ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ (ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୫ ଯାଏ ଚାଲିବ ବୋଲି ସିବିଏସ୍ଇ ପକ୍ଷରୁ ଆଜି କାର୍ଯ୍ୟସୂଚୀ ଜାରି ହୋଇଛି। ଦଶମ ଶ୍ରେଣୀର ପ୍ରଥମ ଦିନ ପେଣ୍ଟିଂ ସମେତ ମୋଟ ୬ଟି ବିଷୟର ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୨୭ରେ ଇଂରାଜୀ ବିଷୟର ପରୀକ୍ଷା ଥିବା ବେଳେ ମାର୍ଚ୍ଚ ୧ରେ ଓଡ଼ିଆ, ୪ରେ ବିଜ୍ଞାନ, ୧୩ରେ ଆଇଟି/କମ୍ପ୍ୟୁଟର ଆପ୍ଲିକେସନ, ୧୫ରେ ସୋସିଆଲ ସାଇନ୍ସ, ୨୧ରେ ଗଣିତ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୨୦ରେ ହିନ୍ଦୀ, ୨୪ରେ ଇଂରାଜୀ, ୨୮ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୨ରେ ଭୂଗୋଳ, ୬ରେ ପଦାର୍ଥ ବିଜ୍ଞାନ, ୧୧ରେ ଗଣିତ, ୧୩ରେ ଫିଜିକାଲ ଏଜୁକେସନ, ୧୬ରେ ଜୀବ ବିଜ୍ଞାନ, ୧୭ରେ ଅର୍ଥନୀତି, ୨୦ରେ ରାଜନୀତି ବିଜ୍ଞାନ, ୨୫ରେ ବିଜନେସ୍ ଷ୍ଟଡିଜ୍, ୨୯ରେ ଇତିହାସ, ୩୧ରେ ଆକାଉଣ୍ଟାନ୍ସି, ଏପ୍ରିଲ ୧ରେ ଗୃହ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ, ୫ରେ ମନସ୍ତତ୍ତ୍ବ ବିଜ୍ଞାନ ପରି ପ୍ରମୁଖ ବିଷୟର ପରୀକ୍ଷା ହେବ।
ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉଭୟ ଶ୍ରେଣୀର ଦୁଇଟି ବିଷୟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଧାର୍ଯ୍ୟ ସମୟରେ ଜେଇଇ ମେନ୍ ପରୀକ୍ଷା ସମୟକୁ ପ୍ରାଥମିକତା ଦିଆଯାଇଥିଲା। ବହୁ ପୂର୍ବରୁ ତାରିଖ ଘୋଷଣା ହୋଇଥିବାରୁ ପରୀକ୍ଷାର୍ଥୀ ନିଜକୁ ପ୍ରସ୍ତୁତ କରିପାରିବେ। ସେହିପରି କଡ଼ା ସୁରକ୍ଷା ମଧ୍ୟରେ ଏଥର ପରୀକ୍ଷା ଅନୁଷ୍ଠିତ ହେବ। ସିବିଏସ୍ଇ ପକ୍ଷରୁ ବିଭିନ୍ନ ସମୟରେ ଜାରି ନିର୍ଦେଶାବଳୀକୁ ପାଳନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ କୁହାଯାଇଛି ଯେ ଅଭିଭାବକ ମଧ୍ୟ ବୋର୍ଡ ୱେବସାଇଟ୍ ନିୟମିତ ଭାବେ ଦେଖିବା ସହ ସ୍କୁଲ ସହ ସମ୍ପର୍କରେ ରହିବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଅନୁମତି ଦିଆଯିବ ନାହିଁ। ପରୀକ୍ଷାର୍ଥୀ ଶୃଙ୍ଖଳିତ ରହିବା ସହ ଆଡମିଟ୍ କାର୍ଡରେ ଉଲ୍ଲେଖ ଥିବା ନିର୍ଦ୍ଦେଶାବଳୀକୁ ମାନିବେ। ସବୁ ବିଷୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ପଢ଼ିବା ଲାଗି ୧୫ ମିନିଟ୍ ସମୟ ମିଳିବ। ଭୁବନେଶ୍ୱରର ଜୋନ୍ ଅଧୀନରେ ଏଥର ଉଭୟ ଶ୍ରେଣୀରେ ଏକ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି।
ଓଡ଼ିଶାରେ ପ୍ରାୟ ୨୬ ହଜାର ପରୀକ୍ଷାର୍ଥୀ ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୫ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।