ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ନିର୍ଦ୍ଦେଶ

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟ ପ୍ରସଂଗ

କଟକ : ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ଅଭିଯୋଗ ହୋଇଛି। ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତରଖାତାର ନକଲ ପ୍ରଦାନ କରାଯାଇଛି। କିନ୍ତୁ ଛାତ୍ରଛାତ୍ରୀଙ୍କ ଖାତା ପୁନଃମୂଲ୍ୟାୟନ/ପୁନଃଯାଞ୍ଚ କରାଯାଇ ନାହିଁ। ଏପରି ପରିସ୍ଥିତିରେ ବାଲେଶ୍ୱରର ହାମିଲଟନ ମହାନ୍ତି ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶୁଭ୍ରାଂଶୁ ଭୂଷଣ ମହାନ୍ତି ମାମଲା ପରଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ୨୦୧୭ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଇଂରାଜିରେ ପ୍ରଦାନ କରାଯାଇଥିବା ମାର୍କକୁ ନେଇ ସନ୍ଦେହ ଦେଖା ଦେଇଥିଲା। ଖାତା ପୁନଃମୂଲ୍ୟାୟନ ପାଇଁ ଆବେଦନକାରୀ ସିବିଏସଇ ନିକଟରେ ଆବେଦନ କରିଥିଲେ। କିନ୍ତୁ ସିବିଏସଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ସିବିଏସଇ ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ଶୁଣାଣି କରି ୨୦୧୭, ଜୁନ୍‌ ୨୩ରେ ଆବେଦନକାରୀଙ୍କ ପୁନଃମୂଲ୍ୟାୟନ/ପୁନଃଯାଞ୍ଚ ଆବେଦନ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ସିବିଏସଇକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଉତ୍ତରଖାତାର ନକଲ ଆବେଦନକାରୀଙ୍କୁ ପ୍ରଦାନ ପାଇଁ ସିବିଏସଇକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର