ସିବିଏସ୍‌ଇର ମୂଲ୍ୟାୟନ ଓ ପରୀକ୍ଷା ପ୍ରସ୍ତୁତି: ଦଶମ ପରୀକ୍ଷା ଫଳ ଖୁବ୍‌ଶୀଘ୍ର

ଅଗଷ୍ଟ ୧୬ରୁ ବେସରକାରୀ ପିଲାଙ୍କ ପରୀକ୍ଷା, ଦ୍ବାଦଶ ମାର୍କ ଅପଲୋଡ୍‌ ୨୫ ଯାଏ ବୃଦ୍ଧି

ଭୁବନେଶ୍ବର : ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନକୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପ୍ରସ୍ତୁତି ଜାରି ରଖିଛି। ଏଥିସହ ବୋର୍ଡ ଅଧୀନ ପ୍ରାଇଭେଟ୍‌ ତଥା ବେସରକାରୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ କରିବାକୁ ନିଷ୍ପତ୍ତି ହୋଇଛି। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ସିବିଏସ୍‌ଇର ସମସ୍ତ ଆଞ୍ଚଳିକ ଜୋନ୍‌ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି। ତେଣୁ ଜୁଲାଇ ୨୫ ସୁଦ୍ଧା ଫଳ ପ୍ରକାଶ ପାଇବାର ସମ୍ଭାବନା ଅଧିକ ରହିଛି। ସେହିପରି ଦ୍ବାଦଶ ଶ୍ରେଣୀ ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ କରିବାକୁ ପ୍ରୟାସ ହେଉଛି। ମାର୍କ ଅପଲୋଡ୍‌ର ଶେଷ ତାରିଖ ୨୨ ତାରିଖ ରଖାଯାଇଥିଲା। ତେବ‌େ ସ୍କୁଲ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପରେ ଚାପ ନଦେଇ ନିର୍ଭୁଲ ରେଜଲ୍ଟ ପ୍ରକାଶ ପାଇଁ ମାର୍କ ଦାଖଲ ଅବଧିକୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅପରପକ୍ଷରେ ଉଚ୍ଚଶିକ୍ଷାରେ ନାମଲେଖା ବେଳେ ବେସରକାରୀ ଛାତ୍ରଛାତ୍ରୀ ‌ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ସେମାନଙ୍କ ରେଜଲ୍ଟ ଯେତେଶୀଘ୍ର ସମ୍ଭବ ଘୋଷଣା କରାଯିବ। ତାହାକୁ ଆଧାର କରି ସିବିଏସ୍‌ଇ ଓ ୟୁଜିସି କର୍ତୃପକ୍ଷ ନାମଲେଖା କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ କୁହାଯାଇଥିବା ବୋଲି ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରସ୍ତୁତ ନୀତି ଅନୁଯାୟୀ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା କରାଯିବ। ନିୟମିତ ପିଲାଙ୍କ ପାଇଁ ବିକଳ୍ପ ନୀତି ଆଧାରରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ତେବେ ବେସରକାରୀ ପିଲାଙ୍କ ପାଇଁ ସ୍କୁଲ କିମ୍ବା ସିବିଏସ୍ଇ ପାଖରେ କୌଣସି ପୂର୍ବ ମୂଲ୍ୟାୟନ ରେକର୍ଡ ନ ଥିବାରୁ ରେଜଲ୍ଟ ଘୋଷଣା କରାଯାଇ ପାରିବ ନାହିଁ। ଯେଉଁମାନେ ପୂର୍ବରୁ ସିବିଏସ୍‌ଇରେ ନିୟମିତ ଛାତ୍ର ଥିଲେ ଏବଂ ପ୍ରଥମ କିମ୍ବା ଦ୍ବିତୀୟ ପ୍ରୟାସରେ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ କିମ୍ବା ଉନ୍ନତି ପାଇଁ ଚାହୁଁଛନ୍ତି ସେମାନଙ୍କୁ ବେସରକାରୀ ଛାତ୍ରଛାତ୍ରୀ କୁହାଯାଇଛି। ଏହାବ୍ୟତୀତ ଦିଲ୍ଲୀର କେତେକ ଛାତ୍ରଛାତ୍ରୀ ମଧ୍ୟ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର