ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ : ସାଇଉଦିତ୍‌ ଓ ସୁମୈତ ଓଡ଼ିଶା ଟପର

ଭୁବନେଶ୍ବର ଜୋନ୍‌ରେ ପାସ୍‌ହାର ୯୧.୨୯%, ୪୦,୫୯୮ ପରୀକ୍ଷାର୍ଥୀଙ୍କର ୭୫%ରୁ ଅଧିକ ନମ୍ବର, ବାଜି ମାରିଲେ ଛାତ୍ରୀ

ଭୁବନେଶ୍ବର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ପାସ୍‌ହାର ଏଥର ବୃଦ୍ଧି ପାଇଛି। ୨୦୧୫ରୁ ୨୦୧୮ ପର୍ଯ୍ୟନ୍ତ ଲଗାତାର ପାସ୍‌ହାର ହ୍ରାସ ପାଉଥିବା ବେଳେ ଏଥର ବଢ଼ିଛି। ଗତବର୍ଷ ପରୀକ୍ଷା ଫଳ ହ୍ରାସ ପାଇ ୮୯.୨୯% ରହିଥିଲା। ଏଥର ପାସ୍‌ହାର ବୃଦ୍ଧି ପାଇ ୯୧.୨୯%ରେ ପହଞ୍ଚିଛି।

ସାରା ଦେଶରେ ୯୭ ଜଣ ଛାତ୍ରଛାତ୍ରୀ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି। ୧୩ ଜଣ ପରୀକ୍ଷାର୍ଥୀ ୫୦୦ରୁ ୪୯୯ ନମ୍ବର ରଖି ‌ଟପର୍‌ ହୋଇଛନ୍ତି। ଦ୍ବିତୀୟ ସ୍ଥାନରେ ଦେଶର ୩୫ ଜଣ ପରୀକ୍ଷାର୍ଥୀ ଥିବା ବେଳେ ତୃତୀୟ ସ୍ଥାନରେ ୫୯ ଜଣ ରହିଛନ୍ତି। ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଓଡ଼ିଶାରୁ କୌଣସି ଛାତ୍ରଛାତ୍ରୀ ନାହାନ୍ତି। ତେବେ ଭୁବ‌ନେଶ୍ବରସ୍ଥିତ ମଦର୍‌ ପବ୍ଲିକ ସ୍କୁଲ ଛାତ୍ର ସାଇଉଦିତ୍‌ ରାଉତ ଓ ସୁ‌ମୈତ ଲାଇସ ମଧ୍ୟ ୫୦୦ରୁ ୪୯୭ ନମ୍ବର ରଖି ଦେଶରେ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ସୁମୈତ କେଉଁ ବିଦ୍ୟାଳୟର ତାହା ଜଣାପଡ଼ି ନାହିଁ। ସାଇଉଦିତ୍‌ ଓ ସୁମୈତ ଯୁଗ୍ମ ଭାବେ ଓଡ଼ିଶା ଟପର୍‌ ହୋଇଥିବା ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ଜୋନ୍‌ରେ ୯୧ ହଜାର ୯୭୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୧ ହଜାର ୧୩୭ଜଣ ପରୀକ୍ଷା ଦେଇଥିବା ବେଳେ ୮୩ ହଜାର ୨୦୧ ଜଣ ପାସ୍‌ କରିଛନ୍ତି। କମ୍ପାଟମେଣ୍ଟରେ ୬ ହଜାର ୯୨୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ୪୦ ହଜାର ୫୯୮ଜଣ ଛାତ୍ରଛାତ୍ରୀ ୭୫%ରୁ ଅଧିକ ନମ୍ବର ରଖିଥିବା ବେଳେ ୨୩ ହଜାର ୫୧୭ ଜଣ ୬୦ରୁ ୭୫% ମଧ୍ୟରେ ନମ୍ବର ରଖିଛନ୍ତି। ସେହିପରି ୫୦ରୁ ୬୦% ମଧ୍ୟରେ ୧୨ ହଜାର ୧୧୭ ପରୀକ୍ଷାର୍ଥୀ ଥିବା ବେଳେ ୪୫ରୁ୫୦% ମଧ୍ୟରେ ୪ ହଜାର ୯୬, ୪୦ରୁ ୪୫% ମଧ୍ୟରେ ୧୯୧୮ ଓ ୩୩ରୁ ୪୦% ମଧ୍ୟରେ ୯୫୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରୀମାନେ ବାଜି ମାରି ନେଇଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ୩୯ ହଜାର ୩୪ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୬ ହଜାର ୨୧୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୨.୭୮% ହୋଇଛି। ୨,୪୯୬ ଜଣ ଛାତ୍ରୀ କମ୍ପାଟମେଣ୍ଟରେ ରହିଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୫୨ ହଜାର ୧୦୩ ଜଣ ଛାତ୍ରଙ୍କ ମଧ୍ୟରୁ ୪୬,୯୮୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୦.୧୭% ରହିଛି। ୪୪୩୦ ଜଣ କମ୍ପାଟମେଣ୍ଟରେ ଅଛନ୍ତି। ମୋଟ ୮୯ ହଜାର ୧୯୫ ଜଣ ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮୨ ହଜାର ୫୭୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୨.୫୮% ରହିଛି। ପ୍ରାଇଭେଟ୍‌ରେ ପରୀକ୍ଷା ଦେଇଥିବା ୧୯୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୨୩ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୩୨.୦୮% ରହିଛି।

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ(କେଭିଏସ୍‌) ଅଧୀନ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ଅଧିକ ରହିଛି। ଭୁବନେଶ୍ବର ଜୋନ୍‌ରେ ୧୩୦ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟର ୯୫୧୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯ ହଜାର ୪୭୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୫୩% ରହିଛି। ୫୫୪୭ ଜଣ ପରୀକ୍ଷାର୍ଥୀ ୭୫%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଜବାହରଲାଲ ନବୋଦୟ ବିଦ୍ୟାଳୟ (ଜେଏନ୍‌ଭି)ଗୁଡ଼ିକର ପାସ୍‌ହାର ୯୯.୨୬% ରହିଛି। ୩ ରାଜ୍ୟରେ ଥିବା ୬୫ରୁ ଅଧିକ ଜବାହାର ନବୋଦୟ ବିଦ୍ୟାଳୟର ୪ ହଜାର ୨୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪ ହଜାର ୧୬୯ଜଣ ପାସ୍‌ କରିଛନ୍ତି। ୨ ହଜାର ୯୯୫ଜଣ ପରୀକ୍ଷାର୍ଥୀ ୭୫%ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ୪୦% ମାର୍କ ତଳକୁ କୌଣସି ଛାତ୍ରଛାତ୍ରୀ ନାହାନ୍ତି।

ଘରୋଇ ବିଦ୍ୟାଳୟରେ ପାସ୍‌ହାର ୯୨.୨୪% ରହିଛି। ୬୬ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୧ ହଜାର ୭୦୫ ଜଣ ପାସ୍‌ କରିଛନ୍ତି। ୩୦ ହଜାର ୨୭୬ ଜଣ ପରୀକ୍ଷାର୍ଥୀ ୭୫%ରୁ ଅଧିକ ନମ୍ବର ରଖିଛନ୍ତି। ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ୧୦ ହଜାର ୪୨୯ ଜଣଙ୍କ ମଧ୍ୟରୁ ୭ ହଜାର ୭୭୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୪.୫୫% ରହିଛି। ଅନ୍ୟାନ୍ୟ ଭାବେ ପରୀକ୍ଷା ଦେଇଥିବା ୧୦୦ ଜଣଙ୍କ ମଧ୍ୟରୁ ୭୭ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୭% ରହିଛି।

ସିବିଏସ୍‌ଇ ଭୁବନେଶ୍ବର ଜୋନ୍‌ ଆଞ୍ଚଳିକ ଅଧିକାରୀ ଟି.ମେଟ୍‌ କହିଛନ୍ତି ଯେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଏହି ଜୋନ୍‌ର ଛାତ୍ରଛାତ୍ରୀ ଚଳିତବର୍ଷ ଭଲ ପ୍ରଦର୍ଶନ କରିଛନ୍ତି। କିଛି ଦିନ ପୂର୍ବରୁ ପ୍ରକାଶ ପାଇଥିବା ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଛନ୍ତି। ବାତ୍ୟାରେ ବିଦ୍ୟୁତ୍‌ ଓ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ହେଉ ନଥିବାରୁ ଟପର୍‌ ତାଲିକା ପହଞ୍ଚି ପାରି ନାହିଁ।

ସମ୍ବନ୍ଧିତ ଖବର