହଜାର ୨୨୫ଜଣ ପାସ୍‌ କରିଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ୯୫.୮୦% ହୋଇଥିବା ବେଳେ ଘରୋଇ ବିଦ୍ୟାଳୟରେ ୯୮.୧୭%, ଜେଏନ୍‌ଭିରେ ୯୯.୯୬%, କେନ୍ଦ୍ରୀୟ ବିଦ୍ୟାଳୟ(କେଭି)ରେ ୯୯.୪୩%, ‌ସେଣ୍ଟ୍ରାଲ ତିବତାନ୍‌ ସ୍କୁଲ ଆଡମିନିଷ୍ଟ୍ରେସନ (ସିଟିଏସ୍‌ଏ)ରେ ୮୭.୫୦% ପାସ୍‌ହାର ହୋଇଛି। ସାଧାରଣ ବର୍ଗ ପରୀକ୍ଷାର୍ଥୀଙ୍କ ପାସ୍‌ହାର ୯୮.୪୮%, ଏସ୍‌ସି ବର୍ଗରେ ୯୬.୫୬%, ଏସ୍‌ଟି ବର୍ଗରେ ୯୮.୬୮% ଓ ଓବିସି ବର୍ଗରେ ପାସ୍‌ହାର ୯୪.୬୪% ରହିଛି।

publive-image

ଦ୍ବାଦଶ ଶ୍ରେଣୀରେ ଓଡ଼ିଶାରୁ ୨୮ ହଜାର ୩୧୫ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିବା ୨୮ ହଜାର ୧୮୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ହଜାର ୨୭୫ଜଣ ପାସ୍‌ କରିଛନ୍ତି। ୧୬ ହଜାର ୧୬୭ ଛାତ୍ରଙ୍କ ମଧ୍ୟରୁ ୧୫ହଜାର ୬୬ଜଣ ପାସ୍‌ କରିଛନ୍ତି। ସେହିପରି ୧୨ ହଜାର ୧୯ ଛାତ୍ରୀଙ୍କ ମଧ୍ୟରୁ ୧୧ ହଜାର ୨୦୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ୭୦.୫୨% ହୋଇଥିବା ବେଳେ ଘରୋଇ ବିଦ୍ୟାଳୟରେ ୯୬.୨୦%, ଜେଏନ୍‌ଭିରେ ୯୯.୫୮%, କେଭିରେ ପାସ୍‌ହାର ୯୭.୪୯% ହୋଇଛି। ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କ ପାସ୍‌ହାର ୯୫.୪୩% ଥିବାବେଳେ ଏସ୍‌ସି ବର୍ଗରେ ୮୮%, ଏସ୍‌ଟି ବର୍ଗରେ ୯୩.୧୯% ଓ ଓବିସି ବର୍ଗରେ ପାସ୍‌ହାର ୮୪.୪୭% ରହିଛି।

ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ଦଶମ ଶ୍ରେଣୀ ପାସ୍‌ହାର ୯୬.୪୬% ହୋଇଛି। ଜୋନ୍‌ରେ ମୋଟ ୧୪୦୧ ବିଦ୍ୟାଳୟର ୧ ଲକ୍ଷ ୧୬ ହଜାର ୫୩୩ଜଣ ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୧୨ ହଜାର ୪୦୮ ଜଣ ପାସ୍‌ କରିଛନ୍ତି। ସରକାରୀ ବିଦ୍ୟାଳୟର ପାସ୍‌ହାର ୯୨.୯୧%, ଘରୋଇ ବିଦ୍ୟାଳୟର ୯୬.୮୪%, ଜେଏନ୍‌ଭିର ୯୯.୯୧%, କେଭିରେ ୯୭.୭୩%, ସିଟିଏସ୍‌ଏରେ ୯୫.୦୫% ହୋଇଛି। ସେହିପରି ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା ୯୨ ହଜାର ୭୫୦ ଜଣଙ୍କ ମଧ୍ୟରୁ ୮୩ ହଜାର ୮୮୨ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୦.୩୭% ରହିଛି। ସରକାରୀ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ୬୮.୯୪%, ଘରୋଇ ବିଦ୍ୟାଳୟର ୯୧.୫୪%, ଜେଏନ୍‌ଭିର ୯୯.୨୬%, କେଭିରେ ୯୫.୯୭% ଓ ସିଟିଏସ୍‌ଏରେ ୯୭.୦୩% ହୋଇଛି।

publive-image

ଦେଶରେ ୨୧ ଲକ୍ଷ ୯ ହଜାର ୨୦୮ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ୯୩ ହଜାର ୯୭୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୯ ଲକ୍ଷ ୭୬ ହଜାର ୬୬୮ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୪.୪୦% ହୋଇଛି। ତ୍ରିଭେନ୍ଦ୍ରମ୍‌ର ପାସ୍‌ହାର ସର୍ବାଧିକ ୯୯.୬୮% ହୋଇଛି। ଛାତ୍ରଙ୍କଠାରୁ ଛାତ୍ରୀମାନେ ୧.୪୧% ଅଧିକ ରଖିଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୩.୮୦% ଓ ଛାତ୍ରୀଙ୍କ ପାସ୍‌ହାର ୯୫.୨୧% ‌ରହିଛି। ଜେଏନ୍‌ଭିର ପାସ୍‌ହାର ସର୍ବାଧିକ ୯୯.୭୧% ହୋଇଛି। ୨ ଲକ୍ଷ ୩୬ ହଜାର ୯୯୩ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ୬୪ ହଜାର ୯୦୮ଜଣ ୯୫%ରୁ ଅଧିକ ନମ୍ବର ପାଇଛନ୍ତି।

ଦ୍ବାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବା‌ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬୬୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୨.୭୧% ହୋଇଛି। ତ୍ରିବେନ୍ଦ୍ରମ୍‌ରେ ସର୍ବାଧିକ ୯୮.୮୩% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୪.୫୪% ଓ ଛାତ୍ରଙ୍କ ପାସ୍‌ହାର ୯୧.୨୫% ରହିଛି। ଜେଏନ୍‌ଭିରେ ସର୍ବାଧିକ ୯୮.୯୩% ପରୀକ୍ଷାର୍ଥୀ ପାସ୍‌ କରିଥିବା ବେଳେ ସିଟିଏସ୍‌ଏରେ ୯୭.୯୬%, କେଭିରେ ୯୭.୦୪%, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୯୪.୮୧%, ସରକାରୀ ବିଦ୍ୟାଳୟରେ ୯୩.୩୮% ଓ ଘରୋଇ ବିଦ୍ୟାଳୟରେ ୯୨.୨୦% ହୋଇଛି। ୧ ଲକ୍ଷ ୩୪ ହଜାର ୭୯୭ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଓ ୩୩ ହଜାର ୪୩୨ ଜଣ ୯୫%ରୁ ଅଧିକ ନମ୍ବର ରଖିବାରେ ସମର୍ଥ ହୋଇଛନ୍ତି।