ଜୁନ୍‌ ପହିଲାରେ ସ୍ଥିତି ସମୀକ୍ଷା ପରେ ଦ୍ବାଦଶ ପରୀକ୍ଷା ନିଷ୍ପତ୍ତି
ବୋର୍ଡ ନିର୍ଦ୍ଧାରିତ ମାନଦଣ୍ଡରେ ଦଶମ ପିଲାଙ୍କୁ ମିଳିବ ମାର୍କ

Advertisment

ଭୁବନେଶ୍ବର : ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା ପରବର୍ତ୍ତୀ ସମୟରେ ଅନୁଷ୍ଠିତ ହେବ। ତେବେ ପରୀକ୍ଷା କେବେ କରାଯିବ, ସେନେଇ ଜୁନ୍‌ ପହିଲାରେ ସ୍ଥିତି ସମୀକ୍ଷା କରିବା ପରେ ସିବିଏସ୍‌ଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯିବ। ସେହି ଅନୁଯାୟୀ ବିସ୍ତୃତ ବିବରଣୀ ଜାରି ହେବ। ପରୀକ୍ଷା ହେବାର ୧୫ଦିନ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଅବଗତ କରାଯିବ।

ସେହିପରି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ବୋର୍ଡ ଦ୍ବାରା ପ୍ରସ୍ତୁତ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ କରାଯିବ। ଉକ୍ତ ଆଧାରରେ ଦିଆଯାଇଥିବା ମାର୍କରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତା’ହେଲେ କୋଭିଡ୍‌ ସ୍ଥିତିରେ ସୁଧାର ଆସିଲେ କିମ୍ବା ପରୀକ୍ଷା ପାଇଁ ଉପଯୁକ୍ତ
ପରିବେଶ ସୃଷ୍ଟି ହେଲେ ସେମାନେ ପରୀକ୍ଷା ଦେଇପାରିବେ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ୍‌ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମେତ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା କେନ୍ଦ୍ର ସରକାରଙ୍କ ପ୍ରମୁଖ ପ୍ରାଥମିକତା। ସେମାନଙ୍କ ହିତ ପାଇଁ ସର୍ବଦା ଧ୍ୟାନ ଦିଆଯିବ ଏବଂ ଶିକ୍ଷାଗତ ସ୍ବାର୍ଥ ହାନି ଯେପରି ନ ହେବ ସେଥିପ୍ରତି ଗୁରୁତ୍ବ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ‌ବୈଠକରେ କହିଥିଲେ।

ସୂଚନା ଅନୁଯାୟୀ, ମେ’ ୪ରୁ ଆରମ୍ଭ ହେବାକୁ ଥିବା ଉକ୍ତ ଦୁଇ ଶ୍ରେଣୀର ପରୀକ୍ଷା ଲାଗି କାର୍ଯ୍ୟସୂଚୀ ନିର୍ଦ୍ଧାରଣ ହୋଇଛି। ତେବେ କେତେକ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଏବେ ଉପରମୁହାଁ ରହିଛି। ଯେଉଁଥିପାଇଁ ୧୧ଟି ରାଜ୍ୟରେ ସ୍କୁଲ ବନ୍ଦ ରଖାଯାଇଛି। ସିବିଏସ୍‌ଇ ଏକ ସର୍ବଭାରତୀୟ ବୋର୍ଡ ହୋଇଥିବାରୁ ଏକକାଳୀନ ସାରା ଦେଶରେ ପରୀକ୍ଷା ହୋଇଥାଏ। ରାଜ୍ୟ ବୋର୍ଡ ଭଳି ବିଭିନ୍ନ ରାଜ୍ୟରେ ଅଲଗା କରି ପରୀକ୍ଷା ଆୟୋଜନ କରାଯିବା ସମ୍ଭବପର ନୁହେଁ। ତେଣୁ ସ୍କୁଲ ବନ୍ଦ ରହିବା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସିବିଏସ୍‌ଇ ପକ୍ଷରୁ କୁହାଯାଇଛି।