ଓଡ଼ିଶାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି
ଦଶମ ପୁନଃପରୀକ୍ଷା କେବଳ ଦିଲ୍ଲୀ ଓ ହରିୟାଣାରେ
ଭୁବନେଶ୍ୱର : ସିବିଏସ୍ଇ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦ୍ୱାଦଶ ଅର୍ଥନୀତି ବିଷୟର ପୁନଃପରୀକ୍ଷା ଆସନ୍ତା ଏପ୍ରିଲ ୨୫ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି। ସେଦିନ ସାରା ଦେଶରେ ଏକସମୟରେ ଏହି ପରୀକ୍ଷା କରାଯିବ। ଅନ୍ୟପକ୍ଷରେ ଦଶମ ଶ୍ରେଣୀ ଗଣିତ ବିଷୟର ପୁନଃପରୀକ୍ଷା ନେଇ ନିଷ୍ପତ୍ତି ହୋଇପାରିନି। ଏହି ପରୀକ୍ଷା କେବଳ ଦିଲ୍ଲୀ ଓ ହରିୟାଣା ଜୋନ୍ରେ ହିଁ କରାଯିବ ବୋଲି ସୂଚନା ମିଳିଛି। ଆସନ୍ତା ୧୫ ଦିନ ମଧ୍ୟରେ ଏଥିଲାଗି ତାରିଖ ଘୋଷଣା କରାଯିବ ବୋଲି କେନ୍ଦ୍ର ଶିକ୍ଷା ସଚିବ ଅନିଲ୍ ସ୍ୱରୂପ ସୂଚନା ଦେଇଛନ୍ତି।
ତେଣୁ ଓଡ଼ିଶା ସମେତ ଦେଶର ଅନ୍ୟ ଜୋନ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି। ସିବିଏସ୍ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଶ୍ନପତ୍ର ଲିକ୍ କେବଳ ଦିଲ୍ଲୀ ଓ ହରିୟାଣା ଜୋନ୍ ଭିତରେ ସୀମିତ ରହିଥିଲା ବୋଲି ପ୍ରାଥମିକ ତଦନ୍ତର ଜଣାପଡ଼ିଛି। ଏବେ ବି ଏହି ତଦନ୍ତ ଜାରି ରହିଛି। ସେ ଦୃଷ୍ଟିରୁ ପୁନଃପରୀକ୍ଷା କେବଳ ଦିଲ୍ଲୀ ଓ ହରିୟାଣାରେ ସୀମିତ ରହିବ। ତେବେ ତଦନ୍ତ ସରିବା ପରେ ଯଦି ପୁନଃପରୀକ୍ଷା କରିବାର ଆବଶ୍ୟକତା ପଡ଼େ ତେବେ ୧୫ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ପରୀକ୍ଷା ଆପାତତଃ ଜୁଲାଇ ମାସରେ ହୋଇପାରେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ଆଜି ବି ବିରୋଧ ଜାରି ରହିଛି। କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସମେତ ସିବିଏସ୍ଇ କର୍ତୃପକ୍ଷଙ୍କ ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସ୍ୱରୂପ କହିଛନ୍ତି, ସିବିଏସ୍ଇ ପକ୍ଷରୁ ଠିକ୍ ଭାବେ ପରୀକ୍ଷା ପରିଚାଳନା ହୋଇଥିବା ବେଳେ ପ୍ରଶ୍ନପତ୍ର ଲିକ୍ ଦୁର୍ଭାଗ୍ୟପୂର୍ଣ୍ଣ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ନେଇ ଆମ ପାଖରେ ଖବର ପହଞ୍ଚିଥିଲା। କିନ୍ତୁ ତାହା ଠିକ୍ କି ନୁହେଁ ତାହା ଉପରେ ଅନୁଧ୍ୟାନ କରିବା ଆମର କର୍ତ୍ତବ୍ୟ। ଏଥିପାଇଁ ବି ସମୟର ଆବଶ୍ୟକତା ରହିଥିଲା। ତେଣୁ ଶେଷ ମୂହୁର୍ତ୍ତରେ ପରୀକ୍ଷା ବାତିଲ୍ କରିବା ସମ୍ଭବପର ନ ଥିଲା। ଏହାଦ୍ୱାରା ପିଲାଙ୍କ ଉପରେ ଅଧିକ ଚାପ ପଡ଼ିଥାନ୍ତା।
ସେ ଆହୁରି ସୂଚନା ଦେଇଛନ୍ତି ଯେ ପ୍ରଶ୍ନପତ୍ର ଲିକ୍ ନେଇ ତଦନ୍ତ ଜାରି ରହିଛି। ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ଚାଲିଥିବା ବେଳେ ପୁଲିସ ଅଧିକାରୀମାନେ ମଧ୍ୟ ତନାଘନା ଜାରି ରଖିଛନ୍ତି। କିଛି ବ୍ୟକ୍ତିଙ୍କୁ ସନ୍ଦେହରେ ପଚରାଉଚରା ବି କରାଯାଉଛି। ତଦନ୍ତରୁ ଜଣାପଡ଼ିଛି ଯେ ଦଶମ ଶ୍ରେଣୀ ଗଣିତ ବିଷୟ ପ୍ରଶ୍ନପତ୍ର ଲିକ୍ କେବଳ ଦିଲ୍ଲୀ ଓ ହରିୟାଣାରେ ଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ମଧ୍ୟରେ ସୀମିତ ରହିଛି। ତେଣୁ ଯଦି ପୁନଃପରୀକ୍ଷା ହେବ ତେବେ ଉକ୍ତ ଦୁଇ ରାଜ୍ୟରେ କରାଯିବ। ଅନ୍ୟ ସ୍ଥାନରେ ହେବାର ଆବଶ୍ୟକତା ନାହିଁ।
ଅନ୍ୟ ବିଷୟର ପ୍ରଶ୍ନପତ୍ର ଲିକ୍କୁ ସଚିବ ଶ୍ରୀ ସ୍ୱରୂପ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏହା ଗୁଜବ। ଆଉ କୌଣସି ବି ବିଷୟର ପ୍ରଶ୍ନପତ୍ର ଲିକ୍ ହୋଇ ନାହିଁ। ସୋସିଆଲ୍ ମିଡିଆରେ ମିଥ୍ୟା ପ୍ରଚାର ହେଉଛି। ଯେଉଁ ବିଷୟର ବି ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା କେବଳ ଦେଶ ଭିତରେ ହିଁ ସୀମିତ ରହିଛି। ତେଣୁ ବାହାର ଦେଶରେ ଥିବା ସିବିଏସ୍ଇ କେନ୍ଦ୍ରରେ ପରୀକ୍ଷା କରାଯିବାର କୌଣସି ଆବଶ୍ୟକତା ନାହିଁ। ଦଶମ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେବା ନେଇ ସେ ସ୍ପଷ୍ଟ କରିଛନ୍ତି ଯେ ପୂର୍ବ ନିର୍ଧାରିତ ସମୟରେ ସାରା ଦେଶରେ ଦଶମ ପରୀକ୍ଷା ଫଳ ପ୍ରକାଶ କରାଯିବ। କୌଣସି ବିଳମ୍ବ ହେବ ନାହିଁ। କେବଳ ଦିଲ୍ଲୀ ଓ ହରିୟାଣାର ଦଶମ ଶ୍ରେଣୀ ପରୀକ୍ଷା ଫଳ ବିଳମ୍ବରେ ବାହାରିବ।
ସିବିଏସ୍ଇ ଓ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣା ପରେ ଓଡ଼ିଶାର ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି। ତିନି ଦିନ ହେଲା ମାନସିକ ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ଚିନ୍ତାମୁକ୍ତ ହୋଇଛନ୍ତି। କେନ୍ଦ୍ର ଶିକ୍ଷା ସଚିବଙ୍କ ଘୋଷଣାକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଅଭିଭାବକ ସମ୍ମିଳନୀରେ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ଗତକାଲି ଯେଉଁ ଦାବି କରାଯାଇଥିଲା ତାହାକୁ ସିବିଏସ୍ଇ କର୍ତୃପକ୍ଷ ମାନି ନେଇଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି ମିଳିଛି। ଦ୍ୱାଦଶ ଶ୍ରେଣୀରେ ମଧ୍ୟ ସେଭଳି ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ସିବିଏସ୍ଇ ଅଧ୍ୟକ୍ଷ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଦରକାର। ପରୀକ୍ଷା ପରିଚାଳନା, ମୂଲ୍ୟାୟନରେ ସୁଧାର ଆଣିବା ଦିଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପଦକ୍ଷେପ ନେଉ ବୋଲି ମହାସଂଘ ଅଧ୍ୟକ୍ଷ ସୁଦର୍ଶନ ଦାଶ, ଉପାଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରମୁଖ ଦାବି କରିଛନ୍ତି।