ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ ହୋଇନି

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ(ସିବିଏସଇ) ଅଧୀନ ସ୍କୁଲଗୁଡ଼ିକର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ? ଯଦି ହୁଏ ତେବେ କେବେ କରାଯିବ? କେଉଁ କେଉଁ ବିଷୟର ପରୀକ୍ଷା ହେବ? କରୋନା ପାଇଁ ଉଭୟ ଶ୍ରେଣୀର ପରୀକ୍ଷା ଅଧାରୁ ସ୍ଥଗିତ ରହିବା ପରେ ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରିଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଦ୍ୱନ୍ଦ୍ୱରେ। ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ସରିବାକୁ ଥିବାରୁ ପରୀକ୍ଷାକୁ ନେଇ ନାନା କଳ୍ପନାଜଳ୍ପନା ମଧ୍ୟ ପ୍ରକାଶ ପାଇଛି। ଏମିତିକି ସିବିଏସଇ ଦଶମ ଶ୍ରେଣୀର ବାକି ବିଷୟର ପରୀକ୍ଷା ବାତିଲ ହେବା ନେଇ ଆଜି ଚର୍ଚ୍ଚା ଜୋର ଧରିଥିଲା। ଯେଉଁଥିପାଇଁ ସିବିଏସଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ସିବିଏସଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଗତ ଏପ୍ରିଲ ପହିଲାରେ ଯେଉଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ତାହା ବଳବତ୍ତର ରହିଛି। ଯଦି ପରୀକ୍ଷା ହୁଏ ତେବେ ଏହାର ୧୦ ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ। ପୂର୍ବରୁ ପ୍ରକାଶିତ ଯେଉଁ ୨୯ଟି ବିଷୟରେ ପରୀକ୍ଷା ହେବ ବୋଲି ଉଲ୍ଲେଖ କରାଯାଇଥିଲା ତାହା ହିଁ ସ୍ଥିର ରହିଛି। କିଛି ପରିବର୍ତ୍ତନ କରାଯାଇ ନାହିଁ। ଲକ୍‌ଡାଉନ ଉଠିବା ପରେ ପରୀକ୍ଷା ନେଇ ଚିତ୍ର ସ୍ପଷ୍ଟ କରାଯିବ ବୋଲି ଏଥିରେ କୁହାଯାଇଛି।

ଭୁବନେଶ୍ୱରସ୍ଥିତ ସିବିଏସଇ ଆଞ୍ଚଳିକ ଅଧିକାରୀ ଟି. ମାଟେଙ୍କ କହିବାନୁଯାୟୀ, ଦଶମ ଓ ଦ୍ୱାଦଶ ପରୀକ୍ଷା ହେବ କି ନାହିଁ ଏଯାଏ ନିଷ୍ପତ୍ତି ହୋଇନି। ଲକ୍‌ଡାଉନ ଖୋଲିବା ପରେ ପରୀକ୍ଷା ନେଇ ନିଷ୍ପତ୍ତି ହେବ। ପରୀକ୍ଷା ୧୦ ଦିନ ଆଗରୁ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ। ତେଣୁ ଛାତ୍ରଛାତ୍ରୀ ଓ ଅଭିବାବକ ବିବ୍ରତ ହୁଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର