ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ୨୦୨୫ ଫେବ୍ରୁଆରି ୧୫ରୁ ଆରମ୍ଭ ହେବ। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ରେ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୪ ଯାଏ ଚାଲିବ ବୋଲି ସିବିଏସ୍ଇ ପକ୍ଷରୁ ଆଜି କାର୍ଯ୍ୟସୂଚୀ ଜାରି ହୋଇଛି। ଦଶମ ଶ୍ରେଣୀର ପ୍ରଥମ ଦିନ ଇଂରାଜୀ ବିଷୟର ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୨୦ରେ ବିଜ୍ଞାନ, ୨୫ରେ ସୋସିଆଲ ସାଇନ୍ସ, ମାର୍ଚ୍ଚ ୧୦ରେ ଗଣିତ, ୧୩ରେ ହୋମ ସାଇନ୍ସ, ୧୮ରେ ଆଇଟି/କମ୍ପ୍ୟୁଟର ଆପ୍ଲିକେସନ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ।
ଦ୍ବାଦଶ ଶ୍ରେଣୀ ପରୀକ୍ଷାର ପ୍ରଥମ ଦିନ ଏଣ୍ଟରପ୍ରିନୁଅରସିପ୍ ବିଷୟ ପରୀକ୍ଷା ରହିଛି। ସେହିପରି ଫେବ୍ରୁଆରି ୧୭ରେ ଫିଜିକାଲ ଏଜୁକେସନ, ୨୧ରେ ପଦାର୍ଥ ବିଜ୍ଞାନ, ୨୪ରେ ଭୂଗୋଳ, ୨୭ରେ ରସାୟନ ବିଜ୍ଞାନ, ମାର୍ଚ୍ଚ ୮ରେ ଗଣିତ, ୧୯ରେ ଅର୍ଥନୀତି, ୨୨ରେ ରାଜନୀତି ବିଜ୍ଞାନ, ୨୫ରେ ଜୀବ ବିଜ୍ଞାନ, ୨୬ରେ ଆକାଉଣ୍ଟାନ୍ସି, ୨୭ରେ ସାମାଜିକ ବିଜ୍ଞାନ, ଏପ୍ରିଲ ୧ରେ ଇତିହାସ, ୩ରେ ଗୃହ ବିଜ୍ଞାନ, ୪ରେ ମନସ୍ତତ୍ତ୍ବ ବିଜ୍ଞାନ ପରି ପ୍ରମୁଖ ବିଷୟର ପରୀକ୍ଷା ହେବ। ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଉଭୟ ଶ୍ରେଣୀର ଦୁଇଟି ବିଷୟ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖ ଧାର୍ଯ୍ୟ ସମୟରେ ପ୍ରବେଶିକା ପରୀକ୍ଷା ସମୟକୁ ପ୍ରାଥମିକତା ଦିଆଯାଇଥିଲା। ପ୍ରଥମ ଥର ପାଇଁ ପରୀକ୍ଷାର ୮୬ ଦିନ ପୂର୍ବରୁ ତାରିଖ ଘୋଷଣା ହୋଇଥିବାରୁ ପରୀକ୍ଷାର୍ଥୀ ନିଜକୁ ପ୍ରସ୍ତୁତ କରିପାରିବେ। ଦଶମ ଶ୍ରେଣୀରେ ଓଡ଼ିଶାରେ ପ୍ରାୟ ୨୬ ହଜାର ପରୀକ୍ଷାର୍ଥୀ ଥିବାବେଳେ ଦ୍ୱାଦଶ ଶ୍ରେଣୀରେ ୧୫ ହଜାର ପିଲା ନାମ ପଞ୍ଜୀକରଣ କରିଥିବା ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/06/exams.jpg)