ସିବିଏସ୍‌ଇ ଦଶମ ପରୀକ୍ଷା ଫଳ ଆଜି

ଭୁବନେଶ୍ୱର : ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇବ। ଅପରାହ୍ଣ ୪ଟାରେ ‘cbseresults.nic.in’ ଓ ‘cbse.nic.in’ ଓ୍ଵବସାଇଟ୍‌ରେ ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ସ୍କୁଲ କର୍ତୃପକ୍ଷ ମଧ୍ୟ ସିବିଏସ୍‌ଇ ଓ୍ଵବସାଇଟ୍‌ରୁ ବିଦ୍ୟାଳୟର ପାସ୍‌ହାର ସମ୍ପର୍କରେ ତଥ୍ୟ ପାଇବେ। ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ସଚିବ ଅନିଲ୍‌ ସ୍ୱରୂପ ଆଜି ଟୁଇଟ୍‌ କରି ଜଣାଇଛନ୍ତି। ଚଳିତବର୍ଷ ସାରା ଦେଶରେ ୧୬ ଲକ୍ଷ ୩୮ ହଜାର ୪୨୮ ଜଣ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଛନ୍ତି। ସିବିଏସ୍‌ଇ ପରୀକ୍ଷା ଢାଞ୍ଚା ଓ ପାସ୍‌ ମାର୍କରେ ଏବର୍ଷ କିଛିଟା ପରିବର୍ତନ କରାଯାଇଥିବାରୁ ଗତବର୍ଷ ତୁଳନାରେ ଏଥର ପାସ୍‌ହାର ବଢ଼ିପାରେ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଛତିଶଗଡ଼କୁ ନେଇ ଗଠିତ ଭୁବନେଶ୍ୱର ଜୋନ୍‌ର ଦଶମ ଶ୍ରେଣୀରେ ୯୨୭ ବିଦ୍ୟାଳୟର ୭୭,୭୦୮ ଛାତ୍ରଛାତ୍ରୀ ୨୨୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ଓଡ଼ିଶାରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ନେଇ ଭୁବନେଶ୍ୱରସ୍ଥିତି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର