ଫେବ୍ରୁଆରିରୁ ସିବିଏସ୍‌ଇ ପରୀକ୍ଷା

ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଆଗ, ସପ୍ତାହକ ମଧ୍ୟରେ ପୂର୍ଣ୍ଣାଙ୍ଗ ତା‌ରିଖ ଘୋଷଣା

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୧୯ ଫେବ୍ରୁଆରିରୁ ଆରମ୍ଭ ହେବ। ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କରିବା ସହ ଶୀଘ୍ର ଫଳ ପ୍ରକାଶ ଉପରେ ଗୁରୁତ୍ୱ ଦେଇଛି ବୋର୍ଡ। ତେବେ ଉଭୟ ଶ୍ରେଣୀର ସମ୍ପୂର୍ଣ୍ଣ ପରୀକ୍ଷା ତାରିଖ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ନିଷ୍ପତ୍ତି ଅନୁଯାୟୀ ଦକ୍ଷତା ଶିକ୍ଷା(ଧନ୍ଦାମୂଳକ ଶିକ୍ଷା) ବିଭାଗ ଓ ଏଥିସହ ଜଡ଼ିତ ବିଷୟଗୁଡ଼ିକର ପରୀକ୍ଷା ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ। ଏବେ ଦ୍ବାଦଶ ଶ୍ରେଣୀ‌େର ୪୦ଟି ଧନ୍ଦାମୂଳକ ଶିକ୍ଷା ବିଷୟ ରହିଥିବା‌ ବେଳେ ଦଶମ ଶ୍ରେଣୀରେ ୧୫ଟି ବିଷୟ ରହିଛି। ଧନ୍ଦାମୂଳକ ଶିକ୍ଷା ବିଷୟଗୁଡ଼ିକ ସହ ଟାଇପୋଗ୍ରାଫି, କମ୍ପ୍ୟୁଟର ଆପ୍ଲିକେସନ୍‌ସ(ଇଂରାଜୀ), ୱେବ୍‌ ଆପ୍ଲିକେସନସ୍‌, ଗ୍ରା‌ଫିକ୍ସ, ଅଫିସ୍‌ କମ୍ୟୁନିକେସନ ପରି ଯେଉଁ ସବୁ ବିଷୟରେ କମ୍ ଛାତ୍ରଛାତ୍ରୀ ରହିଛନ୍ତି ସମ୍ପୃକ୍ତ ବିଷୟ ପରୀକ୍ଷା ଫେବ୍ରୁଆରିରୁ ଆରମ୍ଭ ହେବ। ଏହି ବିଷୟଗୁଡ଼ିକରେ ଅଧିକ ପ୍ରାକ୍ଟିକାଲ୍‌ ରହିଥିବା ବେଳେ କମ୍‌ ଥିଓରି ରହୁଛି। ଭାଷା, ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, ‌ଭୂଗୋଳ, ଅର୍ଥନୀତି, ବିଜନେସ୍‌ ଷ୍ଟଡିସ୍‌, ଆକାଉଣ୍ଟାନ୍ସି ପରି ବିଷୟର ପରୀକ୍ଷା ମାର୍ଚ୍ଚ ମାସ‌େର ଅନୁଷ୍ଠିତ ହେବ।

ସିବିଏସ୍‌ଇ ପକ୍ଷରୁ ଏବେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ୨୪୦ଟି ବିଷୟ ରହିଛି। ଦ୍ବାଦଶ ଶ୍ରେଣୀ‌େର କେବଳ ଭାଷା ବିଷୟ ବାଧ୍ୟତାମୂଳକ ହୋଇଥିବାବେଳେ ୧୦ମ ଶ୍ରେଣୀରେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ବାଧ୍ୟତାମୂଳକ। ଏବେ ସିବିଏସ୍‌ଇ ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇ ୭ ସପ୍ତାହ ଧରି ଚାଲୁଛି। ଯେଉଁଥିପାଇଁ ମେ’ ୪ର୍ଥ ସପ୍ତାହରେ ଫଳ ପ୍ରକାଶ ପାଉଛି। ଜୁଲାଇ‌ରେ ପୁନଃଯାଞ୍ଚ ଶେଷ ହେଉଛି। ଏହି ସମୟ ମଧ୍ୟରେ କେତେକ ବିଶ୍ବବିଦ୍ୟାଳୟରେ ନାମଲେଖା ସରିଯାଉଛି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପକ୍ଷରୁ ଏଥର ପରୀକ୍ଷା ପଦ୍ଧତିରେ ପରିବର୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର