ମାର୍ଚ୍ଚ ମାସରେ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା : ମୂଲ୍ୟାୟନରେ ଆସିବ ସ୍ୱଚ୍ଛତା

ଭୁବନେଶ୍ୱର : ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୨୦୧୮ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ସିବିଏସ୍‌ଇ ପକ୍ଷରୁ ଏନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବାକୁ ଥିବା ବେଳେ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ନେଇ ଚିନ୍ତା ପ୍ରକଟ କରାଯାଇଛି। ଗତବର୍ଷ ମୂଲ୍ୟାୟନରେ ହୋଇଥିବା ତ୍ରୁଟି ଯେପରି ଏଥର ପୁନରାବୃତ୍ତି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେଇଛି ବୋର୍ଡ। ପରୀକ୍ଷା ଖାତା ମୂଲ୍ୟାୟନରେ ଅଭିଜ୍ଞ, ବରିଷ୍ଠ ଓ ନିୟମିତ ଶିକ୍ଷକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ସେବାକୁ ସିବିଏସ୍‌ଇ ଅଧୀନ ବିଦ୍ୟାଳୟଗୁଡ଼ିକର ମୁଖ୍ୟଙ୍କ ନିକଟକୁ ଚିଠି ପଠାଯାଇଛି। ଯଦି କୌଣସି ବିଦ୍ୟାଳୟ ଏଥିରେ ଅବହେଳା ପ୍ରଦର୍ଶନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଗତବର୍ଷ ଖାତା ମୂଲ୍ୟାୟନରେ ତ୍ରୁଟି ହୋଇଥିବାରୁ ସାରା ଦେଶରେ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିଲେ। ପୁନଃଯାଞ୍ଚ ପରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ମାର୍କରେ ତ୍ରୁଟି ରହିଥିବା ନଜରକୁ ଆସିବାରୁ ଏହାକୁ ଗୁରୁତର ସହ ନେଇଛି ସିବିଏସ୍‌ଇ। ପରୀକ୍ଷା ପରିଚାଳନାଠାରୁ ଆରମ୍ଭ କରି ମୂଲ୍ୟାୟନ ସମୟରେ ହେଉଥିବା ବେଳେ କାହିଁକି ତ୍ରୁଟି ରହିଲା ତାହାକୁ ନେଇ ତନାଘନା କରାଯାଇଛି। ସିବିଏସ୍‌ଇ ଜୋନ୍‌ ଅଧିକାରୀଙ୍କୁ ନେଇ ଏକାଧିକ ବୈଠକ ବସିବା ପରେ ଏଥର ମୂଲ୍ୟାୟନରେ ସ୍ୱଚ୍ଛତା ଆଣିବାକୁ ନିଷ୍ପତ୍ତି ହୋଇଛି। ଗୁଣାତ୍ମକ ତଥା ତ୍ରୁଟିଶୂନ୍ୟ ମୂଲ୍ୟାୟନ ଲାଗି ଅଭିଜ୍ଞତା ଏବଂ ତାଲିମପ୍ରାପ୍ତ ଶିକ୍ଷକଙ୍କୁ ନିୟୋଜିତ କରାଯିବ।

ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ ଅନେକ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରୁନାହାନ୍ତି। ବିଦ୍ୟାଳୟ ପକ୍ଷରୁ ଯେଉଁମାନଙ୍କୁ ମୂଲ୍ୟାୟନ ଲାଗି ପଠାଯାଉଛି ସେମାନଙ୍କର ସେତେ ଅଭିଜ୍ଞତା ରହୁନି। ମୂଲ୍ୟାୟନ ଲାଗି ଆସୁଥିଲେ ମଧ୍ୟ ପୂର୍ଣ୍ଣ ସମୟ ଦେଉ ନାହାନ୍ତି। ଅଧାରୁ ମୂଲ୍ୟାୟନ ଛାଡ଼ି ପଳାଇ ଯାଉଛନ୍ତି। ଯେଉଁଥିପାଇଁ ପରବର୍ତୀ ସମୟରେ ଅସୁବିଧା ହେଉଛି। ତାହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ରୁଲ୍‌ ୧୩ ସବ୍‌ କ୍ଲଜ୍‌ ୪ ଅନୁଯାୟୀ ବିଦ୍ୟାଳୟର ପରିଚାଳକ ତଥା ଅଧ୍ୟକ୍ଷ ପରୀକ୍ଷାର ସୁପରିଚାଳନା ଏବଂ ମୂଲ୍ୟାୟନରେ ସହଯୋଗ କରିବେ। ଯଦି ବୋର୍ଡ ପକ୍ଷରୁ କୁହାଯାଏ ତେବେ ବିଦ୍ୟାଳୟ କର୍ତୃପକ୍ଷ ପ୍ରତିି ବିଷୟ ଲାଗି ଜଣେ ଲେଖାଏ ପରୀକ୍ଷକଙ୍କୁ ପଠାଇବେ। ଯେଉଁଠି ୨୦୦ରୁ ଅଧିକ ପିଲା ରହିଥିବେ ଏକାଧିକ ପରୀକ୍ଷକଙ୍କୁ ପଠାଇବା ଲାଗି ବ୍ୟବସ୍ଥା କରିବେ। ଏଥିରେ ବିଫଳ ହେଲେ ସିବିଏସ୍‌ଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ରୁଲ୍‌ ୧୭.୨(ଏ) (ଏକ୍ସଆଇ) ବାଏ-ଲ’ ଅନୁଯାୟୀ ନାମଲେଖା, ପରୀକ୍ଷା ପରିଚାଳନାରେ ତ୍ରୁଟି ଦେଖାଗଲେ ବିଦ୍ୟାଳୟର ସହବନ୍ଧନ କାଢ଼ି ନିଆଯିବ। ବିଦ୍ୟାଳୟର ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ସିବିଏସ୍‌ଇ ପରୀକ୍ଷା ପୋଟାଲ୍‌ରେ ନାମ ପଞ୍ଜୀକରଣ କରିବେ। ସିବିଏସ୍‌ଇ ପକ୍ଷରୁ ଚିହ୍ନଟ ହୋଇଥିବା ଶିକ୍ଷକମାନେ ମୂଲ୍ୟାୟନରେ ଭାଗନେବେ। ମୂଲ୍ୟାୟନ ଲାଗି ଚୟନ ହୋଇଥିବା ଶିକ୍ଷକମାନେ ମୂଲ୍ୟାୟନ ସମୟରେ ବିଦ୍ୟାଳୟର ଅନ୍ୟ କୌଣସି କାର୍ଯ୍ୟ କରିପାରିବେ ନାହିଁ। ସିବିଏସ୍‌ଇ ପକ୍ଷରୁ କରାଯାଉଥିବା ପ୍ରି-ଇଭାଲ୍ୟୁଏସନ ତାଲିମ ଶିବିରରେ ଶିକ୍ଷକମାନେ ଭାଗନେବା ବାଧ୍ୟତାମୂଳକ। ୨୦୧୮ ଜାନୁଆରି ୫ ମଧ୍ୟରେ ସିବିଏସ୍‌ଇ ଅଧୀନ ସମସ୍ତ ବିଦ୍ୟାଳୟ ପରୀକ୍ଷା ପୋଟାର୍ଲରେ ତଥ୍ୟ ଦାଖଲ କରିବାକୁ ଆଜି ଏକ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର