ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଅଧୀନ ବିଦ୍ୟାଳୟଗୁଡ଼ିକର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଟର୍ମ-୨ ପରୀକ୍ଷା ଅଫ୍ଲାଇନ୍ରେ ଅନୁଷ୍ଠିତ ହେବ। ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଟର୍ମ-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏପ୍ରିଲ ୨୬ରୁ ଟର୍ମ-୨ ଥିଓରି ପରୀକ୍ଷା ଆରମ୍ଭ ହେବ। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିବା ପରେ ସିବିଏସ୍ଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିଷଦ ୱେବସାଇଟ୍ରେ ପୂର୍ବରୁ ଉଲ୍ଲେଖ ଥିବା ନକଲ ପ୍ରଶ୍ନପତ୍ର ପରି ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ। ଛାତ୍ରଛାତ୍ରୀଙ୍କୁ ଆଲଟ୍ ହୋଇଥିବା ପରୀକ୍ଷା କେନ୍ଦ୍ରରେ ସେମାନେ ପରୀକ୍ଷା ଦେବେ। ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ତାରିଖ ଖୁବ୍ଶୀଘ୍ର ପରିଷଦ ୱେବସାଇଟ୍ www.cbse.nic.in ରେ ଉପଲବ୍ଧ ହେବ। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ତଥ୍ୟକୁ ବିଶ୍ବାସ ନ କରି ବୋର୍ଡ ୱେବସାଇଟ୍ରୁ ସମ୍ପୂର୍ଣ୍ଣ ସୂଚନା ହାସଲ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
ଅଫ୍ଲାଇନ୍ରେ ହେବ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ବର : ଓଡ଼ିଶା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅଫ୍ଲାଇନ୍ରେ ଅନୁଷ୍ଠିତ ହେବ। ପାଠ୍ୟକ୍ରମ ସରିବା ପରେ ନିର୍ଧାରିତ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ତେଣୁ ପରୀକ୍ଷାର୍ଥୀ ବ୍ୟସ୍ତ ବିବ୍ରତ ନ ହୋଇ ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) କର୍ତୃପକ୍ଷଙ୍କ ସହ ନିୟମିତ ଭାବେ ଆଲୋଚନା ଜାରି ରହିଛି। କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଅଫ୍ଲାଇନ୍ ପରୀକ୍ଷା କରିବାରେ କୌଣସି ଅସୁବିଧା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ଗତ ୭ ତାରିଖରୁ ୮ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲି ସାରିଛି। ୧୪ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। କରୋନା କଟକଣା ମଧ୍ୟରେ ପାଠପଢ଼ା ଚାଲିଛି। ଶିକ୍ଷକ ଓ ଅଭିଭାବକଙ୍କ ସହଯୋଗ ଯୋଗୁଁ ନିର୍ଧାରିତ ସମୟରେ ପାଠପଢ଼ା ଶେଷ ହେବା ସହ ପରୀକ୍ଷା ଅନୁଷ୍ଠିତ ହେବ।