ହ୍ୱିଲ୍ ଚେୟାରରେ ବସି ମାନିଲେନି ହାର : ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ଦେଶରେ ଟପ୍ପର ହେଲେ ଓଡ଼ିଆ ପୁଅ କେଶବ

ନୂଆଦିଲ୍ଲୀ:  ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଲିଗାଲ ଷ୍ଟଡ଼ି ପେପର ବା ଆଇନ ବିଷୟରେ ସାରା ଦେଶରେ ଟପ୍ପର ହୋଇଛନ୍ତି  ଦିବ୍ୟାଙ୍ଗ କେଶବ ଚନ୍ଦ୍ର ପୃଷ୍ଟି । ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ଥିବା କେଶବ ଚାଲିବା, କଥା କହିବା ଓ ଲେଖିବାରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏତେ ସବୁ ବାଧା ବିଘ୍ନ ସତ୍ତ୍ୱେ ମଧ୍ୟ କେଶବଙ୍କ ଆଗରେ ସଫଳତା ମୁଣ୍ଡ ନୁଆଁଇଛି । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସମଗ୍ର ଦେଶରେ ୯୬.୫ ପ୍ରତିଶତ ନମ୍ବର ରଖି ଉଦାହରଣ ସୃ୍ଷ୍ଟି କରି ଓଡ଼ିଶାର ନାଁକୁ ଗୌରାବନ୍ୱିତ କରିଛନ୍ତି କେଶବ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି, ଦିଲ୍ଲୀର ସଂସ୍କୃତି ସ୍କୁଲର ଛାତ୍ର କେଶବ ହ୍ୱିଲଚେୟାରରେ ଚଳପ୍ରଚଳ କରି ଏଭଳି କୃତିତ୍ୱ ହାସଲ କରିଛନ୍ତି ।ସୂଚନା ମୁତାବକ ଯାଜପୁର ଜିଲ୍ଲା ଦଶରଥ ଗାଁର କେଶବ ଜନ୍ମରୁ ପେରାପ୍ଲେଜିଆ ରୋଗରେ ଆକ୍ରାନ୍ତ ରହିଛନ୍ତି । ଯେଉଁଥି ପାଇଁ କେଶବ କଥା କହିବା, ଚାଲିବା ଏବଂ ଲେଖିବା ଭଳି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । କିନ୍ତୁ ତାଙ୍କର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହ୍ୱିଲଚେୟାର ମଧ୍ୟ ହାର ମାନିଯାଇଛି । ଆଉ ସିବିଏସଇ ଦ୍ୱାଦଶ ପରୀକ୍ଷାରେ ଆଇନ ବିଷୟରେ ସର୍ବାଧିକ ନମ୍ବର ରଖି ଦେଶରେ ଟପ୍ପର ହୋଇଛନ୍ତି  ।

କେଶବଙ୍କ ବାପା ପି କେ ପୃଷ୍ଟି ଭାରତୀୟ ରାଜସ୍ୱ ସେବାର ଜଣେ ଅଧିକାରୀଭାବେ କାର୍ଯ୍ୟକରନ୍ତି ଏବଂ କେଶବଙ୍କ ମା’ ଜଣେ ପୂର୍ବତନ ଶିକ୍ଷୟତ୍ରୀ । ହେଲେ କେଶବଙ୍କ ଭବିଷ୍ୟତ ଗଢିବା ପାଇଁ ଶିକ୍ଷୟତ୍ରୀ ଚାକିରିକୁ ବାଏ ବାଏ କରିଥିଲେ ମା ରୁକ୍ମଣୀ ପୃଷ୍ଟି । ଜନ୍ମରୁ କେଶବଙ୍କ ଏଭଳି ସ୍ୱାସ୍ଥ୍ୟବସ୍ଥା ଦେଖି ପରିବାର ଲୋକେ ଭାଙ୍ଗି ନପଡ଼ି କେଶବଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହିତ କରିଥିଲେ । ଯାହାର ଫଳ ଆଜି ତାଙ୍କୁ ମିଳିଛି ବୋଲି ପରିବାର ଲୋକେ କହିଛନ୍ତି ।

ତେବେ କେଶବଙ୍କ ଏହି ସଫଳତା ପଛରେ ସବୁଠୁ ବଡ ଭୂମିକା ରହିଛି ବଡ ଭଉଣୀ ଡକ୍ଟର ସୌମ୍ୟା ଶିବାନନ୍ଦାଙ୍କର । କେଶବଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଭଉଣୀ ସୌମ୍ୟା ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ଦାୟିତ୍ୱ ତୁଲାଉଥିଲେ । ଖାସକରି ପାଠ ପଢା କ୍ଷେତ୍ରରେ କେଶବଙ୍କୁ ସବୁ ପ୍ରକାର ସହାୟତା କରି ଆସୁଥିଲେ ଭଉଣୀ ସୌମ୍ୟା । ଯେଉଁଥିପାଇଁ ଆଜି କେଶବଙ୍କୁ ନେଇ ଓଡିଶା ଗର୍ବିତ ହୋଇଛି । ସବୁଠାରୁ ବଡ଼କଥା ହେଲା କେଶବ ଭବିଷ୍ୟତରେ ସୁପ୍ରିମକୋର୍ଟର ବିଚାରପତି ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସଫଳତା ପରେ ବଖାଣିଛନ୍ତି ।

ସମ୍ବନ୍ଧିତ ଖବର