ଫିଜିକାଲ ଏଜୁକେସନ ପରୀକ୍ଷା ପୂର୍ବରୁ ଜେଇଇ ମେନ୍
ଭୁବନେଶ୍ୱର : ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ(ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରେ ମୁଣ୍ଡ ଟେକିଛି ବିବାଦ। ଯେଉଁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି ସେଥିରେ ବ୍ୟାପକ ତ୍ରୁଟି ରହିଛି। ହ୍ୟୁମାନିଟିଜ୍ ବିଭାଗର ଦୁଇଟି ବିଷୟ ପରୀକ୍ଷା ମଧ୍ୟରେ ବ୍ୟବଧାନ ନ ଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଲଗାତାର ୫ ଦିନ ମଧ୍ୟରେ ୪ଟି ବିଷୟ ପରୀକ୍ଷା ଥିବାରୁ ଓଡ଼ିଶା ସମେତ ସାରା ଦେଶରୁ ପ୍ରତିବାଦର ସ୍ୱର ଉଠିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ପରିବର୍ତନ କରିବାକୁ ସିବିଏସ୍ଇ ନିକଟରେ ଦାବି କରାଯାଇଛି।
କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୨୦ରେ ହ୍ୟୁମାନିଟିଜ୍ ବିଭାଗର ଇତିହାସ ପରୀକ୍ଷା ଥିବାବେଳେ ୨୧ରେ ଗଣିତ ବିଷୟ ପରୀକ୍ଷା ରଖାଯାଇଛି। ଏପ୍ରିଲ ମାସରେ ଲଗାତାର ୩ଟି ବିଷୟର ପରୀକ୍ଷା ଏବଂ ୫ ଦିନରେ ୪ଟି ବିଷୟର ପରୀକ୍ଷା ରହିଛି। ଏପ୍ରିଲ ୫ରେ ମନସ୍ତତ୍ତ୍ୱ ବିଜ୍ଞାନ, ୬ରେ ରାଜନୀତି ବିଜ୍ଞାନ, ୭ରେ ଲିଗାଲ୍ ଷ୍ଟଡିଜ୍ ବିଷୟର ପରୀକ୍ଷା ରହିଛି। ଏହାର ଗୋଟିଏ ଦିନ ବ୍ୟବଧାନରେ ଫିଜିକାଲ ଏଜୁକେସନ ବିଷୟର ପରୀକ୍ଷା ଏପ୍ରିଲ ୯ରେ ଅନୁଷ୍ଠିତ ହେବ।
ବିଜ୍ଞାନ ବିଭାଗର କାର୍ଯ୍ୟସୂଚୀକୁ ନେଇ ବି ସମସ୍ୟା ସୃଷ୍ଟି ହୋଇଛି। ଇଂରାଜୀ, ଫିଜିକ୍ସ, ଗଣିତ ଓ କମ୍ପ୍ୟୁଟର ସାଇନ୍ସ ବିଜ୍ଞାନ ବିଭାଗର ପ୍ରମୁଖ ବିଷୟ ହୋଇଥିଲେ ମଧ୍ୟ ପର୍ଯ୍ୟାପ୍ତ ବ୍ୟବଧାନ ନ ଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାର୍ଚ୍ଚ ୫ରେ ଇଂରାଜୀ ବିଷୟ ପରୀକ୍ଷା ଥିବା ବେଳେ ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ମାର୍ଚ୍ଚ ୭ରେ ଫିଜିକ୍ସ ପରୀକ୍ଷା। ମାର୍ଚ୍ଚ ୨୧ରେ ଗଣିତ ପରୀକ୍ଷା ଥିବା ବେଳେ ୨୩ରେ କମ୍ପ୍ୟୁଟର ସାଇନ୍ସ ବିଷୟ ପରୀକ୍ଷା ରଖାଯାଇଛି। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ଏହି ସମୟରେ ରହିଛି। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଏପ୍ରିଲ ୮ରେ ଅଫ୍ ଲାଇନ୍ରେ ଜେଇଇ ମେନ୍ ଅନୁଷ୍ଠିତ ହେବ। ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପରୀକ୍ଷା ଦେବାକୁ ଥିବା ବେଳେ ଏପ୍ରିଲ ୯ରେ ଫିଜିକାଲ ଏଜୁକେସନ ବିଷୟର ପରୀକ୍ଷା ରହିଛି। ଏହାଦ୍ୱାରା ପିଲାମାନେ ଅସୁବିଧାର ସମ୍ମୁଖୀନ ହେବେ।
ସିବିଏସ୍ଇ କର୍ତୃପକ୍ଷଙ୍କ ଯୁକ୍ତି ହେଲା ବର୍ତମାନ ସମୟକୁ ଦୃଷ୍ଟିରେ ରଖି ତାରିଖ ସ୍ଥିର ହୋଇଛି। ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୨୦୦ଟି ବିଷୟ ରହିଛି। ତେଣୁ ବିଷୟ ଭିତରେ ସେତେଟା ବ୍ୟବଧାନ ରଖିବା ସମ୍ଭବପର ହେଉ ନାହିଁ। କାର୍ଯ୍ୟସୂଚୀ ଏଭଳି ପ୍ରସ୍ତୁତ ହୋଇଛି ଯେ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ୨୦୦ ବିଷୟର ପରୀକ୍ଷା ରହିଛି। ଫଳରେ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଲା ବେଳକୁ ଅସୁବିଧାରେ ପଡ଼ିବେ ନାହିଁ।