ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ସିବିଏସ୍ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ସିଲାବସ୍ ତଥା ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ହ୍ରାସ ପାଉଥିବା ସିଲାବସ୍ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ। ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ବାଦ୍ ପଡ଼ିଥିବା ବିଷୟଗୁଡ଼ିକ ପଡ଼ିବ ନାହିଁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସିବିଏସ୍ଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଖସଡ଼ାକୁ ୩୦ ପ୍ରତିଶତ ହ୍ରାସ କରାଯିବ। ପିଲାଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟଖସଡ଼ାରୁ ବାଦ ଦିଆଯିବ। ପାଠ୍ୟଖସଡ଼ା ହ୍ରାସ ସମ୍ପର୍କରେ
ବିଚାର କରିବାକୁ ସିବିଏସ୍ଇକୁ କୁହାଯାଇଥିଲା। ଏନେଇ ଗଠିତ କମିଟି ଆଲୋଚନା ପରେ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଉପରେ ସୃଷ୍ଟି ହୋଇଥିବା ଚାପକୁ ଦୂର କରିବା ପାଇଁ ସିଲାବସ୍ରୁ ୩୦% ବିଷୟକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏଥିସହ ସିଲାବସ୍ରେ କେତେ ପ୍ରତିଶତ ହ୍ରାସ କରାଯିବ ଓ କେଉଁ ବିଷୟ ରହିବ, ସେକଥା ଜାଣିବା ପାଇଁ ସାରା ଦେଶର ଶିକ୍ଷାବିତ୍ଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ୧୫୦୦ରୁ ଅଧିକ ପ୍ରସ୍ତାବକୁ ଦୃଷ୍ଟିରେ ରଖି ୩୦% ସିଲାବସ୍ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି। ସିବିଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶ ତଥା ବିଶ୍ୱରେ କୋଭିଡ୍-୧୯ ସଂକ୍ରମଣ ବଢ଼ିଚାଲିଛି। କୋମଳମତି ଛାତ୍ରଛାତ୍ରୀ ଯେପରି ଆକ୍ରାନ୍ତ ନ ହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ କରିବାକୁ ପଡ଼ିଛି। ଶ୍ରେଣୀ ଗୃହ ଶିକ୍ଷା ପ୍ରଭାବିତ ହୋଇଛି। ତେଣୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠ୍ୟଖସଡ଼ା ସଂଶୋଧନ କରିବାକୁ ୨୦୨୦-୨୧ ସିବିଏସ୍ଇ ଏକାଡେମିକ୍ ଅଧିବେସନରେ ନିଷ୍ପତ୍ତି ନିଆଯାଇଛି। ପାଠ୍ୟକ୍ରମରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ପାଠ୍ୟକ୍ରମ କମିଟି ଓ ବୋର୍ଡର ପରିଚାଳନା ପରିଷଦର ଅନୁମୋଦନକ୍ରମେ ସମ୍ପୃକ୍ତ ପାଠ୍ୟକ୍ରମ କମିଟି ଦ୍ୱାରା ଚୂଡାନ୍ତ ହୋଇଛି। ସ୍କୁଲର ମୁଖ୍ୟ ଓ ଶିକ୍ଷକମାନେ ପାଠ୍ୟଖସଡ଼ା ପରିବର୍ତନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ତେବେ ସଂକ୍ଷିପ୍ତ ପାଠ୍ୟକ୍ରମ ଇଣ୍ଟରନାଲ ଆସେସ୍ମେଣ୍ଟର ଅଂଶବିଶେଷ ହେବନାହିଁ। ପ୍ରଥମରୁ ଅଷ୍ଟମ ବା ପ୍ରାଥମିକ ଶ୍ରେଣୀଗୁଡିକରେ ଏନ୍ସିଇଆରଟି ଦ୍ୱାରା ନିର୍ଦ୍ଧାରିତ ଶୈକ୍ଷିକ ପାଠ୍ୟକ୍ରମ ପ୍ରବର୍ତ୍ତନ ହେବ ଏବଂ ସବୁ ସ୍କୁଲରେ ବିକଳ୍ପ ଏକାଡେମିକ୍ କ୍ୟାଲେଣ୍ଡର ବାଧ୍ୟତାମୂଳକ ହେବ। ଛାତ୍ରଛାତ୍ରୀ ୱେବସାଇଟ୍ ‘http://cbseacademic.nic.in/Revisedcurriculum_2021.html’ ରେ ସଂଶୋଧିତ ପାଠ୍ୟଖସଡ଼ା ଉପଲବ୍ଧ ହେଉଛି।
ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ପାଇଁ ନିହାତି ଆବଶ୍ୟକ ତଥା ଗୁରୁତ୍ବପୂର୍ଣ୍ଣ ଥିବା ବିଷୟଗୁଡ଼ିକୁ ପାଠ୍ୟଖସଡ଼ାରେ ରଖାଯାଇଛି। ଯେଉଁ ବିଷୟଗୁଡ଼ିକ ଅପେକ୍ଷାକୃତ କମ୍ ଗୁରୁତ୍ବପୂର୍ଣ୍ଣ ସେଥିରୁ ୩୦ ପ୍ରତିଶତ ହ୍ରାସ କରାଯାଇଛି। ନୂତନ ସିଲାବସ୍ ଅନୁଯାୟୀ ବାର୍ଷିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପରିବର୍ତ୍ତିତ ଶୈଳୀ ସହିତ ପିଲାଙ୍କୁ ସୁହାଇଲା ଭଳି ଏକ ସେଟ୍ ବଦଳରେ ୩ ସେଟ୍ର ସାମ୍ପଲ୍ ପ୍ରଶ୍ନପତ୍ର ଦିଆଯିବ। ସିବିଏସ୍ଇ ୱେବସାଇଟ୍ରେ ଏହା ଉପଲବ୍ଧ ହେବ। ଅବଜେକ୍ଟିଭ୍ ଓ ସବ୍ଜେକ୍ଟିଭ୍ର ୫୦ ପ୍ରତିଶତ ଲେଖାଏ ପ୍ରଶ୍ନ ରହିବ। ଛାତ୍ରଛାତ୍ରୀ ତାହାକୁ ଅଭ୍ୟାସ କରିପାରିବେ। ଏନ୍ସିଇଆରଟି ଓ ସିବିଏସ୍ଇର ଗାଇଡ୍ଲାଇନ୍ ଅନୁଯାୟୀ ସ୍କୁଲଗୁଡ଼ିକ ଦଶମ ଓ ଦ୍ବାଦଶ ଶ୍ରେଣୀ ଢାଞ୍ଚାରେ ୯ମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଲାଗି ୩ ସେଟ୍ ପ୍ରଶ୍ନପତ୍ର ପ୍ରସ୍ତୁତ କରି ଅଭ୍ୟାସ କରାଇବେ।