ଫେବ୍ରୁଆରି ୧୫ରୁ ସିବିଏସ୍‌ଇ ଦଶମ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର: ଫେବ୍ରୁଆରି ୧୫ରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହେଉଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୨୦ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୩୦ରେ ଶେଷ ହେବ। ଏନେଇ ଆଜି ସିବିଏସ୍‌ଇ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଦଶମ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୧୪ଟି ବିଷୟର ପରୀକ୍ଷା ରହିଛି। ମାର୍ଚ୍ଚ ୨୦ ତଥା ଶେଷ ଦିନରେ କମ୍ପ୍ୟୁଟର ଆପ୍ଲିକେସନ ଓ ଇନ୍‌ଫରମେସନ ଆଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି ବିଷୟର ପରୀକ୍ଷା ରହିଛି। ଫେବ୍ରୁଆରି ୨୪ରେ ଓଡ଼ିଆ କିମ୍ବା ଅନ୍ୟାନ୍ୟ ଭାଷାର ପରୀକ୍ଷା ଥିବାବେଳେ ୨୬ରେ ଇଂରାଜୀ, ୨୯ରେ ହିନ୍ଦୀ, ମାର୍ଚ୍ଚ ୪ରେ ବିଜ୍ଞାନ ବିଷୟର ଥିଓରି ଓ ପ୍ରାକ୍ଟିକାଲ, ମାର୍ଚ୍ଚ ୭ରେ ସଂସ୍କୃତ, ମାର୍ଚ୍ଚ ୧୨ରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।

ସେହିପରି ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ୨୩ଟି ବିଷୟର ପରୀକ୍ଷା ରହିଛି। ମାର୍ଚ୍ଚ ୩୦ ତାରିଖରେ ପରୀକ୍ଷାର ଶେଷ ଦିବସ‌ରେ ସାମାଜିକ ବିଜ୍ଞାନ ବିଷୟର ପରୀକ୍ଷା ରହିଛି। ମୁଖ୍ୟ ବିଷୟଗୁଡ଼ିକ ମଧ୍ୟରେ ଫେବ୍ରୁଆରି ୨୭ରେ ଇଂରାଜୀ ଇଲେକ୍ଟିଭ୍‌ ଓ କୋର୍‌ ବିଷୟର ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୨ରେ ପଦାର୍ଥ ବିଜ୍ଞାନ, ମାର୍ଚ୍ଚ ୫ରେ ଆକାଉଣ୍ଟାନ୍ସି, ମାର୍ଚ୍ଚ ୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୧୩ରେ ଅର୍ଥନୀତି, ମାର୍ଚ୍ଚ ୧୪ରେ ଜୀବ ବିଜ୍ଞାନ, ମାର୍ଚ୍ଚ ୧୭‌ରେ ଗଣିତ, ମାର୍ଚ୍ଚ ୨୮ରେ ବାୟୋଟେକ୍ନୋଲୋଜି ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହେବ। ବିଷୟ ଅନୁଯାୟୀ ପରୀକ୍ଷାର ସମୟ ସୀମା ଧାର୍ଯ୍ୟ କରାଯାଇଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବାଧ୍ୟତାମୂଳକ କରାଯାଇଛି। ପୂର୍ବାହ୍ନ ୧୦ଟାରୁ ୧୦ଟା ୧୫ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ଏବଂ ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷାର୍ଥୀ ଉତ୍ତର ଖାତାରେ ସେମାନଙ୍କ ସବିଶେଷ ତଥ୍ୟ ଲେଖିବେ। ଆସିଷ୍ଟାଣ୍ଟ ସୁପରିନଟେଣ୍ଡେଣ୍ଟମାନେ ‌ତାହାକୁ ଯାଞ୍ଚ କରିବା ସହ ଦସ୍ତଖତ ମାରିବେ। ପରୀକ୍ଷାର୍ଥୀଙ୍କୁ ପୂର୍ବାହ୍ନ ୧୦ଟା ୧୫ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଶ୍ନପତ୍ର ପଢ଼ିବାକୁ ସମୟ ଦିଆଯିବ। ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟା ୩୦ରୁ ଉତ୍ତର ଖାତାରେ ଲେଖିବା ଆରମ୍ଭ କରିବେ। ଉଭୟ ଶ୍ରେଣୀ ପରୀକ୍ଷାର ସବିଶେଷ ତଥ୍ୟ ‘www.cbse.nic.in’ ରେ ଉଲ୍ଲେଖ କରାଯାଇଥିବା ସିବିଏସ୍‌ଇ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତବର୍ଷ ଓଡ଼ିଶାରୁ ଦଶମ ଶ୍ରେଣୀରେ ୧୮ ହଜାର ଓ ଦ୍ବାଦଶ ଶ୍ରେଣୀରେ ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ପରୀକ୍ଷାର ସୁପରିଚାଳନା ଲାଗି ଏଥର ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର