ଜୁଲାଇ ୧ରୁ ସିବିଏସ୍‌ଇ ବାକି ପରୀକ୍ଷା

ଭୁବନେଶ୍ବର :କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀର ସ୍ଥଗିତ ‌ରହିଥିବା ବିଷୟଗୁଡ଼ିକର ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦଶମ ଶ୍ରେଣୀ ପରୀକ୍ଷା କେବଳ ଉତ୍ତର ପୂର୍ବ ଦିଲ୍ଲୀରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ଲାଗି କରାଯିବ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ସମସ୍ତ ବିଷୟର ପରୀକ୍ଷା ହେବ ବୋଲି ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଦ୍ବାଦଶ ଓ ଦଶମ ଶ୍ରେଣୀର ବାକି ବିଷୟଗୁଡ଼ିକର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟା ୩୦ଟାରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜୁଲାଇ ୧ରେ ଦ୍ବାଦଶ ଶ୍ରେଣୀର ହୋମ୍‌ ସାଇନ୍ସ ବିଷୟରୁ ପରୀକ୍ଷା ଆରମ୍ଭ ହେବ। ଏଥିସହ ଜୁଲାଇ ୨, ୩, ୪, ୬, ୭, ୮, ୯, ୧୦, ୧୧, ୧୩, ୧୪ ଓ ୧୫ ତାରିଖରେ ବିଭିନ୍ନ ବିଷୟର ପରୀକ୍ଷା ରହିଛି। ସେହିପରି କେବଳ ଉତ୍ତର-ପୂର୍ବ ଦିଲ୍ଲୀର ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ଜୁଲାଇ ୧ରୁ ଆରମ୍ଭ ହେବ। ପ୍ରଥମ ଦିନ ସାମାଜିକ ବିଜ୍ଞାନ ପରୀକ୍ଷା ରହିଛି। ଜୁଲାଇ ୨, ୧୦ ଓ ୧୫ ତାରିଖରେ ଅନ୍ୟ ବିଷୟଗୁଡ଼ିକର ପରୀକ୍ଷା କରାଯିବ। ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ପରୀକ୍ଷାର୍ଥୀ ନିଜର ହ୍ୟାଣ୍ଡ ସାନିଟାଇଜର, ମାସ୍କ ପିନ୍ଧି ଆସିବେ ଓ ସାମାଜିକ ଦୂରତା ରକ୍ଷା କରିବେ। ପୂର୍ବାହ୍ନ ୧୦ଟା ୩୦ରେ ପରୀକ୍ଷା ହେବାକୁ ଥିବା ବେଳେ ୧୦ଟାରୁ ୧୦ଟା ୧୫ ମଧ୍ୟରେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବଣ୍ଟନ କରାଯିବ। ୧୦ଟା ୧୫ରେ ପ୍ରଶ୍ନପତ୍ର ଖୋଲାଯିବା ସହ ପରୀକ୍ଷାର୍ଥୀଙ୍କୁ ବଣ୍ଟାଯିବ। ପ୍ରଶ୍ନପତ୍ର ପଢ଼ିବା ଲାଗି ‌ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ୍‌ ସମୟ ଦିଆଯିବ ଏବଂ ୧୦ଟା ୩୦ରେ ଉତ୍ତର ଲେଖିବା ଆରମ୍ଭ କରିବେ।

ସମ୍ବନ୍ଧିତ ଖବର